ମହାନଦୀକୁ ନେଇ ପୁଣି ଆରମ୍ଭ ହୋଇଛି ଆନ୍ଦୋଳନ । କଟକରୁ କଲମା ବ୍ୟାରେଜ ଯାତ୍ରା କରିଛନ୍ତି ଜଳପୁରୁଷ ରାଜେନ୍ଦ୍ର ସିଂ । ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସଙ୍କ ନେତୃତ୍ୱରେ ମହାନଦୀ ଯାତ୍ରା କରାଯାଇଛି । ଫଳରେ ମହାନଦୀକୁ ନେଇ ବିବାଦ କିଛି ଦିନ ଥମି ଯାଇଥିବା ବେଳେ ପୁଣି ଏହି ପ୍ରସଙ୍ଗ ଚର୍ଚ୍ଚାକୁ ଆସିଛି । ଆନ୍ଦୋଳନର ସଦସ୍ୟମାନେ କଲମାଠାରେ ମହାନଦୀ ପରିଦର୍ଶନ କରିବା ସହ ମହାନଦୀର ପ୍ରବେଶ ପଥ ଶୁଖାସୋଡାରେ ଶୁଖିଲା ନଦୀଶଯ୍ୟା ଦେଖିଛନ୍ତି ।
ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସ କହିଛନ୍ତି ରାଜନୈତିକ ସୁବିଧାବାଦ ପାଇଁ ନୁହଁ ମହାନଦୀ ସୁରକ୍ଷା ପାଇଁ ଦୃଢ ପଦକ୍ଷେପ ନେବା ଆବଶ୍ୟକ । ଓଡ଼ିଶାର ଚାଷୀ, ମତ୍ସ୍ୟଜୀବୀ ଏବେ ଗୁରୁତର ସଙ୍କଟର ସମ୍ମୁଖୀନ ହେଉଥିବାରୁ ଛତିଶଗଡ଼ର କଲମାଠାରେ ଅତିକମରେ ୫ଟି ଗେଟ୍ ଖୋଲିବା ପାଇଁ ଦାବି କରିଛନ୍ତି । ସୁଦର୍ଶନ ଦାସ ମହାନଦୀ ବଂଚାଅ ଆନ୍ଦୋଳନର ଆବାହକ ସମେତ ଜଣେ କଂଗ୍ରେସ ନେତା । ଛତିଶଗଡ଼ରେ ଏବେ କଂଗ୍ରେସ ସରକାର ରହିଛି । ତେଣୁ ତୁରନ୍ତ ଗେଟ୍ ଖୋଲିବା ପାଇଁ କଂଗ୍ରେସ ଛତିଶଗଡ଼ ସରକାରଙ୍କ ନିକଟରେ ଦାବି କରୁନି କାହିଁକି ? ଅନ୍ୟପଟେ ବିଭିନ୍ନ ସମୟରେ ବିଜେପି ମଧ୍ୟ ମହାନଦୀ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରୁଛି ।
ଏହାରି ଭିତରେ ଗତକାଲି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତଙ୍କୁ ସାକ୍ଷାତ କରିଥିଲେ । ଶୁଷ୍କ ପ୍ରାଚୀ ନଦୀର ପୁନରୁଦ୍ଧାର ପାଇଁ ମନ୍ତ୍ରୀଙ୍କ ନିକଟରେ ଦାବି କରିଥିଲେ । ଅଧପନ୍ତରିଆ ହୋଇ ପଡ଼ି ରହିଥିବା ପ୍ରକଳ୍ପର କାଯ୍ୟକାରିତା ଦିଗରେ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ । ହେଲେ ମହାନଦୀ ପ୍ରସଙ୍ଗରେ କିଛି ବି ଆଲୋଚନା କରିନଥିଲେ ଅପରାଜିତା । ଆଉ ରହିଲା ବିଜେଡି କଥା । ଦଳ ପକ୍ଷରୁ ବିଭିନ୍ନ ସମୟରେ ମହାନଦୀ ବଞ୍ଚାଅ ଆନ୍ଦୋଳନ କରାଯାଇଛି । ଟ୍ରିବ୍ୟୁନାଲରେ ମାମଲା ଗଡୁଛି । ଆଲୋଚନା ପାଇଁ ପୂର୍ବରୁ ଥାଟବାଟ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ବାହାର ରାଜ୍ୟକୁ ଯାଇଛନ୍ତି ।
ଆଉ ନିର୍ବାଚନ ପୂର୍ବରୁ ଏହି ପ୍ରସଙ୍ଗୁ ଜୋରଦାର ଭାବେ ଉଠାଇ ଆସିଛି । ଏବେ କିନ୍ତୁ ଖରା ଦିନେ ନଦୀ ଗର୍ଭ ଶୁଖିଲା ପଡ଼ିଥିବା ବେଳେ ଦଳ ପକ୍ଷରୁ ଏନେଇ କିଛି ବି କାର୍ଯ୍ୟକ୍ରମ ନାହିଁ । ପ୍ରକୃତରେ ଓଡ଼ିଶାର ଜୀବନରେଖା କୁହାଯାଉଥିବା ମହାନଦୀ ପ୍ରତି ଏହି ରାଜନୈତିକ ଦଳ ଗୁଡ଼ିକର ଆନ୍ତ