ଖେଳ ଦେଶ ବିଦେଶ

ମହିଳା ଟି୨୦ ଲିଗ୍‌ରେ ଝଲସିଲା ଓଡିଶା ମହିଳା ଟିମ୍‌ : ଲିଗରେ ଅପରାଜେୟ ରହି ନକ୍‌ଆଉଟରେ କରିଥିଲା ଏଣ୍ଟ୍ରି

ଭୁବନେଶ୍ୱର,୦୬/୦୫: ବିସିସିଆଇର ୨୦୨୧-୨୨ ସିଜନର ମହିଳା ସିନିୟର ଟି-ଟ୍ୱେଣ୍ଟି ଟ୍ରଫି ଶେଷ ହୋଇଛି । ଏପ୍ରିଲ ୧୫ରୁ ଆରମ୍ଭ ହୋଇଥିବା ଏହି ଲିଗ୍‌ ମେ’ ୪ ତାରିଖରେ ଶେଷ ହୋଇଥିଲା । ସେମି ଫାଇନାଲରେ ଓଡ଼ିଶା ମହିଳା ଦଳକୁ ପରାଜିତ କରିଥିବା ଶକ୍ତିଶାଳୀ ରେଲୱେ ଦଳ ସିଜନର ଚାମ୍ପିଅନ ହୋଇଥିଲା । ଏହାକୁ ମିଶାଇ ଦଳ ୧୦ ଥର ଜାତୀୟ ଚାମ୍ପିଅନ ହେବାର ଗୌରବ ଲାଭ କରିଛି ।
ଏହି ସିଜନରେ ଓଡ଼ିଶା ଦଳ ମଧୁସ୍ମିତା ବେହେରାଙ୍କ ନେତୃତ୍ୱରେ ବେଶ୍‌ ଚମତ୍କାର ପ୍ରଦର୍ଶନ କରି ଲିଗ୍‌ ପର୍ଯ୍ୟାୟରୁ କ୍ୱାର୍ଟର ଫାଇନାଲ ଏବଂ କ୍ୱାର୍ଟରରେ ବିଜୟୀ ହୋଇ ସେମି ଫାଇନାଲରେ ପ୍ରବେଶ କରିଥିଲା । ପ୍ରଥମ ଥର ଦଳ ଏଭଳି ସଫଳତା ହାସଲ କରିଥିଲା । କିନ୍ତୁ ରେଲୱେ ଦଳର ସନ୍ତୁଳିତ ବୋଲିଂ ସାମ୍ନାରେ ଓଡ଼ିଶାର ବ୍ୟାଟର ବିଫଳ ହୋଇଥିଲେ, ଫଳରେ ଓଡ଼ିଶା ୩୫ ରନ୍‌ରେ ପରାଜିତ ହୋଇ ଫାଇନାଲ ଖେଳିବାର ସ୍ୱପ୍ନ ଧୂଳିସାତ୍‌ କରିଥିଲା । ନକ୍‌ ଆଉଟ୍‌ରେ ପ୍ରବେଶ କରିବା ପରେ ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍‌ (ଓସିଏ) ଦଳ ପାଇଁ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲା ।

ଲିଗ୍‌ରେ ଅପରାଜେୟ
ଏଲିଟ୍‌ ଗ୍ରୁପ୍‌ ବି’ରେ ଓଡ଼ିଶା, ଝାଡ଼ଖଣ୍ଡ, ତାମିଲନାଡୁ, ତ୍ରିପୁରା, ଛତିଶଗଡ଼ ଓ ବିହାର ସହ ସାମିଲ ରହିଥିଲା । ଲିଗର ସମସ୍ତ ଯାକ ମ୍ୟାଚ୍‌ ଜିତି ଓଡ଼ିଶା ଅପରାଜେୟ ରହିଥିଲା । ସର୍ବାଧିକ ୨୦ ପଏଣ୍ଟ (ନେଟ୍‌ ରନ୍‌ରେଟ୍‌ ୧.୬୬୧) ପାଇ ଗ୍ରୁପ୍‌ ଟପ୍ପର ସହ ନକ୍‌ ଆଉଟ୍‌ରେ ପ୍ରବେଶ କରିଥିଲା ।

