ରାଜ୍ୟ ସ୍ପେଶାଲ ରିପୋର୍ଟ

ମହୋଦଧି ଦିବସ ଆଜି: ପ୍ଲାଷ୍ଟିକ୍‌ ବର୍ଜ୍ୟରେ ସମୁଦ୍ର ବିଷାକ୍ତ

ପୁରୀ: ପ୍ଲାଷ୍ଟିକ୍‌ ବର୍ଜ୍ୟ ସମୁଦ୍ର ପାଇଁ ଅଭିଶାପ ପାଲଟିଛି। ପ୍ଲାଷ୍ଟିକ୍‌ର ମାତ୍ରାଧିକ ବ୍ୟବହାର ଯୋଗୁ ଏହା ନଦୀ ମୁହାଣ ଦେଇ ସମୁଦ୍ର ମଧ୍ୟକୁ ଯାଉଛି। ଏହା ଦ୍ବାରା ମାଛ ଓ ସାମୁଦ୍ରିକ ଜୀବମାନେ ପ୍ରଭାବିତ ହେଉଛନ୍ତି। ଏପରିକି କିଛି ମାଛ ପଲିଥିନ ଜେଲି ଭାବି ଗିଳି ଦେଉଛନ୍ତି, ଯାହାକୁ ଲୋକେ ଖାଇ ରୋଗର ଶିକାର ହେଉଛନ୍ତି। ସାମୁଦ୍ରିକ ପରିସଂସ୍ଥା ସୁରକ୍ଷା ଲାଗି କୋଟିକୋଟି ଟଙ୍କା ଖର୍ଚ୍ଚ ହେଉଛି। ସଚେତନ କରାଯାଉଛି। ଅଥଚ ପ୍ଳାଷ୍ଟିକ୍‌ରେ ରୁନ୍ଧି ହୋଇଯାଉଥିବା ସାମୁଦ୍ରିକ ପରିସଂସ୍ଥାକୁ ଅବହେଳା କରାଯାଉଛି। ଆସନ୍ତାକାଲି ପୁରୀରେ ମହୋଦଧି ଦିବସ ପାଳନ ହେବାକୁ ଯାଉଥିବା ବେଳେ ସମୁଦ୍ରକୁ ପ୍ଲାଷ୍ଟିକ୍‌ ରୂପକ ବିଷ କବଳରୁ ମୁକ୍ତ କରିବା ଆହ୍ବାନ ପାଲଟିଛି।

