ରାଜ୍ୟ ସ୍ପେଶାଲ ରିପୋର୍ଟ

ମଣିପୁର ପୁଣି ଅଣାୟତ୍ତ, ହିଂସା ଥମୁନି; ହିଂସାପ୍ରବଣ ଅଞ୍ଚଳ ବୁଲିଲେ ଶାହ

ଇମ୍ଫାଲ : ମଣିପୁରରେ ଶାନ୍ତି ଫେରାଇ ଆଣିବାପାଇଁ ସବୁ ପ୍ରକାର ଉଦ୍ୟମ ଜାରି ରହିଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବେ ହିଂସା ପ୍ରବଣ ମଣିପୁରରେ ସୁରକ୍ଷା ସ୍ଥିତି ସମୀକ୍ଷା କରୁଛନ୍ତି। ୪ ଦିନିଆ ମଣିପୁର ଗସ୍ତ‌ରେ ଥିବା ଶାହ ଆଜି ସର୍ବାଧିକ ହିଂସାଗ୍ରସ୍ତ ଅଂଚଳ ଚୁରାଚାନ୍ଦପୁର ଜିଲ୍ଲା ବୁଲିଛନ୍ତି। ଏଠାରେ ଆଦିବାସୀ ମହିଳାମାନେ ଜାତୀୟ ପତାକା ଧରି ଶାହଙ୍କୁ ସ୍ବାଗତ କରିଥିଲେ। ‘କେବଳ କେନ୍ଦ୍ର ସରକାର ହିଁ ସବୁ ସମସ୍ୟାର ସମାଧାନ କରିପାରିବେ’ ଲେଖାଥିବା ପୋଷ୍ଟର ଧରି ସେମାନେ ଶାହଙ୍କୁ ସ୍ବାଗତ କରିଥିଲେ। ଶାହ ଆଜି ମୁଖ୍ୟମନ୍ତ୍ରୀ ଏନ୍‌ ବୀରେନ ସିଂହ ଏବଂ ଅନ୍ୟ ବରି‌ଷ୍ଠ ଅଧିକାରୀମାନଙ୍କ ସହ ବୈଠକ କରି ହିଂସା ନିୟନ୍ତ୍ରଣ ପାଇଁ କଠୋର ରଣନୀତି କାର୍ଯ୍ୟକାରୀ କରିବାକୁ କହିଛନ୍ତି। ଇମ୍ଫାଲରେ ଆଜି ମୁଖ୍ୟମନ୍ତ୍ରୀଙ୍କ ସଚିବାଳୟରେ ହିଂସା ପ୍ରସଙ୍ଗରେ ବିସ୍ତୃତ ଆଲୋଚନା ହୋଇଥିଲା। ଶାହ ଆଜି ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ମଧ୍ୟ ଏକ ସର୍ବଦଳୀୟ ବୈଠକ କରିବା ସହ ବିଭିନ୍ତ ଅନୁଷ୍ଠାନର ପ୍ରତିନିଧିଙ୍କୁ ଭେଟିଛନ୍ତି। ମୁଖ୍ୟମନ୍ତ୍ରୀ, ଗୁଇନ୍ଦା ଏବଂ ସୁରକ୍ଷା ଅଧିକାରୀଙ୍କ ସହ ଆଲୋଚନା ପରେ ଶାହ କହିଛନ୍ତି ଯେ ଶାନ୍ତି ଫେରିବା ପ୍ରକ୍ରିୟା ତ୍ବରାନ୍ବିତ କରିବାକୁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି।

ଇତିମଧ୍ୟରେ ଉଭୟ କେନ୍ଦ୍ର ଏବଂ ମଣିପୁର ସରକାର ରାଜ୍ୟରେ ହିଂସା‌ ଯୋଗୁଁ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ସଦସ୍ୟଙ୍କ ପାଇଁ ୧୦ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଘୋଷଣା କରିଛନ୍ତି। ମୃତକଙ୍କ ପରିବାରରୁ ଜଣଙ୍କୁ ସରକାରୀ ଚାକିରି ମିଳିବ ବୋଲି ଘୋଷଣା କରାଯାଇଛି। ଉଲ୍ଲେଖଯୋଗ୍ୟ, ମଣିପୁରରେ ସଦ୍ୟ ହିଂସା ଯୋଗୁଁ ଗତ ରବିବାର ପୁଣିଥରେ ୫ ଜଣଙ୍କ ମୃତ୍ୟୁ ହୋଇଛି। ହିଂସା ପରେ ଇମ୍ଫାଲରେ କର୍ଫ୍ୟୁ ଜାରି ହୋଇଛି ଏବଂ ମେ’ ୩୧ ପର୍ଯ୍ୟନ୍ତ ଇଣ୍ଟରନେଟ୍‌ ସେବା ବନ୍ଦ ରହିଛି।

