ରାଜ୍ୟ ସ୍ପେଶାଲ ରିପୋର୍ଟ

ମଣିପୁର ବାଳିକା ଦଳକୁ ବି ଅର୍ଥାଭାବ ଯନ୍ତ୍ରଣା

ରାଉରକେଲା : ମଣିପୁରରେ ହିଂସା ଥମିବାର ନାଁ ନେଉନାହିଁ। ପ୍ରତିଦିନ ଜଳାପୋଡ଼ା, ଆକ୍ରମଣ ପ୍ରତିଆକ୍ରମଣ ଲାଗି ରହିଛି। ଏଭଳି ପରିସ୍ଥିତିରେ କାଳାତିପାତ କରୁଥିବା ମଣିପୁର ହକି ଦଳ ରାଉରକେଲାରେ ଖେଳାଯାଇଥିବା ଜାତୀୟ କନିଷ୍ଠ ବାଳକ ହକି ପ୍ରତିଯୋଗିତାରେ ଭାଗ ନେଇଥିଲା। ଘୋର୍‌ ଅର୍ଥାଭାବ ଯୋଗୁଁ କିଛି ପୂର୍ବତନ ହକି ଖେଳାଳି, ହକିପ୍ରେମୀ, ହକି ସଂଗଠନଠାରୁ ଚାନ୍ଦା ଆଦାୟ କରି ମଣିପୁର ବାଳକ ଦଳ ପ୍ରତିଯୋଗିତାରେ ଭାଗ ନେଇଥିଲା। ସମାନ ସ୍ଥିତି ଏବେ ମଣିପୁର ବାଳିକା ଦଳ ସହ ଦେଖିବାକୁ ମିଳିଛି। ସଂପ୍ରତି ଚାଲିଥିବା ଜାତୀୟ କନିଷ୍ଠ ବାଳିକା ହକି ପ୍ରତିଯୋଗିତାରେ ବାଳିକା ଦଳ କ୍ରାଉଡ୍‌ଫଣ୍ଡିଂ କରି ଅଂଶଗ୍ରହଣ କରିଛନ୍ତି। ବାଳକ ଦଳ ଅପେକ୍ଷା ବାଳିକା ଦଳର ସ୍ଥିତି ଆହୁରି ଉଦ୍‌ବେଗଜନକ।

ଚଳିତ ଜାତୀୟ ହକି ପ୍ରତିଯୋଗିତାରେ ମଣିପୁର ବାଳିକା ଦଳର ଅଭିଯାନ ଶେଷ ହୋଇଛି। ଓଡ଼ିଶା ବିପକ୍ଷରେ ପରାଜୟ ସହ ତାମିଲନାଡ଼ୁ ବିପକ୍ଷ ମ୍ୟାଚ୍‌ ଅମୀମାଂସିତ ରହିବାରୁ ଦଳ ପ୍ରତିଯୋଗିତାରୁ ବିଦାୟ ନେଇଛି। ତେବେ ଦଳର ସଂଘର୍ଷ ଓ ହକି ପ୍ରତି ଭଲପାଇବା ହକିପ୍ରେମୀଙ୍କୁ ଆକର୍ଷିତ କରିଛି। ଏବେ ମଣିପୁର ହିଂସାର ନିଆଁରେ ଜଳୁଥିବାରୁ ଖେଳାଳିମାନେ ଅଭ୍ୟାସ ବି କରିବାର ସୁଯୋଗ ପାଇନଥିଲେ। ମାତ୍ର ଦୁଇ ଦିନରେ ଶେଷ ହୋଇଥିବା ଚୟନ ଶିବିରରୁ ପିଲାମାନଙ୍କୁ ଜାତୀୟ ପ୍ରତିଯୋଗିତା ପାଇଁ ବଛାଯାଇଥିଲା। ଏମିତିକି ଦଳର ତାରକା ମିଡ୍‌ଫିଲ୍‌ଡର ତଥା ଉପକନିଷ୍ଠ ଦଳର ପୂର୍ବତନ ଅଧିନାୟିକା ଡାଏନା ଏଥିରେ ସାମିଲ ହୋଇପାରିନଥିଲେ। ଚୟନ ଶିବିର ପୂର୍ବରୁ ଖେଳାଳିମାନେ ଅର୍ଥାଭାବ ବିଷୟରେ ଅବଗତ ଥିଲେ। ଏମିତିକି ଦଳୀୟ ଜର୍ସି, ଯାତ୍ରା ଖର୍ଚ୍ଚ ଆଦି ଖୋଦ୍‌ ଖେଳାଳିମାନେ ବହନ କରିବା ଆଶଙ୍କା ଥିବା ସୂଚନା ପାଇଥିଲେ।

