ରାଜ୍ୟ

ଭୟଙ୍କର ହେଲାଣି ବାୟୁ ପ୍ରଦୂଷଣ: ଦିଲ୍ଲୀକୁ ଟପିଲା ଅନୁଗୁଳ

ଭୁବନେଶ୍ବର: ଦେଶର ୧୯ଟି ସହରର ବାୟୁ ପ୍ରଦୂଷଣ ମାତ୍ରା ଅତି ସାଂଘାତିକ ସ୍ତରରେ ପହଞ୍ଚିଛି। ଯେଉଁଥିରେ ଓଡ଼ିଶାର ୩ଟି ସହର ଅନୁଗୁଳ, ବାଲେଶ୍ବର ଓ କଟକ ରହିଛି। ଭୁବନେଶ୍ବର ସମେତ କେନ୍ଦୁଝର, ତାଳଚେର, ବାରିପଦା, ରାଇରଙ୍ଗପୁରର ବାୟୁ ସାଂଘାତିକ ସ୍ତରରେ ପହଞ୍ଚିଲାଣି। ଗୋଟିଏ ମାସ ବ୍ୟବଧାନରେ ଏହି ସହରଗୁଡ଼ିକର ବାୟୁ ପୁଣିଥରେ ଅସ୍ବାସ୍ଥ୍ୟକର ହୋଇପଡ଼ିଛି। ସହରବାସୀ ଯେତିକି ଅମ୍ଳଜାନ ନେଉ ନାହାନ୍ତି ତା’ଠାରୁ ଅଧିକ ସଲ୍‌ଫର୍‌ ଡାଇଅକ୍ସାଇଡ୍, ନାଇଟ୍ରୋଜେନ୍‌ ଡାଇଅକ୍ସାଇଡ୍, କାର୍ବନ ମନୋକ୍ସାଇଡ୍, କାର୍ବନ ଡାଇଅକ୍ସାଇଡ୍ ଓ ବିଷାକ୍ତ ଧୂଳିକଣାକୁ ଶରୀର ଭିତରକୁ ନେଉଛନ୍ତି। ଯାହାଦ୍ବାରା ହୃଦ୍‌ଘାତ, ଶ୍ବାସକ୍ରିୟା ଜନିତ ରୋଗ, ଫୁସ୍‌ଫୁସ୍‌ କର୍କଟ, ଯକ୍ଷ୍ମା, ଆଜ୍‌ମା ପରି ରୋଗ ବ୍ୟାପିବାର ଆଶଙ୍କା ପ୍ରକାଶ ପାଇଛି।

ଚିନ୍ତାର କାରଣ ହେଉଛି ଯେ ଅନୁଗୁଳର ବାୟୁ ମାନ ସୂଚକାଙ୍କ(ଏକ୍ୟୁଆଇ) ଦିଲ୍ଲୀ ସ୍ଥିତିକୁ ବଳି ଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀର ଏକ୍ୟୁଆଇ ପିଏମ୍‌-୨.୫ ତଥା ଛୋଟ ଧୂଳିକଣାର ମାତ୍ରା ୩୪୧ରେ ରହିଥିଲା। ଯେତେବେଳେ କି ଅନୁଗୁଳର ପିଏମ୍‌-୨.୫ ମାତ୍ରା ୩୫୪ରେ ପହଞ୍ଚିଛି। ବାଲେଶ୍ବରରେ ୩୧୨ ଥିବା ବେଳେ କଟକରେ ୩୦୩ ଥିଲା। ଉଭୟ ସହରରେ ବାୟୁର ସ୍ଥିତି ଜଟିଳ ସ୍ଥିତିକୁ ଚାଲିଯାଇଛି। ତାଳଚେରରେ ୨୯୪, କେନ୍ଦୁଝର ୨୯୩, ଭୁବନେଶ୍ବର ୨୮୮, ବାରିପଦାରେ ୨୫୩, ରାଇରଙ୍ଗପୁରରେ ଏକ୍ୟୁଆଇ ମାତ୍ରା ୨୦୮ ରହିଥିଲା। ଗତକାଲି ତଥା ମଙ୍ଗଳବାର ମଧ୍ୟ ସମାନ ସ୍ଥିତି ଉପୁଜିଥିଲା। ଦିଲ୍ଲୀକୁ ପଛରେ ପକାଇ ତାଳଚେରର ବାୟୁ ଅଧିକ ପ୍ରଦୂଷିତ ଥିଲା। ତାଳଚେରରେ ଏକ୍ୟୁଆଇ ମାତ୍ରା ୩୬୪ ଥିବା ବେଳେ କଟକ ଓ ବାଲେଶ୍ବରରେ ୩୩୪, ଭୁବନେଶ୍ବରରେ ୩୧୬, ବାରିପଦା ଓ କେନ୍ଦୁଝରରେ ୩୧୦ ରହିଥିଲା। ଦିଲ୍ଲୀର ଏକ୍ୟୁଆଇ ୩୪୦ ରହିଥିଲା। ବର୍ତ୍ତମାନ ପ୍ରଦୂଷିତ ହୋଇଥିବା ଓଡ଼ିଶାର ସହରଗୁଡ଼ିକର ସ୍ଥିତି ଦେଖିଲେ ତାହା ଦୀପାବଳି ପରବର୍ତ୍ତୀ ଅବସ୍ଥାକୁ ବଳି ଯାଇଛି। ବାୟୁମଣ୍ଡଳର ଛୋଟ ଧୂଳିକଣାର ମାତ୍ରା ସବୁଠାରୁ ଅଧିକ ରହିଛି।

