ରାଜ୍ୟ ସ୍ପେଶାଲ ରିପୋର୍ଟ

ମମିତା ମେହେର ହତ୍ୟା ମାମଲା: ଗୋବିନ୍ଦଙ୍କ ଆତ୍ମହତ୍ୟା, ଜେଲ୍ ଭିତରେ ମୃତ୍ୟୁକୁ ନେଇ ହଙ୍ଗାମା

କଣ୍ଟାବାଞ୍ଜି/ ଭବାନୀପାଟଣା: ବହୁଚର୍ଚ୍ଚିତ କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନ୍‌ସାଇନ୍ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଆଜି ଆତ୍ମହତ୍ୟା କରିଛନ୍ତି। ଆଜି ସେ କୋର୍ଟରେ ହାଜର ହେବାର ଥିଲା। ଏହା ପୂର୍ବରୁ କଣ୍ଟାବାଞ୍ଜି ଉପକାରାଗାର ପରିସରରେ ସକାଳ ପ୍ରାୟ ୮ଟା ୩୦ରେ ହାଜତ ପଛ ପଟେ ରୋଷେଇ ଘର ପାଖରେ ଥିବା କଦମ୍ବ ଗଛରେ ନିଜ ଦୁଇଟି ଗାମୁଛା ଯୋଡ଼ି ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା କୁହାଯାଇଛି। ଜେଲ କର୍ତ୍ତୃପକ୍ଷ ତାଙ୍କୁ ଉଦ୍ଧାର କରି ହସ୍ପିଟାଲ ନେବା ବେଳକୁ ମୃତ୍ୟୁ ଘଟିସାରିଥିଲା। ତେବେ ଏହି ଘଟଣାର ତଦନ୍ତ କରୁଥିବା ଜେଲ୍ ଡିଆଇଜି ଭିନ୍ନ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ତଦନ୍ତ ବେଳେ ଜଣାପଡ଼ିଛି ଯେ ଗୋବିନ୍ଦ ଗଛରେ ନୁହେଁ, ବରଂ ରୋଷେଇ ଘର ପାଖ ଝରକାରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଛନ୍ତି।

ସେପଟେ ଗୋବିନ୍ଦ ମୃତ୍ୟୁ ପରେ ସନ୍ଧ୍ୟାରେ କଣ୍ଟାବାଞ୍ଜି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଫରେନ୍‌ସିକ ଟିମ ଓ ପୁଲିସ୍‌ ଉପସ୍ଥିତିରେ ମୃତଦେହ ପଞ୍ଚନାମା କରାଯାଇଥିଲା। ତେବେ ଏହି ସମୟରେ ଗୋବିନ୍ଦଙ୍କ ପକେଟ୍‌ରୁ ଦୁଇ ପୃଷ୍ଠାର ସୁଇସାଇଡ ନୋଟ ମିଳିଥିବା ପରିବାର ଲୋକେ କହିଛନ୍ତି। ଏହି ସୁଇସାଇଡ ନୋଟ ଏବେ ସମସ୍ତଙ୍କ ନିଦ ହଜାଇ ଦେଇଛି। ଏଥିରେ କ’ଣ ଲେଖା ହୋଇଛି ଓ ତାଙ୍କ ମୃତ୍ୟୁ ପାଇଁ କେଉଁମାନେ ଦାୟୀ ସମ୍ଭବତଃ ଏ ସଂପର୍କରେ ଲେଖା ଯାଇପାରିଥାଏ ବୋଲି କୁହାଯାଉଛି। ତେବେ ପୁଲିସ୍‌ ଏହି ସୁଇସାଇଡ୍‌ ନୋଟକୁ ଚପାଇବ ନା’ ତଦନ୍ତ ପରିସରକୁ ଆଣିବ ବୋଲି ପରିବାର ଲୋକେ ସନ୍ଦେହ ପ୍ରକାଶ କରିଛନ୍ତି। ତେବେ ଏନେଇ ପୁଲିସ ମୁହଁ ଖୋଲୁ ନାହିଁ।