ଅନ୍ୟପ‌କ୍ଷେ ମଣିପୁର ହିଂସା ପ୍ରସଙ୍ଗରେ ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଦାବି କରି ଆଜି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କ ନେତୃତ୍ବାଧୀନ କଂଗ୍ରେସ ପ୍ରତିନିଧି ଦଳ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଛନ୍ତି। ଖଡ଼ଗେ କହିଛନ୍ତି, ଦଳ ପକ୍ଷରୁ ରାଷ୍ଟ୍ରପତିଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ମଣିପୁର ହିଂସା ପ୍ରସଙ୍ଗରେ ରାଷ୍ଟ୍ରପତିଙ୍କ ହସ୍ତ‌କ୍ଷେପ ଲୋଡ଼ି ଏହି ସ୍ମାରକପତ୍ର ଦାଖଲ କରାଯାଇଛି। ବର୍ତ୍ତମାନ ସିଆରପିଏଫ୍‌ ଆଇଜି ଥିବା ବରିଷ୍ଠ ଆଇପିଏସ ଅଫିସର ରାଜୀବ ସିଂହଙ୍କୁ ମଣିପୁରକୁ ପଠାଯାଇଛି। ତାଙ୍କୁ ମଣିପୁର ପୁଲିସ ମୁଖ୍ୟ ନିଯୁକ୍ତ କରାଯାଇପାରେ ବୋଲି ଜଣାପଡ଼ିଛି।

ହିଂସା ଉଗ୍ରବାଦ ସହ ଜଡ଼ିତ ନୁହେଁ : ସିଡିଏସ୍‌
ଇମ୍ଫାଲ: ସିଡିଏସ୍‌ ଅନିଲ ଚୌହାନ ଆଜି ମଣିପୁର ସ୍ଥିତି ସଂକ୍ରାନ୍ତରେ ଏକ ଗୁରୁତ୍ବପୂର୍ଣ୍ଣ ଟିପ୍ପଣୀ ଦେଇ କହିଛନ୍ତି, ମଣିପୁରରେ ଏବେ ଯେଉଁ ସ୍ଥିତି ଲାଗି ରହିଛି ସେଥିରେ ସୁଧାର ଆସିବାପାଇଁ କିଛି ସମୟ ଲାଗିବ। କିନ୍ତୁ ରାଜ୍ୟର ଏହି ସ୍ଥିତି ଉଗ୍ରବାଦ ସହ ଜଡ଼ିତ ନୁହେଁ। ମଣିପୁର ସ୍ଥିତି ସହ ଉଗ୍ରବାଦର କୌଣସି ସମ୍ପୃକ୍ତି ନାହିଁ। ଏହା ମୁଖ୍ୟତଃ ଦୁଇଟି ସମ୍ପ୍ରଦାୟ ମଧ୍ୟରେ ସଂଘର୍ଷ। ଏହା ଏକ ଆଇନ ଶୃଙ୍ଖଳା ସ୍ଥିତି ଏବଂ ଆମେମାନେ ରାଜ୍ୟ ସରକାରଙ୍କୁ ସହଯୋଗ କରୁଛୁ। ସିଡିଏସ୍‌ ଚୌହାନ କହିଛନ୍ତି, ଆମେ ଅତି ଚମତ୍କାର କାମ କରିଛୁ ଏବଂ ଅନେକ ଜୀବନ ବଞ୍ଚାଇ ଦେଇଛୁ। ମଣିପୁରରେ ଚ୍ୟାଲେଂଜ ଏବେ ବି ରହିଛି । ଏଥିପାଇଁ କିଛି ସମୟ ଲାଗିବ। କିନ୍ତୁ ଧୀରେଧୀରେ ସ୍ଥିତିରେ ସୁଧାର ଆସିବ। ଉଲ୍ଲେଖଯୋଗ୍ୟ, ମେ’ ୩ ତାରିଖରୁ ରାଜ୍ୟରେ ଜାରି ରହିଥିବା ବେଳେ ମୃତ୍ୟୁସଂଖ୍ୟା ୮୦ରେ ପହଞ୍ଚିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।