ଦୀପାବଳିରେ ବାଣ ଫୁଟିବା ଯୋଗୁଁ ବାୟୁ ପ୍ରଦୂଷଣ ହୋଇଥିଲା। ମାତ୍ର ଏବେକାର ସ୍ଥିତିକୁ ନେଇ ବିଶେଷଜ୍ଞମାନେ ଭିନ୍ନ ମତପୋଷଣ କରିଛନ୍ତି। ସେମାନଙ୍କ କହିବା କଥା ହେଉଛି ଯେ ଯେଉଁ ଅଞ୍ଚଳରେ ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହେଉଛି ସେଠାକାର ବାୟୁ ଅଧିକ ପ୍ରଦୂଷିତ ହେଉଥିବା ନଜରକୁ ଆସିଛି। ନିର୍ମାଣାଧୀନ କୋଠା, ରାସ୍ତା ଖୋଳାଯିବା, ରାସ୍ତାପାର୍ଶ୍ବରେ ଅଳିଆ ଆବର୍ଜନା ଓ ବାଲି ଜମା ହେବା ଦ୍ବାରା ସେଥିରୁ ନିର୍ଗତ ହେଉଥିବା ଧୂଳିକଣା ସହରକୁ ଅଧିକ
ପ୍ରଦୂଷିତ କରୁଛି। ଅଧିକାଂଶ ସ୍ଥାନରେ ରାସ୍ତା କାମ ହେଉଥିଲେ ମଧ୍ୟ ପାଣି ପକାଯାଉ ନ ଥିବାରୁ ଗାଡ଼ି ଚାଲିବା ଦ୍ବାରା ସେଥିରୁ ଉଡ଼ୁଥିବା ଧୂଳିକଣା ପ୍ରଦୂଷଣର ଅନ୍ୟତମ କାରଣ ପାଲଟିଛି। ସେହିପରି ଘନ କୁହୁଡ଼ି ସାଙ୍ଗକୁ ପବନର ବେଗ ମନ୍ଥର ଓ ବାୟୁରେ ଆର୍ଦ୍ରତା ରହିଥିବାରୁ ପ୍ରଦୂଷଣ ମାତ୍ରା ବଢ଼ୁଥିବା ବିଶେଷଜ୍ଞମାନେ କହିଛନ୍ତି। ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର କହିବା କଥା ହେଉଛି ଯେ ଦୀପାବଳି ପରବର୍ତ୍ତୀ ସମୟରେ ଯେଉଁ ସ୍ଥିତି ରହିଥିଲା ସେଥିରେ ବହୁ ଉନ୍ନତି ଆସିଥିଲା। ଗୋଟିଏ ଦୁଇଟି ସହର ବ୍ୟତୀତ ଅନ୍ୟ ସବୁଠି ପ୍ରଦୂଷଣର ମାତ୍ରା ସନ୍ତୋଷଜନକ ନ ହେଲେ ମଧ୍ୟମ ଧରଣରେ ରହିଥିଲା। ତେବେ ଗତ ତିନି ଦିନ ହେବ ବାୟୁ ପ୍ରଦୂଷଣର ମାତ୍ରା ହଠାତ୍‌ ବଢ଼ିଯାଇଛି। ଅଧିକାଂଶ ସହରରେ କୁହୁଡ଼ି ପଡ଼ୁଥିବାରୁ ଏଭଳି ସମସ୍ୟା ସୃଷ୍ଟି ହୋଇଛି। ତଥାପି ସ୍ଥିତି ଉପରେ ନଜର ରଖିବାକୁ ଆଞ୍ଚଳିକ ଅଧିକାରୀଙ୍କୁ କୁହାଯାଇଛି।

ସୂଚନଯୋଗ୍ୟ ଯେ ସାଧାରଣ ବାୟୁର ଏକ୍ୟୁଆଇ ୫୦ କିମ୍ବା ତା’ଠାରୁ ତଳକୁ ରହିଲେ, ଭଲ ବୋଲି ବିବେଚନା କରାଯାଏ। ସେହିପରି ସୂଚକାଙ୍କ ୫୦ରୁ ୧୦୦ ମଧ୍ୟରେ ରହିଲେ ସନ୍ତୋଷଜନକ, ୧୦୧ରୁ ୨୦୦ ମଧ୍ୟରେ ରହିଲେ ମଧ୍ୟମ ଧରଣର, ୨୦୧ରୁ ୩୦୦ ଭିତରେ ରହିଲେ ସାଂଘାତିକ ଓ ୩୦୧ରୁ ୪୦୦ ମଧ୍ୟରେ ରହିଲେ ଅତିସାଂଘାତିକ ବୋଲି ଧରାଯାଏ। ସେହି ଅନୁଯାୟୀ ଦେଖିଲେ ରାଜ୍ୟର ସମସ୍ତ ସହରର ବାୟୁର ମାନ ଭଲ ଅବସ୍ଥାକୁ ଫେରୁଥିବା ସିପିସିବି ରିପୋର୍ଟରେ କୁହାଯାଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।