କଳା ଓ ସଂସ୍କୃତି ଧର୍ମ

ମକର ସଂକ୍ରାନ୍ତିର ମହତ୍ତ୍ୱ

ଓଡ଼ିଆରେ ଗୋଟିଏ କଥା ଅଛି, “ମକର- ଦିନ ହେଲା ବକର।” ଏହାର ତାତ୍ପର୍ଯ୍ୟ ଏହି ଯେ ମକର ସଂକ୍ରାନ୍ତି ହେଉଛି ସୂର୍ଯ୍ୟଙ୍କର ଉତ୍ତରାୟଣ ଗତିର ଉଷାକାଳ। ଏଣୁ ଏହି ଦିନଠାରୁ ଦିନ ବକ୍ର ହୁଏ; ଅର୍ଥାତ୍ ଦିନର ଅବଧିରେ ପରିବର୍ତ୍ତନ ହୁଏ।

ଆମ କୃଷିକାରୀ ସଂସ୍କୃତିରେ ଏହି ସଂକ୍ରାନ୍ତିର ମହତ୍ତ୍ୱ ହେଉଛି, ଏହି ସମୟକୁ ଧାନ, ଆଖୁ ଆଦି ଶୀତକାଳୀନ ଫସଲ ଅମଳର ସମୟ ହୋଇଥାଏ। ସେ ଦୃଷ୍ଟିରୁ ଏହି ଦିନ ନୂଆ ଅରୁଆ ଚାଉଳ ଓ ନୂଆ ଗୁଡ଼ ସହିତ, ନଡ଼ିଆ, ଛେନା, କଦଳୀ ଏବଂ ଘିଅ ଓ ଦୁଧ ଆଦି ମିଶାଇ ‘ମକର-ଚାଉଳ’ ପ୍ରସ୍ତୁତ କରାହୁଏ। ତାହାକୁ ଦେବ-ଦେବୀଙ୍କୁ ଭୋଗ ଲଗାଯାଏ। ଶିବ, ସୂର୍ଯ୍ୟନାରାୟଣ ଓ ମକର-ମାଧବ ଏହି ସଂକ୍ରାନ୍ତିର ଉପାସ୍ୟ ଦେବତା।

ଦିନଥିଲା, ଲୋକେ ଭାରରେ ଏହିସବୁ ସାମଗ୍ରୀ ନେଇ ଦେବୀ-ଦେବତାଙ୍କ ମନ୍ଦିରକୁ ଆସୁଥିଲେ। ତୀର୍ଥ ପୁଷ୍କରିଣୀ ଓ ନଦୀ ଆଦିରେ ‘ମକର ସ୍ନାନ’ କରୁଥିଲେ। ଦେବ-ଦେବୀଙ୍କ ପୀଠରେ ଏହିଦିନଠାରୁ ‘ମକର ମେଳା’ ଆରମ୍ଭ ହେଉଥିଲା। ଏବେ ଅନେକ ପୀଠରେ ଏହାର ଅବଶେଷ ମାତ୍ର ରହିଛି। ଓଡ଼ିଶାର ଆଦିବାସୀ ସଂପ୍ରଦାୟର ମଧ୍ୟ ଏହା ଏକ ପ୍ରମୁଖ ପର୍ବ।

ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ହେତୁ ଏହି ଦିନଟିକୁ ଯେ ଏକଦା ନୂଆବର୍ଷ ରୂପେ ଗ୍ରହଣ କରାଯାଉଥିଲା, ତାହାର ପ୍ରମାଣ ଶ୍ରୀଜଗନ୍ନାଥ ମନ୍ଦିରର କେତେକ ରୀତିନୀତିରେ ମିଳେ। ଶ୍ରୀମନ୍ଦିରରେ ଏହା ଏକ ତିନିଦିନିଆ ଉତ୍ସବ। ମକର ସଂକ୍ରାନ୍ତିର ପୂର୍ବଦିନ ‘ଚାଉଳ ମେଲାଣ’ ଓ ‘ଫୁଲ ମେଲାଣ’ ଏବଂ ତା’ ପୂର୍ବଦିନ ‘ଦୁଧ ମେଲାଣ’ ରୂପେ ଏହା ପାଳିତ ହୋଇଥାଏ।

ଶ୍ରୀମନ୍ଦିରର ‘ସ୍ୱତ୍ୱଲିପି’ ଅନୁସାରେ, ‘ଦୁଧମେଲାଣ’ ନୀତିରେ ‘ଦେଶ’ମାନଙ୍କରୁ ଗୋପାଳମାନେ ଦୁଧଭାର ଆଣି ଆସନ୍ତି ଏବଂ ଜଗନ୍ନାଥବଲ୍ଲଭ ମଠଠାରେ ‘ଗୋଧନ’ (ଗୋ-ଦୋହନ) ନୀତି ସଂପନ୍ନ ହୁଏ। ସେହି ଦୁଧକୁ ଘଣ୍ଟ, ଛତା ଓ କାହାଳୀ ସହ ଶ୍ରୀମନ୍ଦିରକୁ ନିଆଯାଏ। ସେହିପରି ‘ଚାଉଳ ମେଲାଣ’ ନୀତିରେ ‘ଧାନଘର’ଠାରୁ ବେରବୋଇର ପ୍ରଧାନ ଚାଉଳ ବିଜେ କରନ୍ତି। ସେହି ଚାଉଳକୁ ପଟୁଆର କରି ବଡ଼ଦେଉଳ ପରିକ୍ରମା କରାଯାଏ। ‘ଫୁଲମେଲାଣ’ରେ ମାଳିମାନେ ଶ୍ରୀମନ୍ଦିରକୁ ମାଳଚୂଳ ଘେନି ଆସନ୍ତି ଏବଂ ତାହାକୁ ଶ୍ରୀମନ୍ଦିର ପରିକ୍ରମା କରାଯିବା ପରେ, ଖୁଣ୍ଟିଆ ସେବକ ନେଇ ସଂଧ୍ୟା ଆଳତି ବେଶରେ ଲାଗି କରାନ୍ତି।

ଏହି ଅବସରରେ ମକର ସଂକ୍ରାନ୍ତିର ପୂର୍ବଦିନ ଶ୍ରୀଜଗନ୍ନାଥଙ୍କର ‘ନବାଙ୍କ’ ବେଶ ମଧ୍ୟ ହୋଇଥାଏ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