ଏହି ପ୍ରସଙ୍ଗଟି ସହିତ ମୂଳରୁ ରାଜନୈତିକ ନେତାଙ୍କ ଲିଙ୍କ୍‌ ରହିଥିବା କାରଣରୁ ପୁଣି ଥରେ ଆଜିର ଘଟଣା ପୂରା ରାଜ୍ୟରେ ଚହଳ ପକାଇ ଦେଇଛି। ଏଥିସହିତ ଗୋବିନ୍ଦ ମୃତ୍ୟୁକୁ ନେଇ ସନ୍ଦେହ ବଢ଼ିବାରେ ଲାଗିଛି। କାହିଁକି ଓ କେଉଁ ପରିସ୍ଥିତିରେ ଗୋବିନ୍ଦ ମୃତ୍ୟୁ ପଥ ବାଛିନେଲେ? ତାଙ୍କୁ ଜେଲ ଭିତରେ ହତ୍ୟା କରାଯାଇ ଆତ୍ମହତ୍ୟା ରୂପ ଦିଆଯାଇଛି କି? ଅନ୍ୟଥା ଏତେ ସମ୍ବେଦନଶୀଳ ମାମଲାର ମୁଖ୍ୟ ଅଭିଯୁକ୍ତ ଆତ୍ମହତ୍ୟା କରିଦେଲା, ଏ ନେଇ ଜେଲ୍ କର୍ତ୍ତୃପକ୍ଷ ଜାଣିପାରିଲେ ନାହିଁ କେମିତି? ଏମିତି ପ୍ରଶ୍ନ ସବୁ ଏବେ ସାମାଜିକ ଗଣମାଧ୍ୟମ ଠାରୁ ଆରମ୍ଭ କରି ରାଜନୈତିକ ଦଳ ପଚାରିବା ଆରମ୍ଭ କରିଛନ୍ତି। କେବଳ ସେତିକି ନୁହେଁ, ପୂରା ଘଟଣାରେ ଜେଲ୍ କର୍ତ୍ତୃପକ୍ଷଙ୍କ ଭୂମିକାଟି ବିବାଦ ଭିତରକୁ ଚାଲିଆସିଛି। ତେବେ ଘଟଣାର ଗମ୍ଭୀରତା ଦୃଷ୍ଟିରୁ ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦେଶ ଦେଇଛନ୍ତି ପୁଲିସ ମହାନିର୍ଦେଶକ। ସେପଟେ ଜେଲ୍ କର୍ତ୍ତୃପକ୍ଷ ବି ତନାଘନା ଆରମ୍ଭ କରିଛନ୍ତି। ଏହାସତ୍ତ୍ବେ ପୂରା ଘଟଣାକୁ ନେଇ ଆଜି ଦିନତମାମ ଚର୍ଚ୍ଚା ଆଲୋଚନା ଜାରି ରହିଛି। ମମିତା ମେହେର ଭଳି ଏକ ସମ୍ବେଦନଶୀଳ ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କୁ ରଖାଯାଇଥିବା କାରାଗାରରେ ପ୍ରକୃତରେ ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା ଥିଲା କି ନାହିଁ? ଯଦି ଥିଲା, ତେବେ କାରାଗାର ପରିସରରେ ଗୋବିନ୍ଦ କିପରି ଆତ୍ମହତ୍ୟା କରିବାରେ ସଫଳ ହେଲେ? ଜେଲ ପରିସରରେ ଥିବା ସିସିଟିଭି କ୍ୟାମେରା କଣ କହୁଛି? ଗତ ଦୁଇ ତିନି ଦିନ ମଧ୍ୟରେ କେଉଁମାନେ ତାଙ୍କୁ ଭେଟିବାକୁ ଆସିଥିଲେ? ଏସବୁ ପ୍ରଶ୍ନ ବିଭିନ୍ନ ମହଲକୁ ଆନ୍ଦୋଳିତ କରୁଛି।

