ଇମ୍ଫାଲ : ଇମ୍ଫାଲରେ ବିଦେଶ ରାଷ୍ଟ୍ରମନ୍ତ୍ରୀ ଆରକେ ରଂଜନ ସିଂହଙ୍କ ଘରକୁ ଦଙ୍ଗାକାରୀମାନେ ଜାଳିଦେବା ପରେ ମନ୍ତ୍ରୀ ଉକ୍ତ ଘଟଣା ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ରଂଜନ ସିଂହ କହିଛନ୍ତି, ମଣିପୁରରେ ଆଇନ ଶୃଙ୍ଖଳା ସ୍ଥିତି ଭୁଶୁଡ଼ି ପଡ଼ିଛି। ଦଙ୍ଗାକାରୀମାନେ ଗୋଟିଏ ପରେ ଗୋଟିଏ ଭୟାନକ ହିଂସା ରଚାଉଛନ୍ତି। ମନ୍ତ୍ରୀ କହିଛନ୍ତି, ମୁଁ ଭଗବାନଙ୍କ ଉପରେ ଆସ୍ଥା ରଖି ଏହି ଘର ନିର୍ମାଣ କରିଥିଲି। କିନ୍ତୁ ମୋ ଘରକୁ କାହିଁକି ଟାର୍ଗେଟ୍ କରାଗଲା ତାହା ମୁଁ ବୁଝିପାରୁନି। ସେମାନେ ମୋ ଘରକୁ ସମ୍ପୂର୍ଣ୍ଣ ଭାଙ୍ଗିଦେବାକୁ ଏବଂ ଧ୍ବଂସ କରିଦେବାକୁ ଚେଷ୍ଟା କରିଛନ୍ତି। ମୁଁ ମୋ ରାଜ୍ୟର ଲୋକମାନଙ୍କଠାରୁ ଏଭଳି ଆଚରଣ କେବେ ଆଶା କରିନଥିଲି। ଏଭଳି ପୁଣିଥରେ ନହେବାପାଇଁ ମୁଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛି।
ମନ୍ତ୍ରୀ କହିଛନ୍ତି, ତାଙ୍କ ଘରେ ଦୁର୍ବୃତ୍ତମାନେ ନିଆଁ ଲଗାଇବା ସମୟରେ ଅଗ୍ନି ନିର୍ବାପକ ଦଳ ବି ଉକ୍ତ ସ୍ଥାନକୁ ପଶି ପାରିଲେନି। କାରଣ ସେମାନେ ସବୁଆଡ଼ୁ ରାସ୍ତା ବନ୍ଦ କରିଦେଇଥିଲେ। ତେବେ ସେମାନେ କାହିଁକି ଏହି ଆକ୍ରମଣ କରିଛନ୍ତି ତାହା ମୁଁ ଜାଣିନି। ଏହାର କିଛି କାରଣ ନାହିଁ। ଏହି ସମଗ୍ର ପ୍ରକ୍ରିୟାରେ ମୁଁ କେବଳ ଶାନ୍ତି ଫେରାଇ ଆଣିବାକୁ ଚେଷ୍ଟା କରୁଛି। ମଣିପୁରରେ ଆଇନ ଶୃଙ୍ଖଳା ସ୍ଥିତି ସମ୍ପୂର୍ଣ୍ଣ ବିଫଳ ହୋଇଛି। ସରକାର ଶାନ୍ତି ରକ୍ଷା କରିପାରୁନାହାନ୍ତି। ସେଥିପାଇଁ କେନ୍ଦ୍ରୀୟ ବାହିନୀ ମୁ୍ତୟନ ହୋଇଛନ୍ତି।