ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ମହାରାଷ୍ଟ୍ର ରାଜନୈତିକ ସଂକଟର ପୂରା ଘଟଣାକ୍ରମ ଏମିତି; ୨୦୨୨ ଜୁନରୁ ହୋଇଥିଲା ଆରମ୍ଭ….

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଗତକାଲି ୨୦୨୨-ମହାରାଷ୍ଟ୍ର ରାଜନୈତିକ ସଙ୍କଟ ପ୍ରସଙ୍ଗରେ ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ରାୟ ଏକନାଥ ସିନ୍ଦେ-ବିଜେପି ସରକାରକୁ ଆଜି ବଡ଼ ଆଶ୍ବସ୍ତି ପ୍ରଦାନ କରିଛି। କୋର୍ଟ କହିଛନ୍ତି, ମହାରାଷ୍ଟ୍ରରେ ଆମେ ମହା ବିକାଶ ଅଘାଡ଼ି (ଏମ୍‌ଭିଏ) ସରକାରକୁ ପୁନଃ ଅବସ୍ଥାପିତ କରିପାରିବୁ ନାହିଁ। ରାଜନୈତିକ ସଙ୍କଟ ଭିତରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ସ୍ବେଚ୍ଛାକୃତ ଭାବେ ଇସ୍ତଫା ଦେଇଛନ୍ତି। ଠାକ୍‌ରେ ଆସ୍ଥା ଭୋଟ୍‌ ସାମ୍ନା ନକରି ଇସ୍ତଫା ଦେଇଥିବାରୁ ଆମେ ଏ କ୍ଷେତ୍ରରେ ତାଙ୍କୁ କୌଣସି ଆଶ୍ବସ୍ତି ପ୍ରଦାନ କରିପାରିବୁ ନାହିଁ। ଯେହେତୁ ଆମେ ଉଦ୍ଧବଙ୍କ ଇସ୍ତଫା ରଦ୍ଦ କରିପାରିବୁନି, ତେଣୁ ଏମ୍‌ଭିଏ ସରକାର ପୁଣିଥରେ କ୍ଷମତାକୁ ଆସିପାରିବ ନାହିଁ। ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ ଏମ ଆର ଶାହ, କ୍ରୀଷ୍ଣା ମୁରାରି, ହିମା କୋହଲି ଏବଂ ପିଏସ୍‌ ନରସିଂହଙ୍କ ୫ ଜଣିଆ ଖଣ୍ଡପୀଠରେ ଆଜି ଏହି ମାମଲାର ଶୁଣାଣି ହୋଇଥିଲା। ଆସନ୍ତୁ ଜାଣିବା ୨୦୨୨ ମସିହା ଜୁନ୍ ୨୦ରୁ ଆରମ୍ଭ ହୋଇଥିବା ମହାରାଷ୍ଟ୍ର ରାଜନୈତିକ ସଂକଟର ସଂପୂର୍ଣ୍ଣ ଘଟଣାକ୍ରମ।

ରାଜନୈତିକ ସଙ୍କଟର ଘଟଣାକ୍ରମ

ଜୁନ୍‌ ୨୦, ୨୦୨୨: ମହାରାଷ୍ଟ୍ର ବିଧାନ ପରିଷଦ ନିର୍ବାଚନ ହେଲା। ଭୋଟ୍‌ ଗ୍ରହଣ ପରେ ବରିଷ୍ଠ ଶିବସେନା ନେତା ଏକନାଥ ସିନ୍ଦେ ଅନ୍ତର୍ଧାନ ହୋଇଗଲେ। ପରେ ଜଣାପଡ଼ିଲା ଯେ ସିନ୍ଦେ ଏବଂ ଅନ୍ୟ ୧୧ ଜଣ ବିଧାୟକ ସୁରଟରେ ଅଛନ୍ତି।

ଜୁନ୍‌ ୨୧: ବିଧାନ ପରିଷଦ ନିର୍ବାଚନରେ କ୍ରସ୍‌ ଭୋଟିଂ ହୋଇଥିବା ସନ୍ଦେହ କରି ଉଦ୍ଧବ ଠାକ୍‌ରେ ସମସ୍ତ ଶିବସେନା ବିଧାୟକଙ୍କ ବୈଠକ ଡାକିଲେ। ଶିବସେନା ବିଧାୟକ ଦଳ ନେତା ପଦରୁ ସିନ୍ଦେଙ୍କୁ ହଟାଗଲା ।

ଜୁନ୍‌ ୨୨: ସିନ୍ଦେ ଏବଂ ଅନ୍ୟ ୪୦ ଜଣ ବିଧାୟକ ସୁରଟରୁ ଅନ୍ୟ ଏକ ବିଜେପି ଶାସିତ ରାଜ୍ୟ ଆସାମର ଗୌହାଟୀକୁ ଗଲେ।