ଅନ୍ୟପକ୍ଷରେ ଡିଆଇଜି (କାରଗାର) ଅନସୂୟା ଜେନା କଣ୍ଟାବାଞ୍ଜି ଜେଲରେ ପହଞ୍ଚି ତନାଘନା ଆରମ୍ଭ କରିଥିଲେ। କାରାଗାର ଅଧୀକ୍ଷକ ବିକାଶଲତା ବାରୁଙ୍କ ସହ ଘଟଣା ସଂପର୍କରେ ଆଲୋଚନା କରିବା ସହ ପାରିପାର୍ଶ୍ବିକ ସ୍ଥିତି ଅନୁଧ୍ୟାନ କରିଥିଲେ। ଘଟଣା ପରଠୁ କାରାଗାରର ମୁଖ୍ୟ ଫାଟକ ବନ୍ଦ ରଖାଯାଇ ଭିତରେ ଘଟଣାର ତଦନ୍ତ ଚାଲିଥିଲା। ଭିତରୁ କେହି ବାହାରି ନଥିଲେ କି ବାହାରୁ କାହାରିକୁ ଭିତରକୁ ଛଡ଼ା ଯାଇନଥିଲା। ପ୍ରାଥମିକ ତଦନ୍ତ ପରେ ପ୍ରଥମେ କାର୍ଯ୍ୟରେ ଅବହେଳା କରିଥିବାରୁ ଜେଲ ୱାର୍ଡର୍‌ ଅକ୍ଷୟ ମହାନ୍ତିକୁ ନିଲମ୍ବନ କରାଯାଇଛି। ଡିଆଇଜି କହିଛନ୍ତି, ଗୋବିନ୍ଦ ଆତ୍ମହତ୍ୟା କରିଥିବା ଝରକାଟି ୬ ଫୁଟ୍‌ର ଥିଲା। ରେକର୍ଡ ଏବଂ କର୍ମଚାରୀଙ୍କ ବୟାନ ନେଲା ପରେ ଜଣାପଡୁଛି ଯେ, ସକାଳ ପ୍ରାୟ ସାେଢ଼ ୧୦ରୁ ୧୧ଟା ଭିତରେ ଏହି ଘଟଣା ଘଟିଛି। ଝରକା ପାଖରେ ଅନେକ ଗୁଡ଼ିଏ ମନ୍ଦାର ଗଛ, ଅମୃତ ଭଣ୍ଡା ଗଛ ରହିଛି। ସେଥିପାଇଁ କେହି ଦେଖିପାରିଲେ ନାହିଁ। ଅନ୍ୟପକ୍ଷରେ କମ୍‌ ସଂଖ୍ୟକ କର୍ମଚାରୀ ଥିବାରୁ ଜେଲରେ କାର୍ଯ୍ୟ ମଧ୍ୟ ଠିକ୍‌ରେ ହୋଇପାରୁନାହିଁ। ତେବେ ଜଣେ ମାତ୍ର ୱାର୍ଡର୍‌କୁ ନିଲମ୍ବନ କରାଯାଇଛି ଏବଂ ତଦନ୍ତ ସରି ନାହିଁ ଆଗକୁ ତଦନ୍ତ ହେଲେ ଅଧିକ ତଥ୍ୟ ଜଣାପଡ଼ିବ। କିନ୍ତୁ ଜେଲ ଭିତରେ ଗୋବିନ୍ଦକୁ ଅଧିକ ସୁବିଧା ଯୋଗାଇ ଦିଆଯିବା କଥାକୁ ଏଡ଼ାଇ ଡିଆଇଜି କହିଛନ୍ତି ଯେ, ସେହିଭଳି କୌଣସି ତଥ୍ୟ ତଦନ୍ତ ବେଳେ ଜଣାଯାଇ ନାହିଁ।

ମୃତ୍ୟୁକୁ ନେଇ ପ୍ରଶ୍ନବାଚୀ, ସନ୍ଦେହରେ ଜେଲ୍ କର୍ତ୍ତୃପକ୍ଷ
ପକେଟ୍‌ରେ ସୁଇସାଇଡ୍ ନୋଟ ଥିବା ପରିବାରର ସୂଚନା
ମୃତ୍ୟୁକୁ ନେଇ ସନ୍ଦେହ ପ୍ରକାଶ କଲେ ସ୍ତ୍ରୀ, ଓକିଲ
