ଇମ୍ଫାଲ: ମଣିପୁରରେ ଆଦିବାସୀ ମାନ୍ୟତାକୁ ନେଇ କୁକି ଏବଂ ମୈତେଇ ସମ୍ପ୍ରଦାୟ ମଧ୍ୟରେ ଲାଗିଥିବା ସଂଘର୍ଷ ପୁଣି ଭୟଙ୍କର ରୂପ ନେଇଛି। ସଦ୍ୟ ହିଂସାରେ ଜଣେ ୮ ବର୍ଷର ଶିଶୁ ଓ ମା’ ସମେତ ୩ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଲାମ୍ଫେଲ ଥାନା ଅଧୀନସ୍ଥ ଇମ୍ଫାଲ ପଶ୍ଚିମର ଇରୋସେମ୍ବା ଅଞ୍ଚଳରେ ରବିବାର ଦିନ କିଛି ଦଙ୍ଗାକାରୀ ଏକ ଆମ୍ବୁଲାନ୍ସରେ ନିଆଁ ଲଗାଇ ଦେଇଥିଲେ। ଏହି ବର୍ବର ହିଂସାରେ ଗୁଳିମାଡ଼ର ଶିକାର ହୋଇଥିବା ଜଣେ ୮ ବର୍ଷର ଶିଶୁ ହସ୍ପିଟାଲ୍ ଯିବା ବାଟରେ ହିଁ ଜଳି ଯାଇଥିଲା। ମୃତକମାନେ ହେଉଛନ୍ତି ୮ ବର୍ଷର ଟନସିଙ୍ଗ ହାଙ୍ଗସିଙ୍ଗ, ମା’ ମୀନା ହାଙ୍ଗସିଙ୍ଗ ଏବଂ ସେମାନଙ୍କ ସମ୍ପର୍କୀୟ ଲିଡ଼ିଆ ଲୋରେମ୍ବାମ। ପୁଲିସ ଓ ସେନା ରିପୋର୍ଟ ଅନୁଯାୟୀ ଆମ୍ବୁଲାନ୍ସରେ ଥିବା ଶିଶୁ ଏବଂ ତାଙ୍କ ପରିବାର ସଦସ୍ୟ କାଙ୍ଗଚୁପ୍ ସ୍ଥିତ ଆସାମ ରାଇଫଲ୍ସ ରିଲିଫ୍ ଶିବିରରେ ରହୁଥିଲେ। ଶିଶୁଟିର ମା’ ମୈତେଇ ସଂପ୍ରଦାୟର ଏବଂ ସେ କୁକି ସମ୍ପ୍ରଦାୟରେ ବିବାହ କରିଥିଲେ।
ଗତ ରବିବାର ସେଠାରେ ୨ ଗୋଷ୍ଠୀ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏହି ସମୟରେ ଶିଶୁଟି ଶିବିର ମଧ୍ୟରେ ଥାଇ ମଧ୍ୟ ତା’ ମୁଣ୍ଡରେ ଗୁଳି ବାଜିଥିଲା। ତୁରନ୍ତ ଶିଶୁଟିକୁ ଇମ୍ଫାଲ ସ୍ଥିତ ରିଜିଓନାଲ ଇନ୍ଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସେସକୁ ନିଆଯାଇଥିଲା। ଆସାମ ରାଇଫଲ୍ସ ଦ୍ବାରା ଆମ୍ବୁଲାନ୍ସକୁ କିଛି ବାଟ ପର୍ଯ୍ୟନ୍ତ ସୁରକ୍ଷା ଦିଆଯାଇଥିଲା। ଏହାପରେ ସ୍ଥାନୀୟ ପୁଲିସ ଆମ୍ବୁଲାନ୍ସକୁ ସୁରକ୍ଷା ଦେଇଥିଲେ। ତେବେ ସନ୍ଧ୍ୟା ପ୍ରାୟ ୬.୩୦ ସମୟରେ ଶତାଧିକ ଦଙ୍ଗାକାରୀ ଆମ୍ବୁଲାନ୍ସକୁ ଘେରିଯାଇ ନିଆଁ ଲଗାଇ ଦେଇଥିଲେ। ଫଳରେ ଆମ୍ବୁଲାନ୍ସରେ ଥିବା ୮ ବର୍ଷର ଶିଶୁ ତା’ ମା’ ଏବଂ ଅନ୍ୟ ଜଣେ ସମ୍ପର୍କୀୟ ଜଳି ଯାଇଥିଲେ। ମଣିପୁର ହିଂସା ପ୍ରବଣ ଅଞ୍ଚଳରେ ଆଜି ଅଧିକ ଯବାନ ମୁତୟନ ହୋଇଛନ୍ତି। ରାଜ୍ୟରେ ପ୍ରାୟ ୧୦ ହଜାରରୁ ଅଧିକ ସୈନ୍ୟ ମୁତୟନ ହୋଇଛନ୍ତି। ଜୁନ୍ ୧୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ମୋବାଇଲ ଇଣ୍ଟରନେଟ୍ ସେବା ବନ୍ଦ ରହିବ ବୋଲି ଘୋଷଣା କରାଯାଇଛି।