ଭୁବନେଶ୍ବର : ସ୍କୁଲ ଛାତ୍ରଛାତ୍ରୀଙ୍କ ଦକ୍ଷତା ମପାଯିବ। କିଏ କେତେ ପାଠ ପଢ଼ିଛନ୍ତି? କେତେ ମନେ ରଖିଛନ୍ତି? କାହାର ଜ୍ଞାନ କେତେ? ଗଣିତ ଓ ବିଜ୍ଞାନରେ ପିଲାମାନେ ଭଲ ପ୍ରଦର୍ଶନ କରିଛନ୍ତି ନା ନାହିଁ? କରୋନା ପରବର୍ତୀ ସମୟରେ ରାଜ୍ୟର ସରକାରୀ ଓ ଅନୁଦାନପ୍ରାପ୍ତ ସ୍କୁଲଗୁଡ଼ିକରେ ଆରମ୍ଭ ହୋଇଥିବା ଲର୍ଣ୍ଣିଂ ରିକଭରି ପ୍ରୋଗ୍ରାମ(ଏଲ୍ଆରପି) ମାଧ୍ୟମରେ ପିଲାମାନେ ପୁଣିଥରେ ପୂର୍ବ ସ୍ଥିତିକୁ ଫେରିଛନ୍ତି କି? ଯଦି ନ ଫେରିଛନ୍ତି ତେବେ କେଉଁଭଳି କାର୍ଯ୍ୟକ୍ରମ ହାତକୁ ନିଆଯିବାର ଆବଶ୍ୟକତା ରହିଛି? ଏଥିପାଇଁ ଆସନ୍ତା ୧୭ ତାରିଖଠାରୁ ତୃତୀୟରୁ ନବମ ଶ୍ରେଣୀ ମଧ୍ୟରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ଦକ୍ଷତା ମାପିବେ ରାଜ୍ୟ ସରକାର। ଯେଉଁ ପରୀକ୍ଷା ଆଧାରରେ ଛାତ୍ରଛାତ୍ରୀଙ୍କ ପାଇଁ ପରବର୍ତୀ କାର୍ଯ୍ୟପନ୍ଥା ପ୍ରସ୍ତୁତ କରାଯିବ। ୯ମ ଶ୍ରେଣୀ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ପରି ଏହି ପରୀକ୍ଷାରେ ଯେପରି ନ ହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ ଓସେପା ପ୍ରକଳ୍ପ ନିର୍ଦେଶକ ଅନୁପମ ସାହା ଆଜି ରାଜ୍ୟର ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ କହିଛନ୍ତି।
ଗଣଶିକ୍ଷା ବିଭାଗ ସୂଚନା ଅନୁଯାୟୀ ରାଜ୍ୟର ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ତୃତୀୟରୁ ୯ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ମିଡ୍-ଟର୍ମ ପରୀକ୍ଷା କରାଯିବ। ୧୭ ତାରିଖରେ ଆରମ୍ଭ ହେବାକୁ ଥିବା ଏହି ଆସେସ୍ମେଣ୍ଟ ୧୯ ତାରିଖ ଯାଏ ଚାଲିବ। ପ୍ରଧାନଶିକ୍ଷକମାନେ ଏହି ପରୀକ୍ଷାକୁ ନିଜ ସ୍କୁଲରେ ହିଁ କରାଇବେ। ପରୀକ୍ଷାକୁ ସ୍ବଚ୍ଛ କରିବା ଉପରେ ପ୍ରଧାନଶିକ୍ଷକମାନେ ଗୁରୁତ୍ବ ଦେବେ। ଆସେସ୍ମେଣ୍ଟ ପୂର୍ବରୁ ପ୍ରଶ୍ନପତ୍ର ଯେପରି ଲିକ୍ ନ ହୁଏ ସେଥିପ୍ରତି ମଧ୍ୟ ନଜର ରଖିବାକୁ କୁହାଯାଇଛି। ଯେତେଶୀଘ୍ର ସମ୍ଭବ ଏଲ୍ଆର୍ପିର ପରିଚାଳନା ଲାଗି ଜିଲ୍ଲାସ୍ତରାରେ ବୈଠକ କରାଯିବା ସହ ପରୀକ୍ଷା କିଭଳି ସୁରୁଖୁରୁରେ ହୋଇପାରିବ ସେଥିପ୍ରତି