ସେହିପରି କଣ୍ଟାବାଞ୍ଜି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହିତ କେସ ନମ୍ବର ୧୫/୨୨/ ତା ୨୦.୧୨.୨୦୨୨ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଅପରାହ୍ନରେ କଣ୍ଟାବାଞ୍ଜି ତହସିଲଦାର ଏବଂ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ମେଡିକାଲ ଅଫିସର ଡା.ସୌମ୍ୟ ପ୍ରିୟଦର୍ଶୀ ଦେବ ପଣ୍ଡାଙ୍କ ଉପସ୍ଥିତିରେ ସାଇଣ୍ଟିଫିକ୍‌ ଟିମ୍‌ ଓ ଫରେନସିକ୍‌ ଟିମ୍‌ର ପ୍ରାଥମିକ ତଦନ୍ତ ସହ ଶବର ପଞ୍ଚନାମା କରିଥିଲେ। ଏହି ସମୟରେ ଟିଟିଲାଗଡ଼ ଏସ୍‌ଡ଼ିପିଓ ଅଂକିତା କୁମ୍ଭାର ଓ କଣ୍ଟାବାଞ୍ଜି ଏସ୍‌଼ଡ଼ିପିଓ ଲକ୍ଷ୍ମୀନାରାୟଣ ମାରାଣ୍ଡି ସମେତ କଣ୍ଟାବାଞ୍ଜି ଥାନା ଆଇଆଇସି ରଶ୍ମିତା ବେହେରା ଏବଂ ଟିଟିଲାଗଡ଼, ମୁରିବାହାଲ, ତୁରେକେଲା, ବଙ୍ଗୋମୁଣ୍ଡା ଥାନା ଆଇଆଇସି ଏହି ସମୟରେ ଉପସ୍ଥିତ ଥିଲେ। ରିପୋର୍ଟ ଲେଖାଯିବା ବେଳକୁ ଶବକୁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ନିଆଯାଇ ସେଠାରେ ବ୍ୟବଚ୍ଛେଦ କରାଯିବାକୁ ନିଷ୍ପତ୍ତି ହୋଇଛି। ଇତିମଧ୍ୟରେ ଗୋବିନ୍ଦଙ୍କ ପରିବାର ଓ ଓକିଲଙ୍କ ବକ୍ତବ୍ୟ ଘଟଣାକୁ ନୂଆ ମୋଡ଼ ଦେଇଛି ଓ ପ୍ରସଙ୍ଗକୁ ଅଧିକ ରହସ୍ୟାବୃତ୍ତ କରି ପକାଇଛି। ମମିତାଙ୍କ ଡିଏନ୍‌ଏ ରିପୋର୍ଟରେ ତାଳମେଳ ନଥିବା ଅଭିଯୋଗ ଆଣିଛନ୍ତି ତାଙ୍କ ଓକିଲା ଦୁର୍ଗା ପାଢ଼ୀ। ସେ କହିଛନ୍ତି ଯେ ମମିତା ମେହେରର ଡିଏନ୍‌ଏ ରିପୋର୍ଟ ପରୀକ୍ଷା ନିମନ୍ତେ ପଠାଯାଇଥିଲା। ମହାଲିଙ୍ଗ ହାଇସ୍କୁଲ ପରିସରରେ ମିଳିଥିବା ହାଡ଼ ଓ ପାଉଁଶକୁ ଫରେନ୍ସିକ୍‌ ଲ୍ୟାବ ଓ ଉଚ୍ଚତର ପରୀକ୍ଷା ନିମନ୍ତେ ପଠାଯାଇଥିଲା। ଏହି ଡିଏନ୍‌ଏ ରିପୋର୍ଟ ସହ ମମିତା ମେହେରର ବାପା-ମାଆଙ୍କ ସାମ୍ପୁଲ ସହ ତାଳମେଳ ରହୁ ନଥିଲା। ଆଜି ଓଡ଼ିଶା ହାଇକୋର୍ଟରେ ଗୋବିନ୍ଦର ଜାମିନ ଶୁଣାଣି ହେବାକୁ ଥିଲା। ଏହା ପୂର୍ବରୁ ତାଙ୍କ ଆତ୍ମହତ୍ୟା ଘଟଣା ଷଡ଼୍‌ଯନ୍ତ୍ର ନୁହେଁ ତ ବୋଲି ସେ ପ୍ରଶ୍ନ କରିଛନ୍ତି।

