ତେଲକୋଇ ୩୧।୦୫: ଦେଶୀ ମଦ ଭାଟି ମାଲିକଙ୍କ ଦାଦାଗିରି । ଚୋରା ମଦ ବିକ୍ରି ଅଭିଯୋଗରେ ଯୁବକଙ୍କୁ ନିସ୍ତୁକ ପିଟିଲେ । ପରେ ମାଡ଼ ମାରି ଜଙ୍ଗଲରେ ଫିଙ୍ଗିଦେଲେ । କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ୪୯ ନମ୍ବର ଜାତୀୟ ରାଜପଥ କଡ଼ରେ ଘଟିଛି ଏମିତି ଘଟଣା ।
ଖବର ଅନୁଯାୟୀ, ଜଗମୋହନପୁର ଠାରେ ରହିଛି ଏକ ସରକାରୀ ଅନୁମତି ପ୍ରାପ୍ତ ଦେଶୀ ମଦ ଭାଟି। ସେଠାରେ ମଦ ପ୍ରସ୍ତୁତ କରାଯାଇ ତେଲକୋଇ ବ୍ଲକର ବିଭିନ୍ନ ଗାଁକୁ ବିକ୍ରି ପାଇଁ ପଠାଯାଇଥାଏ। ତେବେ ୪୯ ନମ୍ବର ଜାତୀୟ ରାଜପଥ ରୁଗୁଡିହ ଛକରେ ସୁବ୍ରତ ସାହୁ ଏକ ଚା ଦୋକାନ କରି ପରିବାର ଚଳାଇଥାନ୍ତି। ମଦଭାଟି ମାଲିକ ତାଙ୍କୁ ଭାଟିରୁ ମଦ ନେଇ ବିକ୍ରି କରିବାକୁ ଚାପ ପ୍ରୟୋଗ କରୁଥିଲେ । କିନ୍ତୁ ସୁବ୍ରତ ମଦ ବିକ୍ରି ପାଇଁ ମନା କରିଥିଲେ। ସେଥିପାଇଁ ଆକ୍ରୋଶ ମୂଳକ ଭାବେ ଚୋରା ମଦ ବିକ୍ରି କରୁଛୁ କହି ମଦଭାଟି ମାଲିକ ବିବେକ ସିଂ ଓ ତାଙ୍କ ସର୍ମଥକ ସୁବ୍ରତ ଠେଙ୍ଗାରେ ନିସ୍ତୁକ ପିଟିଥିଲେ । ଯାହାଫଳରେ ସୁବ୍ରତ ଅଚେତ ହୋଇଯାଇଥିଲେ । ଅଚେତ ଅବସ୍ଥାରେ ତାଙ୍କୁ ଶିଙ୍କୁଳାବାହାଳ ଗାଁ ନିକଟ ଜଙ୍ଗଲରେ ଫିଙ୍ଗି ଦେଇଥିଲେ। ଏପିରିକି ଦୋକାନରେ ଥିବା ୫୦ ଟଙ୍କା ମଧ୍ୟ ନେଇଯାଇଥିଲେ।
ସେପଟେ ବିଳମ୍ବିତ ରାତିରେ ସୁବ୍ରତଙ୍କ ଚେତା ଫେରିବା ପରେ ଜଣେ ଟାୟାର ଦୋକାନୀଙ୍କ ସହାୟତାରେ ଘରକୁ ଫେରିଥିଲେ। ପରେ ଏନେଇ ତେଲକୋଇ ଥାନାରେ ଅଭିଯୋଗ ପରେ ପୁଲିସ ତଦନ୍ତ ଆରମ୍ଭ କରିଛି।