ରାଜ୍ୟ

ମହେନ୍ଦ୍ର ଓ ରାଜକୁମାର ଫେରିଲେ: ବାଘୁଣୀ ସୁନ୍ଦରୀର ସୁରକ୍ଷା ପାଇଁ ଯାଇଥିଲେ ସାତକୋଶିଆ

କରଞ୍ଜିଆ/କରଞ୍ଜିଆ ଗୋଲେଇ/ସିଙ୍ଗଡ଼ା/ ଅନୁଗୁଳ: ୫ ବର୍ଷ ତଳେ ବିବାଦୀୟ ପରିସ୍ଥିତିରେ ଶିମିଳିପାଳ ଅଭୟାରଣ୍ୟରୁ ସାତକୋଶିଆ ବନାଞ୍ଚଳକୁ ଯାଇଥିବା ପୋଷା ହାତୀ ମହେନ୍ଦ୍ର ଓ ରାଜକୁମାରଙ୍କୁ ଶେଷରେ ସେମାନଙ୍କ ମୂଳ ସ୍ଥାନକୁ ଫେରାଇ ଅଣାଯାଇଛି। ଗତକାଲି ମଧ୍ୟରାତ୍ରିରେ ଦୁଇଟି ହାଇୱା ଯୋଗେ ଏହି ଦୁଇଟି ହାତୀ ଶିମିଳିପାଳରେ ପହଞ୍ଚିଛନ୍ତି। ଏଠାରେ କିଛିଦିନ ନିରୀକ୍ଷଣରେ ରହିବା ପରେ ହାତୀ ଦୁଇଟିକୁ ପୂର୍ବଭଳି ଜଙ୍ଗଲ ସୁରକ୍ଷା ପାଇଁ ପାଟ୍ରୋଲିଂରେ ନିୟୋଜିତ କରାଯିବ ବୋଲି କହିଛନ୍ତି ଶିମିଳିପାଳ କର୍ତ୍ତୃପକ୍ଷ।

ସୂଚନାଯୋଗ୍ୟ ଯେ ଅନୁଗୁଳ ବନଖଣ୍ଡର ସାତକୋଶିଆ ବନାଞ୍ଚଳରେ ବାଘବଂଶ ବୃଦ୍ଧି ପାଇଁ ୨୦୧୮ ମସିହା ଜୁନ୍‌ ୨୮ ତାରିଖରେ ମଧ୍ୟପ୍ରଦେଶର ବାନ୍ଧବଗଡ଼ ଅଭୟାରଣ୍ୟରୁ ଆସିଥିଲା ବାଘୁଣୀ ସୁନ୍ଦରୀ। ତେବେ ସୁନ୍ଦରୀ ପହଞ୍ଚିବା କ୍ଷଣି ଜଙ୍ଗଲ ଆଖପାଖ ଅଞ୍ଚଳରେ ଗୃହପାଳିତ ପଶୁପକ୍ଷୀଙ୍କ ଓ ଲୋକଙ୍କୁ ଆକ୍ରମଣ କରି ରକ୍ତମୁଖା ହୋଇପଡ଼ିଥିଲା। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇବା ସହ ବନ ବିଭାଗର ନିଷ୍ପତ୍ତିକୁ ବିରୋଧ କରିଥିଲେ ସ୍ଥାନୀୟ ଅଞ୍ଚଳବାସୀ। ବାଘକୁ ଘଞ୍ଚ ଜଙ୍ଗଲ ମଧ୍ୟରେ ରଖି ଜଙ୍ଗଲ ଚାରିପାଖେ ପାଟ୍ରୋଲିଂ ପାଇଁ ପ୍ରଶିକ୍ଷଣପ୍ରାପ୍ତ କୁମ୍‌କୀ ହାତୀ ମହେନ୍ଦ୍ର ଓ ରାଜକୁମାରକୁ ସାତକୋଶିଆ ଅଭୟାରଣ୍ୟକୁ ନେବା ଲାଗି ନିଷ୍ପତ୍ତି ହୋଇଥିଲା। ତେବେ ଏହାଦ୍ବାରା ଶିମିଳିପାଳର ସୁରକ୍ଷା ବିପନ୍ନ ହେବ କହି ମହେନ୍ଦ୍ର ଓ ରାଜକୁମାରଙ୍କ ସ୍ଥାନାନ୍ତରକୁ ସ୍ଥାନୀୟ ପରିବେଶବିତ ଓ ମୟୂରଭଞ୍ଜର ବିଭିନ୍ନ ସଙ୍ଗଠନ ବିରୋଧ କରିଥିଲେ। ବ୍ୟାପକ ଆଲୋଚନା ପରେ ଶେଷରେ ୨୦୧୯ ମସିହା ଜାନୁଆରି ୧୯ ତାରିଖରେ ଉଭୟଙ୍କୁ ସାତକୋଶିଆ ଅଭୟାରଣ୍ୟରେ ଛଡ଼ା ଯାଇଥିଲା। ଦୀର୍ଘ ୫ ବର୍ଷ ଧରି ଏହି ହାତୀ ଦୁଇଟି ସେଠାରେ ଜଙ୍ଗଲ ଓ ବନ୍ୟଜନ୍ତୁଙ୍କ ସୁରକ୍ଷାରେ ନିୟୋଜିତ ଥିଲେ। ତେବେ ଉଭୟଙ୍କୁ ଶିମିଳିପାଳକୁ ଫେରାଇବା ଆଣିବା ପାଇଁ ଜିଲ୍ଲାବାସୀ ଦାବି କରି ଆସୁଥିଲେ। ଶେଷରେ ୧୫ ଦିନ ତଳେ ମହେନ୍ଦ୍ର ଓ ରାଜକୁମାରକୁ ଫେରାଇ ଆଣିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା।