ଜୁନ୍‌ ୨୩: ବିଦ୍ରୋ‌ହୀ ଗୋଷ୍ଠୀଙ୍କ ଦ୍ବାରା ସିନ୍ଦେଙ୍କୁ ଶିବସେନା ବିଧାୟକ ଦଳର ନେତା ଘୋଷଣା କରାଗଲା। ବିଧାନସଭା ଉପବାଚସ୍ପତି ନରହରି ଜିରୱାଲ ୧୬ ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବାପାଇଁ ନୋଟିସ ପଠାଇଲେ। ସେହି ସମାନ ଦିନ ଉଦ୍ଧବ ଠାକ୍‌ରେ ଦକ୍ଷିଣ ମୁମ୍ବାଇ ସ୍ଥିତ ତାଙ୍କ ସରକାରୀ ବାସଭବନ ‘ବର୍ଷା’ ଛାଡ଼ି ମାତୋଶ୍ରୀକୁ ଗଲେ। ମାତୋଶ୍ରୀ ହେଉଛି ଠାକ୍‌ରେ ପରିବାରର ଘରୋଇ ବଙ୍ଗଳା।

ଜୁନ୍‌ ୨୬: ଜିରୱାଲଙ୍କ ବିରୋଧରେ ଅନାସ୍ଥା ଭୋଟ୍‌ ପ୍ରତ୍ୟାଖ୍ୟାନକୁ ଚ୍ୟାଲେଂଜ କରି ସିନ୍ଦେ ଗୋଷ୍ଠୀ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେଲେ ।

ଜୁନ୍‌ ୨୯: ଉଦ୍ଧବ ଠାକ୍‌ରେ ମୁଖ୍ୟମନ୍ତ୍ରୀ ଭାବେ ଇସ୍ତଫା ଦେଲେ।

ଜୁନ୍‌ ୩୦: ଉଦ୍ଧବ ଠାକ୍‌ରେ ମୁଖ୍ୟମନ୍ତ୍ରୀ ଭାବେ ଇସ୍ତଫା ଦେବାର ୨୪ ଘଣ୍ଟା ମଧ୍ୟରେ ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ଏବଂ ଦେବେନ୍ଦ୍ର ଫଡ଼ନାବିସ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ।

ଜୁଲାଇ ୩-୪: ୨ ଦିନିଆ ସ୍ବତନ୍ତ୍ର ବିଧାନସଭା ଅଧିବେଶନ ବସିଲା। ବିଜେପି ବିଧାୟକ ରାହୁଲ ନର୍ବେକର ବାଚସ୍ପତି ନିର୍ବାଚିତ ହେଲେ।

ଜୁଲାଇ ୪: ସିନ୍ଦେ ୧୬୪ ଭୋଟ୍‌ ସହ ବିଧାନସଭାରେ ଆସ୍ଥା ଭୋଟ୍‌ ଜିତିଲେ। ତାଙ୍କ ବିରୋଧରେ ୯୯ଟି ଭୋଟ୍‌ ମିଳିଥିଲା।

ଅକ୍ଟୋବର ୮: ନଭେମ୍ବର ୩ରେ ଅନ୍ଧେରି (ପୂର୍ବ) ବିଧାନସଭା ଉପନିର୍ବାଚନର ଅବ୍ୟବହିତ ପୂର୍ବରୁ ନିର୍ବାଚନ କମିସନ ଶିବସେନାର ‘ଧନୁ ଏବଂ ତୀର’ ନିର୍ବାଚନ ଚିହ୍ନକୁ ଅଚଳ କରିଦେଲେ। ଠାକ୍‌ରେ ଗୋଷ୍ଠୀକୁ ମଶାଲ ଚିହ୍ନ ଏବଂ ‘ଶିବସେନା-ଉଦ୍ଧବ ବାଲାସାହେବ ଠାକ୍‌ରେ’ ନାମ ମିଳିଲା। ସିନ୍ଦେ ଗୋଷ୍ଠୀକୁ ‘ବାଲାସାହେବାଞ୍ଚି ଶିବସେନା’ ନାମ ଏବଂ ୨ଟି ଖଣ୍ଡା ଓ ଢାଲ ଚିହ୍ନ ମିଳିଥିଲା।

‌ଫେବ୍ରୁଆରି ୧୭,୨୦୨୩: ଦଳର ନାମ ‘ଶିବସେନା’ ଏବଂ ଦଳର ଚିହ୍ନ ‘ଧନୁ ଏବଂ ତୀର’ ଏକନାଥ ସିନ୍ଦେ ଗୋଷ୍ଠୀ ପାଖରେ ରହିବ ବୋଲି ନିର୍ବାଚନ କମିସନ ନିର୍ଦ୍ଦେଶ ଦେଲେ।

ଫେବ୍ରୁଆରି ୨୦: ବିଧାନ ଭବନରେ ଶିବସେନା ଦଳର ‌ଲେଜିସଲେଟିଭ ଅଫିସ ସିନ୍ଦେ ଗୋଷ୍ଠୀକୁ ଦିଆଗଲା।

‌ମେ’ ୧୧: ସୁପ୍ରିମକୋର୍ଟ କହିଲେ ଉଦ୍ଧବ ଠାକ୍‌ରେ ଆସ୍ଥା ଭୋଟ୍‌ ସାମ୍ନା କରିନଥିବାରୁ ଏମ୍‌ଭିଏ ସରକାରକୁ ପୁନଃ ଅବସ୍ଥାପିତ କରାଯାଇପାରିବନି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