କାଳିଆପାଣି/ ଆନନ୍ଦପୁର : ସରକାରୀ ଜମିରୁ କୋଟିକୋଟି ଟଙ୍କାର ମାଟି ମୋରମ୍ ଲୁଟ୍ ଚାଲିଛି। ସରକାରଙ୍କ ୩ ବିଭାଗ ରାଜସ୍ବ, ବନ ଓ ପୁଲିସ କାଁଭାଁ ଚଢ଼ଉ କରୁଛନ୍ତି। ତହସିଲ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ସ୍ବରୂପ ସ୍ବଳ୍ପ ଜରିମାନା ହେଉଛି। ହେଲେ ଜରିମାନା ଅର୍ଥ ମାସ ମାସ ଧରି ଆଦାୟ ହେଉନି। ସତେଯେମିତି ମାଟି ମାଫିଆଙ୍କ ସବୁଦୋଷ ମାଫ୍। ଆଉ ଲୁଟ୍ ତା’ ବାଟରେ ଚାଲୁଛି।
ଯାଜପୁର ଜିଲ୍ଲାର ଦାନଗଦି ତହସିଲ ଓ ଗୋବର୍ଦ୍ଧନପୁର ସର୍କଲର ଜନିନ୍ଦାପାଳ, ବାଲିଆପାଳ ଓ ଟମକା ପାଖାପାଖି ଇଲାକାରୁ ପାହାଡ଼ ପରିମାଣର ମାଟି ତଡ଼ା ଯାଇଛି। ଏଠାରୁ ମାଟି ମୋରମ୍ ସବୁ ଚାଲାଣ ହୋଇ ଏଆରଏସ୍ଏସ୍ ମାର୍ଫତରେ ଜାରି ରହିଥିବା ଯଖପୁରା-ବାଂଶପାଣି ରେଳପଥ ଦୋହରୀକରଣ କାର୍ଯ୍ୟରେ ବ୍ୟବହୃତ ହେଉଛି। କେନ୍ଦୁଝର ଜିଲ୍ଲା ଘସିପୁରା ଓ ହରିଚନ୍ଦନପୁର ତହସିଲ ଇଲାକାରେ ଜାରି ରହିଥିବା ଏହି କାର୍ଯ୍ୟରେ ବ୍ୟାପକ ଅନିୟମିତତା ହୋଇଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ଲୋକ ଦେଖାଣିଆ କାର୍ଯ୍ୟାନୁଷ୍ଠାନ ହୋଇଛି। ଗତ ନଭେମ୍ବର ୧୭ ତାରିଖରେ ଦାନଗଦି ଅତିରିକ୍ତ ତହସିଲଦାର ନାରାୟଣ ଚନ୍ଦ୍ର ଦୀକ୍ଷିତ ଟମକା ଥାନା ଅନ୍ତର୍ଗତ ଜନିନ୍ଦାପାଳ ମୌଜାରେ ଚଢ଼ଉ କରି ମାଟି, ମୋରମ୍ ଲୁଟ୍ ସଂକ୍ରାନ୍ତରେ ଚାକ୍ଷୁସ ପ୍ରମାଣ ପାଇଥିଲେ। ସେଦିନ ସେ ଟମକା ଥାନାରେ ଏଆରଏସ୍ଏସ୍ କମ୍ପାନି ଓ ଏହାର କିଛି କର୍ମଚାରୀଙ୍କ ବିରୋଧରେ ଏତଲା ଦାଏର କରିଥିଲେ। ପୁଲିସ ପକ୍ଷରୁ ଆଇପିସି ଦଫା ୩୭୯/୩୪ ଓ ଏମ୍ଏମ୍ଡିଆର୍ ଆକ୍ଟ-୨୧ ଆଧାରରେ ଥାନାରେ ଏକ କେସ୍ ୧୪୪/୨୨ ରୁଜୁ ହୋଇଥିଲା। ଝାଡ଼ଖଣ୍ଡର ହାଇୱା ଡ୍ରାଇଭର ଅଶୋକ ଉରାନ(୨୮), ସୁପରଭାଇଜର ବିହାରର ରୋହିତ କୁମାର(୩୮) ଓ ସ୍ଥାନୀୟ ଜନିନ୍ଦାପାଳର ଶରତ ଚନ୍ଦ୍ର ପାତ୍ର(୩୯)କୁ ପୁଲିସ ଗିରଫ କରିବା ସହ ୩ଟି ହାଇୱା ଜବତ କରିଥିଲା। ଅନ୍ୟ ଜଣେ କାର୍ପଟଦାର ଅଭିଯୁକ୍ତ ବିକାଶ କୁମାର ସେଦିନରୁ ଫେରାର୍ ଅଛି।