ଗୁରୁତ୍ବ ଦେବାକୁ ନିର୍ଦେଶ ଦିଆଯାଇଛି। ଏକାସମୟରେ ମୂଲ୍ୟାୟନ ଏବଂ ଅନ୍ୟାନ୍ୟ ଏକାଡେମିକ୍ କାର୍ଯ୍ୟ ଲାଗି ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳକୁ ଏଲ୍ଆରପି ଡାସ୍ବୋର୍ଡରେ ଅପଲୋଡ୍ କରିବାକୁ କୁହାଯାଇଛି। ବିଜ୍ଞପ୍ତି ଅନୁଯାୟୀ ୧୭ ତାରିଖରେ ତୃତୀୟ ଶ୍ରେଣୀ ଓଡ଼ିଆ, ୪ର୍ଥରୁ ୯ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ଇଂରାଜୀ ବିଷୟର ପରୀକ୍ଷା ଅନୁଷ୍ଠିତ ହେବ। ସେହିପରି ୧୮ ତାରିଖରେ ତୃତୀୟରୁ ୯ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ଗଣିତ, ୧୯ ତାରିଖରେ ୩ୟରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ଇଭିଏସ୍ ଏବଂ ୬ଷ୍ଠରୁ ୯ମ ଶ୍ରେଣୀ ଯାଏ ପିଲାଙ୍କ ବିଜ୍ଞାନ ବିଷୟର ପରୀକ୍ଷା କରାଯିବ। ପରୀକ୍ଷାରେ ପାଖାପାଖି ୩୦ ଲକ୍ଷ ପିଲା ଅଂଶଗ୍ରହଣ କରିବେ।
କରୋନା ଯୋଗୁଁ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଦୁଇଟି ଶିକ୍ଷାବର୍ଷ ପ୍ରଭାବିତ ହୋଇଥିଲା। ପିଲାମାନେ କ୍ଲାସରୁମ୍ ଶିକ୍ଷାରୁ ବଞ୍ଚିତ ହୋଇଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ ଅନ୍ଲାଇନ୍ରେ ଶିକ୍ଷାଦାନ କରାଯାଉଥିଲେ ମଧ୍ୟ ତାହା ମଧ୍ୟ ସବୁ ପିଲାଙ୍କ ନିକଟରେ ପହଞ୍ଚିପାରି ନ ଥିଲା। ଯେଉଁଥିପାଇଁ ୨୦୨୨-୨୩ ଶିକ୍ଷାବର୍ଷରେ କ୍ଲାସ ଆରମ୍ଭ ହେବା କ୍ଷଣି ପିଲାଙ୍କ ପାଠପଢ଼ାର ଦକ୍ଷତା ମପାଯାଇଥିଲା। ଏଥିରେ ଦେଖିବାକୁ ମିଳିଥିଲା ଯେ ସରକାରୀ ବିଦ୍ୟାଳୟର ପିଲାମାନେ ବହୁ ପଛରେ ଅଛନ୍ତି। କ୍ଲାସ ସିନା ଡେଇଁଯାଇଛନ୍ତି ମାତ୍ର ସେମାନଙ୍କ ଶିକ୍ଷା ଓ ବୌଦ୍ଧିକ ବିକାଶ ହୋଇପାରି ନାହିଁ। ତାହାକୁ ଦୃଷ୍ଟିରେ ରଖି ଲର୍ଣ୍ଣିଂ ରିକଭରି ପ୍ରୋଗ୍ରାମ(ଏଲ୍ଆରପି) ଲାଗି ଯୋଜନା କରାଯାଇଥିଲା। ଦାଶହରା ଛୁଟି ପରେ ଅର୍ଥାତ୍ ଅକ୍ଟୋବର ୧୧ରୁ ଏଲ୍ଆରପି ଆରମ୍ଭ ହୋଇଥିଲା। ଇତିମଧ୍ୟରେ ମାସେ ବିତିଯାଇଛି। ଧାର୍ଯ୍ୟ ସମୟ ଅନୁଯାୟୀ ଆସନ୍ତା ୧୭ରୁ ୧୯ ତାରିଖ ଯାଏ ମିଡ୍-ଟର୍ମ ପରୀକ୍ଷା କରାଯିବ। ଡିସେମ୍ବର ୧୯ରୁ ୨୧ ଯାଏ ଟର୍ମିନାଲ ଆସେସ୍ମେଣ୍ଟ ଅନୁଷ୍ଠିତ ହେବ।