ସେହିଭଳି ଗୋବିନ୍ଦର ପତ୍ନୀ ସୁଷମା ସାହୁ ଆଜି କେଗାଁ ଥାନାରେ ଏକ ଲିଖିତ ଏତଲା ଦେଇଛନ୍ତି। ତାଙ୍କ ସ୍ବାମୀଙ୍କ ମୃତ୍ୟୁ ରହସ୍ୟଜନକ ଅଟେ। ଯୋଜନାବଦ୍ଧ ଭାବେ ଷଡ଼୍‌ଯନ୍ତ୍ର କରି ହତ୍ୟା କରାଯାଇଛି। ମିଥ୍ୟା ମକଦ୍ଦମା କରି ତାଙ୍କ ସ୍ବାମୀଙ୍କୁ ପୁଲିସ ଗିରଫ କରି ଚାର୍ଜସିଟ୍‌ ଦେଇଛି। ଏପର୍ଯ୍ୟନ୍ତ ବିଧିବଦ୍ଧ ଭାବରେ ତଦନ୍ତ ହୋଇନାହିଁ କି ପ୍ରକୃତ ହତ୍ୟାକାରୀଙ୍କୁ ଧରା ଯାଇପାରି ନାହିଁ ବୋଲି ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ତାଙ୍କ ଲିଖିତ ଅଭିଯୋଗକୁ କେଗାଁ ଥାନା ପକ୍ଷରୁ ଗ୍ରହଣ କରାଯାଇନାହିଁ। ଓଲଟା ତାଙ୍କୁ କଣ୍ଟାବାଞ୍ଜି ଥାନାରେ ଯାଇ ଏତଲା ଦେବା ପାଇଁ ଥାନା ପକ୍ଷରୁ କୁହାଯାଇଛି ବୋଲି ସେ କହିଛନ୍ତି। ତାଙ୍କ ପରିବାର ଲୋକ ଆହୁରି ଗୋଟିଏ ଅଭିଯୋଗ ଆଣିଛନ୍ତି। ଆଜି ସକାଳେ ଗୋବିନ୍ଦ ସାହୁଙ୍କ ମୃତ୍ୟୁ ଘଟଣା ପରିବାର ଲୋକେ ଟିଭିରୁ ଜାଣିଥିଲେ। ଏନେଇ ଗୋବିନ୍ଦଙ୍କ ପତ୍ନୀ ସୁଷମା ଗଣମାଧ୍ୟମ ଆଗରେ କ୍ଷୋଭ ପ୍ରକାଶ କରି ଜେଲ କର୍ତ୍ତୃପକ୍ଷ ମୃତ୍ୟୁ ଖବର ଦେଲେନି ବୋଲି କହିଛନ୍ତି। ଏତେବଡ଼ ଗୁରୁତର ଘଟଣା ପରିବାରକୁ ନଜଣାଇବା ପଛରେ କ’ଣ ରହସ୍ୟ ରହିଛି ବୋଲି ପରିବାର ଲୋକେ ଜେଲ କର୍ତ୍ତୃପକ୍ଷଙ୍କ ସ୍ବଚ୍ଛତା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି। ବହୁ ବିଳମ୍ବରେ ପରିବାର ଲୋକଙ୍କୁ କଣ୍ଟାବାଞ୍ଜି ଥାନା ପକ୍ଷରୁ ଶବ ବ୍ୟବଚ୍ଛେଦ କରାଯିବ ବୋଲି ଖବର ଦିଆଯାଇଥିଲା। ଆହୁରି ଅଭିଯୋଗ ଆଣି ପରିବାର ପକ୍ଷରୁ କୁହାଯାଇଛି ଯେ କଣ୍ଟାବାଞ୍ଜି ଡାକ୍ତରଖାନାରେ ଡାକ୍ତରଙ୍କ ଉପସ୍ଥିତିରେ ତଦନ୍ତ ବେଳେ ବେକରେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଥିବା ଚିହ୍ନଥିବା ଜଣାପଡ଼ିଛି। ଏଣୁ ଗାମୁଛା କଥା ମିଛ।

