ନୂଆଦିଲ୍ଲୀ ୨୬/୧୧ : କରୋନା ମହାମାରୀ ସମୟରେ ସ୍ବାସ୍ଥ୍ୟର ଯତ୍ନ ନିତାନ୍ତ ଆବଶ୍ୟକ । ଏଥିପାଇଁ ଡାକ୍ତର ଅନେକ ପରାମର୍ଶ ଦେଉଛନ୍ତି । ଘରେ ରହି ବିଭିନ୍ନ ପ୍ରକାର ବ୍ୟାୟାମ କରିବା ସହିତ ସ୍ବାସ୍ଥ୍ୟପ୍ରତି ସମ୍ବେଦନଶୀଳ ହେବାକୁ ପରାମର୍ଶ ଦେଉଛନ୍ତି ଡାକ୍ତର । ଏହାରି ମଧ୍ୟରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଆଉ ଏକ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛି । WHO କହିଛି ଯେ, ଖାସ କରି ଯୁବକ-ଯୁବତୀମାନେ ସପ୍ତାହକୁ ଅତିକମରେ ୧୫୦ ମିନିଟ୍ ଶାରୀରିକ କାର୍ଯ୍ୟକଳାପ କରିବା ଆବଶ୍ୟକ । ଏହା ପରାମର୍ଶ ଦେଇଛି ଯେ ଶିଶୁ ଏବଂ କିଶୋରମାନେ ଦୈନିକ ହାରାହାରି ଏକ ଘଣ୍ଟା ଶାରୀରିକ ବ୍ୟାୟାମ କରନ୍ତୁ ଏବଂ ଇଲେକ୍ଟ୍ରୋନିକ୍ ସ୍କ୍ରିନ୍ ଗେଜେଟ୍ ଠାରୁ ଦୂରେଇ ରୁହନ୍ତୁ ।
ସମସ୍ତ ବୟସର ବ୍ୟକ୍ତିମାନେ ରୋଗରୁ ଦୂରେଇ ରହିବା ଏବଂ ସେମାନଙ୍କ ଜୀବନକାଳ ବଢାଇବା ପାଇଁ ଶାରୀରିକ କସରତ କରିବା ନିହାତି ଆବଶ୍ୟକ । ଏଥିପାଇଁ WHO “ଏଭ୍ରି ମୁଭ୍ କାଉଣ୍ଟସ” ନାମରେ ଏକ ଅଭିଯାନ ଆରମ୍ଭ କରିଛି | ଶାରୀରିକ କସରତ କରିବା ଦ୍ବାରା କେବଳ ହୃଦ୍ ରୋଗ, ଟାଇପ୍-୨ ମଧୁମେହ ଏବଂ କର୍କଟ ରୋଗକୁ ରୋକିବାରେ ତଥା ପରିଚାଳନାରେ ସାହାଯ୍ୟ କରେ ତାହା ନୁହେଁ ବରଂ ଏହା ଉଦାସୀନତା ଏବଂ ଚିନ୍ତାକୁ ମଧ୍ୟ ହ୍ରାସ କରିଥାଏ ବୋଲି WHO ନିର୍ଦ୍ଦେଶକ ରୁଏଡିଗର୍ କ୍ରେଚ୍ କହିଛନ୍ତି ।
WHO ର ଫିଜିକାଲ ଏକ୍ସରସାଇଜ୍ ୟୁନିଟର ମୁଖ୍ୟ ଫିଓନା ବୁଲ କହିଛନ୍ତି ଯେ ପ୍ରତ୍ୟେକ ଦିନ ସକ୍ରିୟ ରହିବା କେବଳ ଆମ ଶରୀର ନୁହେଁ ଆମର ମାନସିକ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଭଲ ଅଟେ । ଯେଉଁମାନେ ଦୀର୍ଘ ଘଣ୍ଟା ବସିକି କାର୍ଯ୍ୟ କରନ୍ତି, କିମ୍ବା ଅଫିସରେ କାମ କରନ୍ତି ସେମାନେ ଶାରୀରିକ ବ୍ୟାୟାମ କରିବା ନିହାତି ଆବଶ୍ୟକ । ଗର୍ଭବତୀ ମହିଳା ଏବଂ ପ୍ରସବ ପରବର୍ତ୍ତୀ ମା ମାନେ ସପ୍ତାହକୁ ଅତିକମରେ ୧୫୦ ରୁ ୩୦୦ ମିନିଟ ଶରୀରିକ ବ୍ୟାୟମ କରିବା ଲାଭଦାୟକ ।
