ନୂଆଦିଲ୍ଲୀ ୧୧/୦୨ : କୌଣସି ପ୍ରୋଗ୍ରାମ୍, ଫଙ୍କସନ୍ କିମ୍ବା ପାର୍ଟି ରେ ଝିଅମାନେ ଷ୍ଟାଇଲିସ୍ ଦେଖାଯିବା ପାଇଁ କେଶରେ ଅନେକ ପ୍ରକାରର ହେୟାର ଷ୍ଟାଇଲ କରିଥାନ୍ତି ଏବଂ ତାହାକୁ ପୁଣି ହେୟାର ସ୍ପ୍ରେ ରେ ସେଟ୍ କରିଥାନ୍ତି । ହେୟାର ସ୍ପ୍ରେ ଦ୍ୱାରା କେଶ ଅନେକ ସମୟ ପର୍ଯ୍ୟନ୍ତ ଭଲ ରହିବା ସହିତ ହେୟାର ଷ୍ଟାଇଲ ଖରାପ ହୋଇନଥାଏ । କିନ୍ତୁ ଅନେକ ସମୟରେ ହେୟାର ସ୍ପ୍ରେ ନଥିବା କାରଣରୁ ଝିଅମାନେ ହେୟାର ଜେଲ୍ କିମ୍ବା ଅନ୍ୟ ଜିନିଷ ବ୍ୟବହାର କରିଥାନ୍ତି । ନିକଟରେ ଜଣେ ମହିଳା ହେୟାର ସ୍ପ୍ରେ ନଥିବା କାରଣରୁ କେଶରେ ଗୋରିଲ୍ଲା ଗ୍ଲୁ ଲଗାଇବାର ଭୁଲ କରିଦେଇଥିଲେ । ଏହି ଭୁଲ ତାଙ୍କ ଉପରେ ସେତେବେଳେ ଭାରି ପଡିଯାଇଥିଲା ଯେତେବେଳେ ତାଙ୍କ କେଶ ମୁଣ୍ଡ ଖପୁରି ସହିତ ଲାଗିଯାଇଥିଲା ।
ଏହି ଘଟଣା ଆମେରିକାର ଲୁଇସିଆନାରେ ରହୁଥିବା ଟେସିକା ବ୍ରାଉନଙ୍କ ସହିତ ଘଟିଛି । ଯିଏକି ସୋସିଆଲ ମିଡିଆରେ ନିଜେ ଏକ ଭିଡିଓ ସେୟାର କରି ଏହାର ସୂଚନା ଦେଇଛନ୍ତି । ଏକ ମାସ ପରେ ମଧ୍ୟ ତାଙ୍କ କେଶ ଭଲ ହୋଇନାହିଁ ଏବଂ ଏବେବି ତାଙ୍କର ଚିକିତ୍ସା ଚାଲିଛି ।
ଭିଡିଓ ସେୟାର କରି ଟେସିକା କହିଛନ୍ତି ଯେ ତାଙ୍କ କେଶ ପ୍ରାୟ ଏକ ମାସ ଧରି ଖପୁରୀରେ ଲାଗିରହିଛି କାରଣ ସେ ଭୁଲରେ ଗୋରିଲ୍ଲା ଗ୍ଲୁ ଲଗାଇ ଦେଇଥିଲେ । ସେ କହିଛନ୍ତି, ‘ମୋର କେଶ, ଆଦୌ ହଲୁନାହିଁ । ଏହା ଏପଟ ସେପଟ ବି ହେଉନାହିଁ ‘ ।
ଭିଡିଓରେ ସେ କେଶକୁ ସାମ୍ପୁ ରେ ମଧ୍ୟ ଧୋଇଛନ୍ତି କିନ୍ତୁ ତାହା ଉପରେ କୌଣସି ପ୍ରଭାବ ପଡି ନାହିଁ । ସେ କହିଛନ୍ତି ତାଙ୍କ ପାଖରେ ହେୟାର ସ୍ପ୍ରେ ନଥିଲା ଏବଂ ସେ ଗୋରିଲ୍ଲା ଗ୍ଲୁ କୁ ବ୍ୟବହାର କରିଥିଲେ ଯାହା ତାଙ୍କର ସବୁଠାରୁ ବଡ଼ ଭୁଲ ହୋଇଥିଲା । ସେ କେଶକୁ ୨୫ଥର ଧୋଇଥିଲେ ମଧ୍ୟ କୌଣସି ପରିବର୍ତ୍ତନ ଦେଖାଯାଇ ନଥିଲା । ଏବେ ତାଙ୍କ କେଶରେ ସୁଧାର ଆସୁଥିବାର ଡକ୍ଟର କହିଛନ୍ତି ।
ଗୋରିଲ୍ଲା ଗ୍ଲୁ ସମ୍ପୂର୍ଣ ଭାବରେ ୱାଟରପ୍ରୁଫ ଅଟେ, ଯାହାକୁ ବାଥରୁମ ଟାଇଲସ, କାଠ ଚଟାଣ , ଡେକିଙ୍ଗ ଭଳି ଜିନିଷକୁ ଯୋଡ଼ିବାରେ ବ୍ୟବହାର କରାଯାଇଥାଏ । ନିଜେ ଆପଣ ଅନୁମାନ କରିପାରୁଥିବେ ଏହା କେତେ ଶକ୍ତିଶାଳୀ ହୋଇଥିବା, ତେଣୁ ଏହାକୁ କେବଳ କେଶ ନୁହେଁ ବରଂ ଶରୀରର କୌଣସି ଅଙ୍ଗରେ ମଧ୍ୟ ବ୍ୟବହାର କରନ୍ତୁ ନାହିଁ ।