ପ୍ରଥମ ମ୍ୟାଚ୍‌ରେ ଓଡ଼ିଶା ଛତିଶଗଡ଼କୁ ୭୧ ରନ୍‌ରେ ପରାଜିତ କରିଥିଲା । ମାଧୁରୀ ମେହେଟା (୬୬) ଓ କାଜଲ ଜେନା (୬୦) ଉଭୟ ଅର୍ଦ୍ଧଶତକ ହାସଲ କରିଥିଲେ । ପ୍ରିୟଙ୍କା ପ୍ରିୟଦର୍ଶିନୀ ୨ଟି ୱିକେଟ୍‌ ହାସଲ କରିଥିଲେ । ଦ୍ୱିତୀୟ ମ୍ୟାଚ୍‌ରେ ଦଳ ବିହାରକୁ ୭ ୱିକେଟ୍‌ରେ ହରାଇଥିଲା । ସୁଜାତା ମଲ୍ଲିକ (୪) ଓ ରାମେଶ୍ୱରୀ ନାଏକ (୩) ଚମତ୍କାର ବୋଲିଂ କରି ଉଭୟ ୭ଟି ୱିକେଟ୍‌ ହାସଲ କରିଥିଲେ।

ତୃତୀୟ ମ୍ୟାଚ୍‌ରେ ତ୍ରିପୁରାକୁ ଓଡ଼ିଶା ୭ ୱିକେଟ୍‌ରେ ହରାଇଥିଲା । ଏହି ମ୍ୟାଚ୍‌ରେ ସୁଜାତା, ରାମେଶ୍ୱରୀ ଓ ସୁଶ୍ରୀ ଦିବ୍ୟଦର୍ଶିନୀ ୨ଟି ଲେଖାଏଁ ୱିକେଟ୍‌ ପାଇଥିଲେ । ମାଧୁରୀ (୨୮), କାଜୋଲ (୨୫) ଭଲ ପ୍ରଦର୍ଶନ କରିଥିଲେ । ଚତୁର୍ଥ ମ୍ୟାଚ୍‌ରେ ଝାଡ଼ଖଣ୍ଡକୁ ୧୬ ରନ୍‌ରେ ହରାଇବା ପରେ ଦଳ ନକ୍‌ଆଉଟ୍‌ରେ ସ୍ଥାନ ସୁରକ୍ଷିତ କରିଥିଲା । କାଜଲ (୩୯) ଓ ସରିତା ମେହେର (୨୮) ଦାୟିତ୍ୱପୂର୍ଣ୍ଣ ବ୍ୟାଟିଂ ଯୋଗୁ ଓଡ଼ିଶା ୩/୧୦୬ ରନ୍‌ କରିଥିଲା । ଝାଡ଼ଖଣ୍ଡ ବ୍ୟାଟର ଓଡ଼ିଶାର ବୋଲିଂ ବାହିନୀଙ୍କୁ ସାମ୍ନା କରିନପାରି ପରାଜିତ ହୋଇଥିଲା । ସୁଜାତା ଓ ପ୍ରିୟଙ୍କା ପ୍ରିୟଦର୍ଶିନୀ ପ୍ରତ୍ୟେକ ୨ଟି କରି ୱିକେଟ୍‌ ପାଇଥିଲେ ।

ଶେଷ ଲିଗ୍‌ ମ୍ୟାଚ୍‌ରେ ଓଡ଼ିଶା ମାତ୍ର ୨ ରନ୍‌ରେ ତାମିଲନାଡୁକୁ ପରାଜିତ କରି ଗ୍ରୁପ୍‌ରେ ଅପରାଜେୟ ରହିଥିଲା । ଏହି ମ୍ୟାଚ୍‌ଟି ବେଶ୍‌ ସଂଘର୍ଷପୂର୍ଣ୍ଣ ହୋଇଥିଲା । ମାଧୁରୀ ଓ କାଜଲ ବିଫଳ ହେବା ପରେ ସରିତା ମେହେରା (୬୧) ଓ ପ୍ରଜ୍ଞା ମହାନ୍ତି (୫୯) ଅପରାଜିତ ଅର୍ଦ୍ଧଶତକ ହାସଲ କରିଥିଲେ । ଫଳରେ ଓଡ଼ିଶା ୩/୧୩୩ ରନ୍‌ କରିଥିଲା । ଜବାବରେ ତାମିଲ ବ୍ୟାଟର ବେଶ୍‌ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ବି ଅଳ୍ପକେ ବିଜୟରୁ ବଞ୍ଚିତ ହୋଇଥିଲା । ପ୍ରିୟଙ୍କା ପ୍ରିୟଦର୍ଶିନୀ ଘାତକ ବୋଲିଂ କରି ୨୪ ରନ୍‌ରେ ୪ଟି ୱିକେଟ୍‌ ପାଇଥିଲେ ।

