ରାଜ୍ୟ

ମଧ୍ୟାହ୍ନଭୋଜନ ଚାଉଳ ଯୋଗାଣରେ ଦୁର୍ନୀତି: ୫ବର୍ଷରେ ଖାଇଗଲେ ୨ କୋଟି!

ବାରିପଦା: ବିଦ୍ୟାଳୟରେ ଉପସ୍ଥାନ ବୃଦ୍ଧି ଓ ପିଲାଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇବା ଲକ୍ଷ୍ୟରେ ସରକାରଙ୍କ ପକ୍ଷରୁ ମଧ୍ୟାହ୍ନଭୋଜନ ବ୍ୟବସ୍ଥା କରାଯାଇଛି। ଏହି ଯୋଜନାରେ ପ୍ରାଥମିକ ବିଦ୍ୟାଳୟର ପିଲାଙ୍କ ପିଛା ଦୈନିକ ୧୦୦ ଗ୍ରାମ୍‌ ଏବଂ ଉଚ୍ଚ ପ୍ରା‌ଥମିକ ବିଦ୍ୟାଳୟର ପିଲାଙ୍କ ପିଛା ୧୫୦ ଗ୍ରାମ୍ ଚାଉଳ ଯୋଗାଇ ଦିଆଯାଉଛି। ଚାଉଳ ବାଦ୍ ରୋଷେଇ ଓ ପନିପରିବା ଖର୍ଚ୍ଚ ବାବଦକୁ ପ୍ରାଥମିକ ବିଦ୍ୟାଳୟ ପିଲା ପିଛା ୫ ଟଙ୍କା ୯୦ ପଇସା ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପିଲା ପିଛା ୮ ଟଙ୍କା ୮୨ ପଇସା ମିଳୁଛି। ତେବେ ମୟୂରଭଞ୍ଜ ଜିଲ୍ଲାରେ ଚାଉଳ ଯୋଗାଣକାରୀ ସଂସ୍ଥା ଓ ସରକାରୀ ବାବୁଙ୍କ ସଲାସୁତରାରେ ବ୍ୟାପକ ଦୁର୍ନୀତି ହେଉଥିବା ଅଭିଯୋଗ ଆସିଛି। କାଗଜପତ୍ର ଅନୁଯାୟୀ; ବିଦ୍ୟାଳୟଗୁଡ଼ିକୁ ଯୋଗାଣ ହେଉଥିବା ପ୍ରତି ବସ୍ତାରେ ୫୦ କେଜି ଚାଉଳ ରହୁଛି। ହେଲେ ଓଜନ କଲାବେଳକୁ ୪୦ରୁ ୪୫ କେଜି ଚାଉଳ ରହୁଥିବା ଜଣାପଡ଼ୁଛି। ଏନେଇ ମଧ୍ୟାହ୍ନଭୋଜନ ଦାୟିତ୍ବରେ ରହୁଥିବା ବିଦ୍ୟାଳୟର ଶିକ୍ଷକମାନେ ପ୍ରତିବାଦ କଲେ ସେମାନଙ୍କୁ ଉପାନ୍ତ ଅଞ୍ଚଳକୁ ବଦଳି ଧମକଚମକ ଦିଆଯାଉଛି। ନିକଟରେ ବେତନଟୀ ବ୍ଲକ୍‌ ବୈଶିଙ୍ଗା ସରକାରୀ ବିଦ୍ୟାଳୟ କର୍ତ୍ତୃପକ୍ଷ କୌଣସି କାର୍ଯ୍ୟାନୁଷ୍ଠାନକୁ ଭୟ ନକରି ସମସ୍ତଙ୍କ ଆଗରେ ଚାଉଳ ବସ୍ତା ଓଜନ କରିବାରୁ ୫୦ କେଜି ବସ୍ତାରେ ମାତ୍ର ୩୭ କେଜି ଚାଉଳ ଥିବା ଜଣାପଡ଼ିଥିଲା। ଏନେଇ ‘ସମ୍ବାଦ’ରେ ବିସ୍ତୃତ ଖବର ପ୍ରକାଶ ପରେ ଘଟଣାର ଖୋଳତାଡ଼ ହୋଇଥିଲା। ଏବେ ଅନ୍ୟ ବିଦ୍ୟାଳୟର ଶିକ୍ଷକଶିକ୍ଷୟିତ୍ରୀମାନେ ମଧ୍ୟ ଦୁର୍ନୀତି ବାବଦରେ ମୁହଁ ଖୋଲିବାକୁ ସାହସ ଜୁଟାଇଲେଣି। କିଛି ଶିକ୍ଷକ ସେମାନଙ୍କ ନାମ ଗୋପନ ରଖି କହିଛନ୍ତି; ଗତ ୫ ବର୍ଷରେ ମଧ୍ୟାହ୍ନଭୋଜନ ଚାଉଳ ଯୋଗାଣ ବାବଦ ସାରା ଜିଲ୍ଲାରେ ୨ କୋଟିରୁ ଊର୍ଦ୍ଧ୍ବ ଟଙ୍କା ହେର୍‌ଫେର୍‌ ହୋଇଛି।

ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା; ବେତନଟୀ ବ୍ଲକ୍‌ର ଦୁର୍ନୀତି ପଦାକୁ ଆସିବା ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଆସିଥିଲା। ଏହାରି ମଧ୍ୟରେ ୩ ସପ୍ତାହ ବିତିଗଲାଣି। ହେଲେ ଜିଲ୍ଲାପାଳଙ୍କ ତଦନ୍ତ ନି‌ର୍ଦ୍ଦେଶ କେଉଁଠି ଅଟକିଛି, କିଛି ଜଣାପଡ଼ୁନି। ଏନେଇ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା ନେବାକୁ ଉଦ୍ୟମ କରାଯାଇଥିଲା। କିନ୍ତୁ ସେ ଫୋନ୍‌ ଉଠାଇ ନାହାନ୍ତି। ସେହିପରି ଶିକ୍ଷା ବିଭାଗ ଓ ଯୋଗାଣ ବିଭାଗର ଅଧିକାରୀମାନେ ମଧ୍ୟ ପ୍ରତିକ୍ରିୟା ଦେବାକୁ କୁନ୍ଥକୁନ୍ଥ ହେଉଛନ୍ତି।

ସୂଚନା ଥାଉକି, ମୟୂରଭଞ୍ଜ ଜିଲ୍ଲାରେ ୨ ହଜାର ୪୭୯ଟି ପ୍ରାଥମିକ ବିଦ୍ୟାଳୟ ସହ ୪୨୨ଟି ଉଚ୍ଚପ୍ରାଥମିକ ଓ ପ୍ରଥମରୁ ଦଶମ ଶ୍ରେଣୀ ଯାଏ ୧ ହଜାର ୧୧୮ଟି ବିଦ୍ୟାଳୟ ରହିଛି। ମୋଟ୍‌ ୪୦୧୯ ବିଦ୍ୟାଳୟରେ ପଢ଼ୁଥିବା ୨ ଲକ୍ଷ ୯୦ ହଜାର ୬୧ ଜଣ ପିଲାଙ୍କ ପାଇଁ ମାସିକ ୨୦ ହଜାର କୁଇଣ୍ଟାଲ୍‌ରୁ ଅଧିକ ଚାଉଳ ଯୋଗାଇ ଦିଆଯାଉଛି। ବିଦ୍ୟାଳୟରେ ଚାଉଳ ପହଞ୍ଚାଇବା ପାଇଁ ଯୋଗାଣକାରୀ ସଂସ୍ଥାଙ୍କୁ ନିଯୁକ୍ତ କରାଯାଇଛି। ଏହି ସବୁ ସଂସ୍ଥା ସରକାରୀ ସ୍ବୀକୃତିପ୍ରାପ୍ତ ଗୋଦାମରୁ ଚାଉଳ ନେଇ ବିଦ୍ୟାଳୟରେ ଦେଉଛନ୍ତି। ବିଦ୍ୟାଳୟଗୁଡ଼ିକରେ ଚାଉଳ ଓଜନର କୌଣସି ସୁବିଧା ନାହିଁ। ତେଣୁ ୫୦ କେଜି ବସ୍ତାରେ କମ୍ ଓଜନର ଚାଉଳ ଦେଇ ଠକି ଚାଲିଛନ୍ତି ଯୋଗାଣକାରୀ ସଂସ୍ଥା। ଗୋଦ‌ାମ ପରିଚାଳକଙ୍କୁ ପଚାରିବାରୁ ସେମାନେ କହିଛନ୍ତି, ଯୋଗାଣକାରୀ ସଂସ୍ଥାକୁ ଚାଉଳ ଓଜନ କରି ଦିଆଯାଉଛି। ଗୋଦାମରୁ ଚାଉଳ ନେଲା ପରେ ବସ୍ତା‌ରେ କେମିତି କମୁଛି, ତାହା ତାଙ୍କୁ ଜଣାନାହିଁ ନାହିଁ ବୋଲି କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।