ଦେଶ ବିଦେଶ

ମହାରାଷ୍ଟ୍ରରେ ଅସଲି/ନକଲିର ଖେଳ

ନୂଆଦିଲ୍ଲୀ: ବିଜେପିକୁ କ୍ଷମତାରୁ ହଟାଇବା ଲାଗି ଶରଦ ପାୱାରଙ୍କ ଏନ୍‌ସିପି ଏବଂ ଉଦ୍ଧବ ଠାକରେଙ୍କ ଶିବସେନା ହାତ ମିଳାଇଥିଲେ। କିନ୍ତୁ ଆଜିର ଦିନରେ ଏହି ଦୁଇ ନେତାଙ୍କ ହାତରେ ସେମାନଙ୍କର ଦଳ ଆଉ ନାହିଁ। ଏହି ଦୁଇ ଦଳର ଅଧିକାଂଶ ସାଂସଦ/ବିଧାୟକ ଏହି ଦୁଇ ନେତାଙ୍କୁ ଛାଡ଼ି ବିଜେପି ସହ ହାତ ମିଳାଇ କ୍ଷମତା ଦଖଲ କରିଛନ୍ତି।

ବାଲ୍ ଠାକ୍‌ରେ ଯେଉଁ ଶିବ ସେନା ଦଳ ଗଢ଼ି ନିଜ ପୁଅ ଉଦ୍ଧବଙ୍କ ହାତରେ ଧରାଇଥିଲେ, ସେହି ଶିବ ସେନା ଆଉ ନାହିଁ। ଏହି ଦଳକୁ ଉଦ୍ଧବଙ୍କ ହାତରୁ ଛଡ଼ାଇ ନେଇଛନ୍ତି ତାଙ୍କର ଘନିଷ୍ଠ ସହଯୋଗୀ ଏକନାଥ ସିନ୍ଦେ। ୨୦୨୨ରେ ବିଦ୍ରୋହ କରି ଉଦ୍ଧବ ଠାକରେଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇ ସେ ନିଜେ ଏବେ ମୁଖ୍ୟମନ୍ତ୍ରୀ ପଦବିରେ ଆସୀନ। ତାଙ୍କ ନେତୃତ୍ବାଧୀନ ଗୋଷ୍ଠୀକୁ ନିର୍ବାଚନ କମିସନ ପ୍ରକୃତ ଶିବ ସେନା ବୋଲି ମାନ୍ୟତା ପ୍ରଦାନ କରିଛନ୍ତି। ସେ ମୁଖ୍ୟମନ୍ତ୍ରୀ ‌ହେବା ସହିତ ସେନାର ମୁଖ୍ୟ ମଧ୍ୟ ଅଛନ୍ତି। ଉଦ୍ଧବଙ୍କ ପାଖରେ ସେନାର ୧୮ ଲୋକସଭା ସଭ୍ୟଙ୍କ ମଧ୍ୟରୁ ମାତ୍ର ୬ ଏବଂ ୫୬ ଜଣ ବିଧାୟକଙ୍କ ମଧ୍ୟରୁ ମାତ୍ର ୧୭ ଜଣ ରହିଛନ୍ତି। ଅନ୍ୟମାନେ ସବୁ ସିନ୍ଦେଙ୍କ ଶିବିରରେ। ପିତା ଗଢ଼ିଥିବା ଦଳ ତାଙ୍କ ହାତରୁ ଖସିଯିବା ପରେ ତ‌ାଙ୍କ ଗୋଷ୍ଠୀକୁ ଶିବ ସେନା (ୟୁବିଟି) କୁହାଯାଉଛି। ତାଙ୍କ ଦଳର ଚିହ୍ନ ମଧ୍ୟ ଅଲଗା। ଆସନ୍ତା ଲୋକସଭା ନିର୍ବାଚନରେ‌ ଉଦ୍ଧବ ନୂଆ ଦଳ ଓ ନୂଅା ଚିହ୍ନ ସହିତ ଲଢ଼େଇ କରିବେ। ତାଙ୍କର ଯୁକ୍ତି ହେଉଛି ଯେ ତାଙ୍କ ଦଳ ହେଉଛି ଅସଲି ଶିବ ସେନା। କିନ୍ତୁ ନିର୍ବାଚନ ଫଳାଫଳ ହିଁ ସ୍ପଷ୍ଟ କରିବ କିଏ ଅସଲି, କିଏ ନକଲି। ତାଙ୍କର ସ୍ବଚ୍ଛ ଭାବମୂର୍ତ୍ତି ଏବଂ ଲୋକପ୍ରିୟତାକୁ ଆଧାର କରି ଶିବ ସେନା (ୟୁବିଟି) ନିର୍ବାଚନ ଲଢ଼ିବାକୁ ଯାଉଛି। ସେହିଭଳି କଂଗ୍ରେସରୁ ଅଲଗା ହୋଇ ୧୯୯୯ରେ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ବା ଏନ୍‌ସିପି ଗଠନ କରିଥିବା ମହାରାଷ୍ଟ୍ରର ‘ଷ୍ଟ୍ରଙ୍ଗମ୍ୟାନ୍’ ରୂପେ ପରିଚିତ ଶରଦ ପାୱାରଙ୍କର ବି ସମାନ ଅବସ୍ଥା।