ବେଳାଭୂମିରେ ଗଦା ହୋଇଛି କୁଢ଼କୁଢ଼ ପ୍ଲାଷ୍ଟିକ୍‌। ହୋଟେଲ ଓ ଜନବସତିରୁ ଫିଟିଛି ନାଳର ଧାରା। ଛିଣ୍ଡା ଜାଲ, ପ୍ଲାଷ୍ଟିକ, ପଲିଥିନ, ସୋଲ ସମେତ ଘରର ନିତ୍ୟ ବ୍ୟବହୃତ ଜିନିଷ ବେଳାଭୂମିରେ ଗଦା ହେଉଛି। ଏପରିକି କିଛି ସ୍ଥାନରେ ବେଳାଭୂମି ମୁକ୍ତ ଶୌଚାଳୟ ପାଲଟିଛି। ବେଳାଭୂମି ଫୁଟ୍‌ପାଥ ଉପରେ ବି ପ୍ଲାଷ୍ଟିକ୍‌ ବର୍ଜ୍ୟ ଗଦା ହୋଇ ରହିଛି। ପାଇଖାନାଠୁ ନେଇ ଘରର ନାଳର ସୁଅ ସମୁଦ୍ରକୁ ପଡ଼ିଛି। ହୋଟେଲର ବର୍ଜ୍ୟ ସମୁଦ୍ରକୁ ମୁହାଁଇ ଦିଆଯାଇଛି। ପ୍ଲାଷ୍ଟିକ, ଥର୍ମୋକୁଲ ଜଳରେ ମିଶି ମାଇକ୍ରୋ ପ୍ଲାଷ୍ଟିକ୍‌ରେ ପରିଣତ ହେଉଥିବା ବେଳେ ଏସବୁ ଜଳଜୀବଙ୍କ ପାଇଁ ବିପଦ ସୃଷ୍ଟି କରୁଛି। ପୁଣି ଏହି ମାଛ ମଣିଷ ଖାଇବା ଦ୍ବାରା ତା ଶରୀରରେ ରୋଗ ସୃଷ୍ଟି ହେଉଛି। ଏନେଇ ଯୁବ ପରିବେଶ କର୍ମୀ ତଥା ମିଳିତ ଜାତିସଂଘ ଯୁବ ଅଧିବକ୍ତା ସୌମ୍ୟରଂଜନ ବିଶ୍ବାଳ କହିଛନ୍ତି ଯେ ପୁରୀର ସାମୁଦ୍ରିକ ପରିସଂସ୍ଥା ଉଚ୍ଚକୋଟିର। ସେଥିପାଇଁ ବିରଳ ଅତିଥି କଇଁଛ ଅଲିଭ ରିଡ୍‌ଲେଙ୍କଠୁ ନେଇ ବହୁ ସାମୁଦ୍ରିକ ଜୀବଙ୍କ ଆତଯାତ ରହିଛି।
ବିଶେଷକରି ଅଲିଭ୍‌ରିଡ୍‌ଲେଙ୍କର ଏହା ଗଣ ଅଣ୍ଡାଦାନ ସ୍ଥଳୀ। ଅନ୍ୟ ଜଳଜୀବମାନେ ମଧ୍ୟ ଏଠାରେ ସଂଖ୍ୟା ବୃଦ୍ଧି ପାଇଁ ସମବେତ ହୁଅନ୍ତି। ଛୋଟ ଛୋଟ ଅଣଦେଖା ବଡ଼ ସମସ୍ୟା ସୃଷ୍ଟି କରିପାରେ। ବିଶେଷକରି ପେଣ୍ଠକଟାରେ ଅତ୍ୟାଧୁନିକ ଆବାସିକ ସ୍ଥଳୀ ସତ୍ତ୍ବେ ସେଠାରେ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ କୌଣସି ବ୍ୟବସ୍ଥା ନ ହେବା ଦୁଃଖର ବିଷୟ। ଜିଲ୍ଲା ପ୍ରଶାସନ ପବିତ୍ର ପୁରୀ, ଗର୍ବ ଆମରି ସ୍ଳୋଗାନ ଦେଇ ଲୋକଙ୍କୁ ସଚେତନ କରୁଛି। ଅଳିଆ ଗାଡ଼ି ବୁଲାଇ ଘରୁ ଅଳିଆ ସଂଗ୍ରହ କରୁଛି। ଅଳିଆ ବାହା‌ରେ ପକାଇଲେ ଜରିମାନା ଆଦାୟ କରୁଛି। ଅଥଚ ପେଣ୍ଠକଟାର ବିସ୍ତୃତ ବେଳାଭୂମି ଉପରେ ପ୍ରଶାସନର ନଜର ନପଡ଼ିବା ଚିନ୍ତାର ବିଷୟ ବୋଲି ସେ କହିଛନ୍ତି।

ପୁରୀ ଭଳି ଅନ୍ତର୍ଜାତୀୟ ପର୍ଯ୍ୟଟନ ସହରରେ ଏସବୁକୁ ନଜରଅନ୍ଦାଜ କରିବା ସାମୁଦ୍ରିକ ପରିସଂସ୍ଥା ପାଇଁ କାଳ ସାଜିଛି। କିଛି ବର୍ଷ ପୂର୍ବେ କାଦୁଆ ମୁହାଣରୁ ଦେବୀ ମୁହାଣ ପର୍ଯ୍ୟନ୍ତ ବେଳାଭୂମିରୁ ଏକ ସ୍ବେଚ୍ଛାସେବୀ ସଂସ୍ଥା ଜରିଆରେ ୫.୫ ଟନ୍‌ ପ୍ଲାଷ୍ଟିକ ଓ ଅନ୍ୟ ବର୍ଜ୍ୟ ସଂଗ୍ରହ ହୋଇଥିଲା। ଜନବସତି ନଥିବା ଅଞ୍ଚଳରୁ ଏତେ ପରିମାଣର ବର୍ଜ୍ୟ ସଂଗ୍ରହ ହୋଇଥିବା ବେଳେ ପେଣ୍ଠକଟା ଓ ଚନ୍ଦ୍ରଭାଗାରେ ଜନବସତିରୁ ବାହାରୁଥିବା ପ୍ଲାଷ୍ଟିକର ପରିମାଣ‌ ଯେ ଏହାଠୁ ଅଧିକ ହେବ ବୋଲି ପରିବେଶବିତ୍‌ମାନେ କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।