ପାଟଣା ୨।୮: ମଦନିଶାରେ ନିଜ ହାତରେ ନିଜ ଘର ଜାଳିଦେଲେ ଯୁବକ । ଘର ଜଳି ଛାରଖାର ହୋଇଯିବା ସହ ଗୋଟିଏ ସ୍କୁଟି ମଧ୍ୟ ଜଳିଯାଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ତୁରୁମୁଙ୍ଗା ଥାନା ଖିରେଇଟାଙ୍ଗିରି ପଞ୍ଚାୟତର ନୂଆଗାଁରେ ।
ସୂଚନାଯୋଗ୍ୟ ଯେ, ଗାଁର ପୁରନ୍ଦର ନାଏକ ନାମକ ବ୍ୟକ୍ତି ନିଶାସକ୍ତ ହୋଇ ନିଜେ ବ୍ୟବହାର କରୁଥିବା ସ୍କୁଟି ସହିତ ଘରେ ନିଆଁ ଲଗାଇ ଜାଳିପୋଡି ପାଉଁଶ କରିଦେଇଛନ୍ତି । ପୁରନ୍ଦର ସବୁଦିନ ସନ୍ଧ୍ୟାରେ ମଦ ପିଇ ଘରକୁ ଫେରି ଘର ଲୋକଙ୍କ ସହିତ ଝଗଡ଼ା କରିବା ସହ ଘର ଲୋକଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଉଥିବାରୁ ତାଙ୍କ ପରିବାର ଲୋକ ପାଖ ଘରେ ଶୋଉଥିଲେ । ନିଆଁ ଲାଗିବା ସମୟରେ ଘରେ କେହି ନଥିବାରୁ ପରିବାର ଲୋକେ ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।
ନିଆଁ ଲାଗି ଘରର ସମସ୍ତ ଆସବାବପତ୍ର ସହିତ ବାକ୍ସରେ ଥିବା ଟଙ୍କା, ଚାଉଳ ଆଦି ଜିନିଷ ପୋଡି ପାଉଁଶ ହୋଇଯାଇଥିଲା । ଏହି ସାହିରେ ବହୁ ମାତ୍ରାରେ ଚୋରା ମହୁଲି ମଦ ବିକ୍ରି ହେଉଥିବା କାରଣରୁ ମଦ୍ୟପାନ କରି ଅନେକ ସମୟରେ ଏଭଳି ଅଭାବନୀୟ ଘଟଣା ଘଟୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।