ହାତୀ ଦୁଇଟିକୁ ସୁରକ୍ଷିତ ଭାବେ ଆଣିବା ପାଇଁ ଏକ ସ୍ବତନ୍ତ୍ର ଟିମ୍‌ ଗଠନ ହୋଇଥିଲା। ଶିମିଳିପାଳ ଦକ୍ଷିଣ ବନ୍ୟପ୍ରାଣୀ ବନଖଣ୍ଡ ଉପନିର୍ଦ୍ଦେଶକ ସଦାନନ୍ଦ ଗୌଡ଼, ଉତ୍ତର ବନ୍ୟପ୍ରାଣୀ ବନଖଣ୍ଡ ଉପନିର୍ଦ୍ଦେଶକ ଡିଏନ୍‌ ସାଇକିରଣ ଓ କରଞ୍ଜିଆ ବନଖଣ୍ଡ ଅଧିକାରୀ ସୁବ୍ରତ କୁମାରଙ୍କ ତତ୍ତ୍ବାବଧାନରେ ହାତୀ ଦୁଇଟି ଗତକାଲି ବିଳମ୍ବିତ ରାତିରେ ଶିମିଳିପାଳରେ ପହଞ୍ଚିଥିଲେ। ବାଟସାରା ସେମାନଙ୍କ ଶାରୀରିକ ସ୍ଥିତି ଅନୁଧ୍ୟାନ, ନିୟମିତ ବ୍ୟବଧାନରେ ପାଣି ସିଞ୍ଚନ ସହ ଖାଦ୍ୟର ବ୍ୟବସ୍ଥା ହୋଇଥିଲା। ହାତୀ ଦୁଇଟିକୁ ଏବେ ଶିମିଳିପାଳ ଉତ୍ତର ଡିଭିଜନ୍‌ର ଏକ ଜଙ୍ଗଲରେ ନିରୀକ୍ଷଣରେ ରଖାଯାଇଛି। ଏହା ପରେ ସେମାନେ ପୂର୍ବଭଳି ଶିମିଳିପାଳ ସୁରକ୍ଷାରେ ନିୟୋଜିତ ହେବେ‌ ବୋଲି ଶିମିଳିପାଳ ଉପନିର୍ଦ୍ଦେଶକ ସଦାନନ୍ଦ ଗୌଡ଼ ସୂଚନା ଦେଇଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।