ସେ ନିଜେ ଗଠନ କରିଥିବା ଦଳ ଆଉ ତାଙ୍କ ପାଖରେ ନାହିଁ। ତାଙ୍କ ହାତରୁ ଦଳକୁ ଛଡ଼ାଇ ନେଇଛନ୍ତି ତାଙ୍କର ପୁତୁରା ଅଜିତ ପାୱାର। ଅଜିତ ପାୱାର ମହାରାଷ୍ଟ୍ରରେ ବିଜେପି ସହ ହାତ ମିଳାଇ ଉପମୁଖ୍ୟମନ୍ତ୍ରୀ ହୋଇଛନ୍ତି। ତାଙ୍କ ସହିତ ଦଳର ଅଧିକାଂଶ ସାଂସଦ ଓ ବିଧାୟକ ମଧ୍ୟ ଶରଦ ପାୱାରଙ୍କୁ ତ୍ୟାଗ କରିଛନ୍ତି। ୫୪ ଜଣ ବିଧାୟକଙ୍କ ମଧ୍ୟରୁ ୪୧ ଜଣ ଅଜିତ ଗୋଷ୍ଠୀରେ ସାମିଲ ହୋଇଯାଇଛନ୍ତି। ଶରଦଙ୍କ ସହିତ ରହିଯାଇଛନ୍ତି ମାତ୍ର ୧୨ ଜଣ ବିଧାୟକ। ତାଙ୍କ ଆଖି ସାମନାରେ ଏତେସବୁ ଘଟିଯାଇଥିଲେ ମଧ୍ୟ ସେ ଅସହାୟ ଅବସ୍ଥାରେ ଅଛନ୍ତି। ନିର୍ବାଚନ କମିସନ ତାଙ୍କ ପିଟିସନ ଖାରଜ କରିଦେଇ ଅଜିତଙ୍କ ଗୋଷ୍ଠୀକୁ ପ୍ରକୃତ ଏନ୍‌ସିପି ଘୋଷଣା କରିବା ସହିତ ଏହାର ଚିହ୍ନକୁ ମଧ୍ୟ ଅଜିତଙ୍କୁ ଧରାଇଦେଇଛି। ଶରଦଙ୍କୁ ଏବେ ନୂଆ ଦଳ ଓ ନୂଆ ଚିହ୍ନ ସହିତ ନିର୍ବାଚନ ଲଢ଼ିବାକୁ ପଡ଼ିବ। ଯେଉଁ ଦଳକୁ ସେ ଗଢ଼ିଥିଲେ, ନିର୍ବାଚନରେ ସେହି ଦଳ ବିରୋଧରେ ଲଢ଼ିବେ। ଦୀର୍ଘ ୬୫ ବର୍ଷରୁ ଅଧିକ ସମୟ ଧରି ରାଜନୀତିରେ ସକ୍ରିୟ ଥିବା ପାୱାର ୪ ଥର ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଦାୟିତ୍ବ ତୁଲାଇବା ସହିତ ଦୁଇ ଥର କେନ୍ଦ୍ର ମନ୍ତ୍ରୀ ମଧ୍ୟ ଥିଲେ। ଦୀର୍ଘ ଦିନର ରାଜନୈତିକ ଅଭିଜ୍ଞତା ସତ୍ତ୍ବେ ନିଜ ଜୀବନକାଳରେ ଏମିତି ଦୁର୍ଦିନ ଆସିବ ବୋଲି ସେ କେବେହେଲେ ଭାବି ନଥିଲେ। ତାଙ୍କ ଦଳ ପ୍ରକୃତ ଏନ୍‌ସିପି ବୋଲି ସେ ଦାବି କରୁଛନ୍ତି। କିନ୍ତୁ ତାଙ୍କ ଦାବିରେ କେତେ ଦମ୍ ରହିଛି, ତାହା ନିର୍ବାଚନ ହିଁ ସ୍ଥିର କରିବ। ସୂଚନାଯୋଗ୍ୟ ଯେ ୨୦୧୯‌େର ବିଜେପି ସହ ସଂପର୍କ ଛିନ୍ନ କରି ଶିବ ସେନା ମୁଖ୍ୟ ଉଦ୍ଧବ ଠାକରେ କଂଗ୍ରେସ ଏବଂ ଶରଦ ପାୱାରଙ୍କ ଏନ୍‌ସିପି ସହ ହାତ ମିଳାଇ ସରକାର ଗଠନ କରିଥିଲେ। ଉଦ୍ଧବ ମୁଖ୍ୟମନ୍ତ୍ରୀ ହୋଇଥିଲେ। କିନ୍ତୁ ୨୦୨୨ରେ ସିନ୍ଦେଙ୍କ ନେତୃତ୍ବରେ ଶିବ ସେନାର ଏକ ଗୋଷ୍ଠୀ ବିଦ୍ରୋହ କରି ଉଦ୍ଧବ ସରକାରର ପତନ ଘଟାଇଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