ହାଟଡିହି : କିଛିଦିନ ତଳେ ନିଜର ଯେଉଁ ଶିଶୁକନ୍ୟାକୁ ଅଭାବୀ ମାଆଟିଏ ଘରଘର ବୁଲି ବିକ୍ରି ପାଇଁ ଉଦ୍ୟମ କରୁଥିଲେ, ଶେଷରେ ସେ ଆଖିବୁଜିଛି। କୁହାଯାଉଛି, ଖାଦ୍ୟାଭାବରୁ ଅପପୁଷ୍ଟିର ଶିକାରହୋଇ ଶିଶୁଟି ପ୍ରାଣ ହରାଇଛି। ଏହି ଶିଶୁଟିର ଦୁଃଖଦ ମୃତ୍ୟୁପରେ ପ୍ରଶାସନର ଭୂମିକାକୁ ନେଇ ବି ପ୍ରଶ୍ନବାଚୀ ସୃଷ୍ଟିହୋଇଛି। ପ୍ରଶାସନ ବସ୍ତାଏ ଚାଉଳ, ଛତୁଆ ପ୍ୟାକେଟ୍ ଓ କିଛି ଲୁଗାପଟା ଦେଇ ନିଜର ଦାୟିତ୍ବ ସାରି ଦେଇଥିବା ଅଭିଯୋଗ ହୋଇଛି।

୩ମାସର ମୃତଶିଶୁର ମାଆ ହେଉଛନ୍ତି ମମତା ଦାସ। କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍ ମନୋହରପୁର ଗ୍ରାମରେ ମମତାଙ୍କ ଘର। କିଛିଦିନ ତଳେ କିଛିମାସ ତଳେ ଶାଶୂ ଓ ସ୍ବାମୀଙ୍କ ଅଂଶୁଘାତରେ ମୃତ୍ୟୁପରେ ମମତା ସମ୍ପୂର୍ଣ୍ଣ ଅସହାୟ ହୋଇଯାଇଥିଲେ। ୪ ଛୁଆଙ୍କୁ ଧରି ଦୁଃଖକଷ୍ଟରେ ଚଳୁଥିଲେ। ସରକାରୀ ଯୋଜନା ତାଙ୍କ ପାଇଁ ଅପହଞ୍ଚ ଥିଲା। ମମତା ନିଜ ୧୦ ବର୍ଷର ପୁଅକୁ ଘୁଷୁରି ଚରାଇବା ପାଇଁ ଛାଡ଼ିଥିବା ବେଳେ ତିନିଝିଅଙ୍କୁ ପାଖରେ ରଖିଥିଲେ। ଖାଦ୍ୟାଭାବରୁ ତିନିମାସର ସାନଝିଅ ଅପପୁଷ୍ଟିର ଶିକାର ହୋଇଥିଲା। ଶିଶୁଟିକୁ ବିକ୍ରି ଉଦ୍ୟମ କରିବା ବେଳେ କିଛି ସ୍ବେଚ୍ଛାସେବୀ ଏବଂ ଚାଇଲ୍ଡ ଲାଇନ୍ ସଦସ୍ୟ ପହଞ୍ଚି ବୁଝାସୁଝା କରିବା ପରେ ସେ ଏଥିରୁ ବିରତ ରହିଥିଲେ।
ଏନେଇ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ପ୍ରଶାସନ ଅଧିକାରୀମାନେ ତାଙ୍କ ଘରେ ପହଞ୍ଚିଥିଲେ। ବସ୍ତାଏ ଚାଉଳ, ଛତୁଆ ପକେଟ୍, ପଲିଥିନି ଓ କିଛି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ପ୍ରଦାନ କରିଥିଲେ। ‘ଶିଶୁ ବିକ୍ରି ଉଦ୍ୟମ କଥା ମିଛ’ ବୋଲି କହିବାକୁ ମମତାଙ୍କ ଉପରେ ବିଭିନ୍ନ ସ୍ତରରୁ ଚାପ ପକାଇଥିଲେ। ଏଥିସହିତ, ଶିଶୁଟିକୁ ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଚିକିତ୍ସା କରିବାପରେ ପୁଣି ମା’ ପାଖରେ ଆଣି ଛାଡ଼ି ଦେଇଥିଲେ। ଡାକ୍ତରଖାନା ପକ୍ଷରୁ ଶିଶୁଟିକୁ କେବଳ କିଛି ଭିଟାମିନ୍ ଔଷଧ ଦିଆଯାଇଥିଲା। ଶିଶୁଟିର ଉଚ୍ଚତର ଚିକିତ୍ସା ଆବଶ୍ୟକ ଥିବା ଜାଣି ମଧ୍ୟ ପ୍ରଶାସନ ପକ୍ଷରୁ ତାକୁ କୌଣସି ବଡ଼ ଡାକ୍ତରଖାନାକୁ ନେଇ ଚିକିତ୍ସା କରାଯାଇ ନଥିଲା। ଉପଯୁକ୍ତ ଚିକିତ୍ସା ଅଭାବରୁ ଗତକାଲି ବିଳମ୍ବିତ ରାତିରେ ଶିଶୁଟି ଆଖିବୁଜି ଦେଇଥିବା ଏବେ ଅଭିଯୋଗ ହେଉଛି। ଶିଶୁଟି ଅପପୁଷ୍ଟିର ଶିକାର ହୋଇଥିବା ଜାଣି ବି ପ୍ରଶାସନ ତାର ସ୍ୱାସ୍ଥ୍ୟ ପ୍ରତି ଯେପରି ଦୃଷ୍ଟି ଦେବା କଥା ଦେଇନଥିଲା ବୋଲି ଅଭିଯୋଗ କରିଛନ୍ତି ସମାଜସେବୀ ତଥା ଶାଳଣିଆଁର ପୂର୍ବତନ ସମିତିସଭ୍ୟ ବୀରେନ୍ଦ୍ର ବିଶ୍ୱାଳ।
ଅନ୍ୟପକ୍ଷରେ, ଘଟଣାର ତଦନ୍ତ କରିବାକୁ ଯାଇଥିବା ଆନନ୍ଦପୁର ଏବିଡିଓ ବିଚିତ୍ର କୁମାର କରଙ୍କୁ ପଚାରିବାରୁ, ଛୁଆଟି ଅପପୁଷ୍ଟିର ଶିକାର ହୋଇଥିବା ଜାଣି ଆମେ ତାର ପ୍ରାଥମିକ ଚିକିତ୍ସା କରାଇଥିଲୁ। ତାର ମା’କୁ ମଧ୍ୟ ବୁଝାଇଥିଲୁ। ସେ ଶିଶୁଟିର ଉପଯୁକ୍ତ ଯତ୍ନ ନନେବାରୁ ମୃତ୍ୟୁ ଘଟିଥିବା ଅନୁମାନ କରୁଛୁ ବୋଲି ଶ୍ରୀ କର କହିଛନ୍ତି। ସେହିପରି ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ପ୍ରଭାତ ନାୟକ କହିଛନ୍ତି, ସେଦିନ ଶିଶୁଟିକୁ ଔଷଧ ଓ ଭିଟାମିନ୍ ସିରପ୍ ଦିଆଯାଇଥିଲା। କିନ୍ତୁ, ପରବର୍ତ୍ତୀ ସମୟରେ ମା’ ଶିଶୁଟିକୁ ଆଉ ଡାକ୍ତରଖାନା ଆଣି ନଥିଲେ ବୋଲି କହିଛନ୍ତି।
ତେବେ, ଅବହେଳା ଯେଉଁଠି ଥାଉନା କାହିଁକି, ଅପପୁଷ୍ଟିର ଶିକାର ହୋଇ ଶିଶୁଟି ପ୍ରାଣ ହରାଇବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।