ତେବେ ପ୍ରତିଯୋଗିତା ଖେଳିବାକୁ ଗଲେ ଚାନ୍ଦା ଦେବାକୁ ପଡ଼ିବ ଭାବି ଡିଫେଣ୍ଡର ପ୍ରିଞ୍ଜା ମୋଇରାଙ୍ଗଥେମ ଓ ହେଲେନା ମୋଇରାଙ୍ଗଥେମ୍‌ ଦଳରେ ସାମିଲ ହୋଇନଥିଲେ। ପ୍ରକୃତରେ ପ୍ରିଞ୍ଜା ଓ ହେଲେନା ଅତି ଗରିବ ପରିବାରରୁ ଜନ୍ମ ନେଇଥିବାରୁ ଚାନ୍ଦା ଦେବାକୁ ମଧ୍ୟ ଅର୍ଥର ଅଭାବ ରହିଥିଲା। ଏଣୁ ସେମାନେ ଅନିଚ୍ଛାସତ୍ତ୍ବେ ସେମାନେ ଦଳଠାରୁ ଦୂରେଇ ରହିଥିଲେ। ଦଳ ଗସ୍ତ କରିବା ପୂର୍ବରୁ ପୂର୍ବତନ ଖେଳାଳି ଯଥା,- ଭାରତୀୟ ମହିଳା ଦଳର ପୂର୍ବତନ ଅଧିନାୟକ ୱାଇଖୋମ ସୂରଜ ଲତା ଦେବୀ, ତିଙ୍ଗୋଲେଇମା ମାଇବାମ୍‌, ସାଙ୍ଗାଇ ଏବେମ୍‌ହାଲ, ସୁଶୀଳା ଚାନୁ, ରଞ୍ଜିତା, ମନୋରମା ପ୍ରମୁଖଙ୍କଠାରୁ ଆର୍ଥିକ ସହାୟତା ଗ୍ରହଣ କରିଥିଲେ। ଜନ୍ମମାଟିରେ ହିଂସା ଭିତରେ ଫସି ରହିଥିବା ପରିବାରବର୍ଗଙ୍କ ଚିନ୍ତା ଭିତରେ ଦଳ ଏଠାରେ ମ୍ୟାଚ୍‌ ଖେଳିଥିଲା। ଦଳର ପ୍ରଦର୍ଶନ ଯଦିଓ ଆଖିଦୃଶିଆ ନଥିଲା; କିନ୍ତୁ ହକିପ୍ରତି ସେମାନଙ୍କର ଅହେତୁକ ଭଲପାଇବାକୁ ଚାରିଆଡ଼ୁ ପ୍ରଶଂସା କରାଯାଇଛି।

ଦଳର ସଂଘର୍ଷ ନେଇ ମୁଖ୍ୟ କୋଚ୍‌ ଥିୟାମ ରୋଶନ କୁମାର ସିଂହ ଓ ମ୍ୟାନେଜର ଚାନମବାମ ଶକୁନ୍ତଳା ଦେବୀ କହିଛନ୍ତି, ଖେଳାଳିଙ୍କ ଜୀବନରେ ଏକ ଜାତୀୟ ପ୍ରତିଯୋଗିତା ବିଶେଷ ଗୁରୁତ୍ବପୂର୍ଣ୍ଣ। ଏଣୁ ଆମ ଖେଳାଳିଙ୍କୁ ଏହି ସୁଯୋଗ ଦେବାକୁ ଯୋଜନା କରିଥିଲୁ। ମଣିପୁର ହିଂସା ଯୋଗୁଁ ସବୁ ଅସଜଡ଼ା ହୋଇପଡ଼ିଛି। ଏଣୁ ଆର୍ଥିକ ଅନୁଦାନ ମିଳିପାରିନଥିଲା। ଏନେଇ ପୂର୍ବତନ ଖେଳାଳି ଆଗକୁ ଆସି ସହାୟତାର ହାତ ବଢ଼ାଇଥିଲେ। ସେମାନେ ସ୍ବେଚ୍ଛାକୃତ ଅର୍ଥ ଦାନ କରିବା ଯୋଗୁଁ ଆମ ଦଳ ପ୍ରତିଯୋଗିତାରେ ଅଂଶଗ୍ରହଣ କରିପାରିଲା। ରାଜ୍ୟରେ ହିଂସା ଚରମସୀମାରେ ପହଞ୍ଚିଥିବାବେଳେ ପିଲାମାନଙ୍କୁ ଏକଜୁଟକରି ଚୟନ ଶିବିର ଆୟୋଜନ, ଯାତ୍ରା କରିବା ବେଶ୍‌ କଷ୍ଟକର ହୋଇପଡ଼ିଥିଲା। କାରଣ ସଡ଼କପଥରେ ଆସିଲେ ଯେ କୌଣସି ଅପ୍ରୀତିକର ପରିସ୍ଥିତିର ଆଶଙ୍କା ରହିଥିବାରୁ ଦଳ ଇମ୍ଫାଲରୁ ବିମାନରେ କୋଲକାତା ଓ ପରେ ଟ୍ରେନ୍‌ରେ ରାଉରକେଲାରେ ପହଞ୍ଚିଥିଲା। ଦଳର ପ୍ରଦର୍ଶନ ଆଶାନୁରୂପ ହୋଇନି; କିନ୍ତୁ ଜନ୍ମମାଟିରେ ଚାଲିଥିବା ଅସ୍ଥିରତା, ହିଂସା ଭିତରେ ରହି ପିଲା ପଡ଼ିଆକୁ ଓହ୍ଲାଇବା ହିଁ ଆମର ସବୁଠାରୁ ବଡ଼ ବିଜୟ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।