କ୍ୱାର୍ଟରରେ ଚମତ୍କାର ବିଜୟ

ଓଡ଼ିଶା କ୍ୱାର୍ଟରରେ ହରିଆନାକୁ ଭେଟିଥିଲା । ଓଡ଼ିଶା ପ୍ରଥମେ ବ୍ୟାଟିଂ କରି ମାଧୁରୀଙ୍କ (୬୬) ଅର୍ଦ୍ଧଶତକ ସହାୟତାରେ ୬ ୱିକେଟ୍‌ ହରାଇ ୧୫୧ ରନ୍‌ କରିଥିଲା । ହରିଆନା ୧୫୨ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରି ୮/୧୩୮ ରନ୍‌ରେ ଅଟକି ଯାଇଥିଲା । ସୁଜାତା ଓ ରସନାରା ପରୱିନ ୨ଟି କରି ୱିକେଟ୍‌ ପାଇଥିଲେ । ଓଡ଼ିଶା ବେଶ୍‌ ଶୃଙ୍ଖଳିତ ବୋଲିଂ ପ୍ରଦର୍ଶନ କରି ଶେଷରେ ସେମି ଫାଇନାଲରେ ପ୍ରବେଶ କରିଥିଲା ।

ସେମିରେ ଦଳର ରଣନୀତି ଫେଲ୍‌

ରେଲୱେ ବିପକ୍ଷ ହାଇଭୋଲଟେଜ ମ୍ୟାଚ୍‌ ପାଇଁ ଓଡ଼ିଶା ଯେଉଁ ରଣନୀତି ପ୍ରସ୍ତୁତ କରିଥିଲା ତାହା ଯଥେଷ୍ଟ ନଥିଲା । ଫଳରେ ଦଳ ଉଭୟ ବୋଲିଂ ଓ ବ୍ୟାଟିଂରେ ପୂର୍ବ ପ୍ରଦର୍ଶନ ବଜାୟ ରଖିବାରେ ସଫଳ ହୋଇପାରି ନଥିଲା । ଶେଷରେ ୩୫ ରନ୍‌ରେ ବିଜୟୀ ହୋଇ ରେଲୱେ ଦଳ ଫାଇନାଲରେ ପ୍ରବେଶ କରିଥିଲା । ରେଲୱେ ପ୍ରଥମେ ବ୍ୟାଟିଂ କରି ୨/୧୫୯ ରନ୍‌ କରିଥିବାବେଳେ ଓଡ଼ିଶା ୭/୧୨୪ ରନ୍‌ କରିବାରେ ସମର୍ଥ ହୋଇଥିଲା । ମାଧୁରୀ (୩୫), କାଜଲ (୨୪) ଏବଂ ସୁଶ୍ରୀ (୨୯) ଦଳକୁ ଜିତାଇପାରି ନଥିଲେ ।

ଯାହାବି ହେଉ, ୨୦୨୧-୨୨ ସିଜନରେ ଓଡ଼ିଶା ଶ୍ରେଷ୍ଠ ପ୍ରଦର୍ଶନ ଦେଇଛି । ମାଧୁରୀ, କାଜଲ, ସରିତା, ପ୍ରଜ୍ଞା ଉନ୍ନତ ବ୍ୟାଟିଂ କରିଥିଲେ । ସେମିତି ସୁଜାତା, ରାମେଶ୍ୱରୀ, ସୁଶ୍ରୀ ଓ ପ୍ରିୟଙ୍କାଙ୍କ ବୋଲିଂ ମଧ୍ୟ ଆକର୍ଷଣୀୟ ରହିଥିଲା । ଦଳ ଆଗକୁ ଏଭଳି ପ୍ରଦର୍ଶନ ବଜାୟ ରଖିଲେ ଟାଇଟଲ ହାସଲ କରିବାକୁ ଅଧିକ ସମୟ ଲାଗିବ ନାହିଁ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