ଗତକାଲି ରାତି ପ୍ରାୟ ୧୧ଟାରେ ଗୋବିନ୍ଦ ସାହୁ ନିଜ ପତ୍ନୀ ସୁଷମା ସାହୁଙ୍କ ସହ କଥା ହୋଇଥିଲେ। ସେ ଏହି ଘଟଣାରେ ନିର୍ଦୋଷ ଏବଂ ଖୁବ୍‌ଶୀଘ୍ର ଜେଲରୁ ମୁକୁଳିବ ବୋଲି ପତ୍ନୀଙ୍କୁ ଆଶ୍ବାସନା ଦେଇଥିଲେ। ତାଙ୍କ ସ୍ବାସ୍ଥ୍ୟକଥା ଓ ତାଙ୍କ ମାଆଙ୍କ ସ୍ବାସ୍ଥ୍ୟ ଓ ଔଷଧ ନିୟମିତ ଖାଇବା ଉପରେ ଆଲୋଚନା କରିଥିଲେ। ସେହିଭଳି ଆଜି ସକାଳେ ଗୋବିନ୍ଦ ସାହୁ ଭଉଣୀ ଜ୍ବାଇଁ ଭୁବନ ସାହୁଙ୍କ ସହ ଫୋନ୍‌ ଯୋଗେ କଥା ହୋଇଥିଲେ। ଅତି ସ୍ବାଭାବିକ ଭାବରେ ଗତକାଲି ଓ ଆଜି ଗୋବିନ୍ଦ ପରିବାର ସହ କଥା ହୋଇଥିବା ବେଳେ ଆତ୍ମହତ୍ୟା ଘଟଣାକୁ ସହଜରେ ସେମାନେ ଗ୍ରହଣ କରି ପାରୁନାହାନ୍ତି। ଏଠାରେ ଉଲ୍ଲେଖଥାଉକି, ବଲାଙ୍ଗୀର ଜିଲ୍ଲା ତୁରେକେଲା ଝରଣୀ ଗାଁର ମମିତା ମେହେର ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଏବଂ ସହଯୋଗୀ ରାଧେଶ୍ୟାମ ଚଣ୍ଡି କଣ୍ଟାବାଞ୍ଜି ଉପକାରାଗାରରେ ବିଚାରାଧୀନ କଏଦୀ ଭାବେ ଥିଲେ। ଗତ ବର୍ଷେ ହେଲା ଏହି ଦୁଇ ଜଣ ଅଭିଯୁକ୍ତଙ୍କୁ କଣ୍ଟାବାଞ୍ଜି ଏଡିଜେ କୋର୍ଟରେ ହାଜର କରାଯାଇ ମାମଲାର ପରିଚାଳନା କରାଯାଉଥିଲା। ମଙ୍ଗଳବାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ଏବଂ ସହଯୋଗୀ ରାଧେଶ୍ୟାମଙ୍କୁ କୋର୍ଟରେ ହାଜର କରିବାର ଥିଲା। ମମିତା ମେହେର ହତ୍ୟା ଘଟଣାରେ ୧୬୯ ଜଣଙ୍କ ସାକ୍ଷ୍ୟ ଗ୍ରହଣ କରାଯିବାକୁ ଥିବା ବେଳେ ଆଜି ମଙ୍ଗଳବାର ଏଡିଜେ କୋର୍ଟରେ ଗୋବିନ୍ଦ ଓ ସହଯୋଗୀ ରାଧେଶ୍ୟାମ ହାଜର ହୋଇ ନିଜ ପକ୍ଷ ରଖିବାର ଥିଲା। ଏହା ପୂର୍ବରୁ ସେ ଆତ୍ମହତ୍ୟା କରିବା ପରେ ଘଟଣାଟି ନୂଆ ମୋଡ଼ ନେଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।