ଅଭିନେତା ସଞ୍ଜୟ ଦତ୍ତଙ୍କୁ ଏବେ ନୂଆ ଚଳଚ୍ଚିତ୍ର ‘କେଜିଏଫ୍–୨’ରେ ଏକ ଭିନ୍ନ ଅବତାରରେ ଦେଖିବାକୁ ମିଳିବ। ସମ୍ଭବତଃ ଏହା ହେବ ତାଙ୍କ ଅଭିନୟ କ୍ୟାରିୟର୍ର ସବୁଠୁ ଭୟଙ୍କର ଅବତାର। ବ୍ଲକ୍ ବ୍ଲଷ୍ଟର୍ ମୁଭି ‘କେଜିଏଫ୍’ର ଦ୍ବିତୀୟ ଭାଗ ନିର୍ମାଣ ହେଉଛି। କନ୍ନଡ ସିନେମାର ସୁପରଷ୍ଟାର୍ ୟାଶ୍ଙ୍କ ଅଭିନୀତ ଏଇ ଚଳଚ୍ଚିତ୍ରରେ ଖଳନାୟକ ସାଜିଛନ୍ତି ବଲିଉଡ୍ ବଡି ବିଲ୍ଡର ସଞ୍ଜୟ ଦତ୍ତ। ଏଥିରେ ସଞ୍ଜୟଙ୍କ ଚେହେରା ଏତେ ଭୟଙ୍କର ହେଇଛି ଯେ ଦର୍ଶକ ତାଙ୍କୁ ଦେଖିଲେ ଭୟଭୀତ ହେଇଯିବେ।
ସେତେବେଳେ ହାଇଦ୍ରାବାଦ, ମହୀଶୂର, ସାଇନାଇଡ୍ ହିଲ୍ସ, ମାଙ୍ଗାଲୋରରେ ସୁଟିଂ ସରି ବେଙ୍ଗାଲୁରରେ ଏହାର ଅବଶିଷ୍ଟାଂଶ ସୁଟିଂ ଚାଲିଥିଲା। ସୌଭାଗ୍ୟବଶତଃ ସଞ୍ଜୟ ଏଇ ସିନେମାରେ ତାଙ୍କର ଅର୍ଦ୍ଧାଧିକ ସିନ୍ର ସୁଟିଂ ସାରିଦେଇଥିଲେ। କେବଳ ଗୋଟିଏ ଦୁଇଟି ସିନ୍ର ସୁଟିଂ ବାକି ଥିଲା। ଫୁସ୍ଫୁସ୍ କ୍ୟାନ୍ସରରେ ପୀଡ଼ିତ ସଞ୍ଜୟଙ୍କ ଦେହ ଅସୁସ୍ଥ ସତ୍ତ୍ବେ ତାଙ୍କର ପୂର୍ବ ଦୃଶ୍ୟାୟନକୁ ନିର୍ଦ୍ଦେଶକ ପ୍ରଶାନ୍ତ ନିଲ୍ ବେଶ୍ ସୁନ୍ଦର ଭାବେ ଉତ୍ତୋଳନ କରାଇ ନେଇଥିଲେ। ସୁଟିଂ ସମୟରେ ନିର୍ଦ୍ଦେଶକ ଏବଂ ଏଇ ମୁଭିର ଅନ୍ୟ ପ୍ରମୁଖ କଳାକାର ସୁନିଧି ସେଟ୍ଟୀ, ରବିନା ଟଣ୍ଡନ, ପ୍ରକାଶ ରାଜ୍ ଏବଂ ଅନ୍ୟ ସମସ୍ତ ସଦସ୍ୟମାନେ ସଞ୍ଜୟଙ୍କ ସୁସ୍ଥତାକୁ ନେଇ ଈଶ୍ବରଙ୍କ ନିକଟରେ ପ୍ରାର୍ଥନା କରିଥିଲେ।
ଲକ୍ଡାଉନ୍ ସକାଶେ ସାରା ବିଶ୍ବରେ ସିନେମା ହଲ୍ଗୁଡ଼ିକ ବନ୍ଦ ଥିବାରୁ ‘କେଜିଏଫ୍-୨’ ମୁକ୍ତିଲାଭ କରିବାକୁ ନେଇ ବିଳମ୍ବ ହେଇଥିଲା। ୨୩ ଅକ୍ଟୋବର, ୨୦୨୦ରେ ରିଲିଜ୍ ହେବାର ଥିଲା, ପୁଣି ଏହା ସ୍ଥଗିତ ହେଲା। ୧୬ ଜୁଲାଇରେ କେବଳ କନ୍ନଡ଼ ଭାଷାରେ ମୁକ୍ତିଲାଭ କରିବ ବୋଲି ପ୍ରଡକ୍ସନ୍ ହାଉସ୍ ପକ୍ଷରୁ ଘୋଷଣା ହେଇଥିଲା। ପରେ ତାମିଲ୍, ତେଲୁଗୁ, ମାଲାୟଲମ୍ ଓ ହିନ୍ଦୀ ଭାଷାରେ ଏହା ରିଲିଜ୍ ହେବ ବୋଲି ସୂଚନା ଦିଆଯାଇଥିଲା। ହେଲେ କୋଭିଡ୍ର ଦ୍ବିତୀୟ ଲହର ଯୋଗୁଁ ଚଳଚ୍ଚିତ୍ରର ଅଦ୍ୟାବଧି ନିର୍ମାଣ ସରିନାହିଁ। ହେଲେ ଅନ୍ୟ ସିନେମା ପରି ଏହା ଓଟିଟି ପ୍ଲାଟ୍ଫର୍ମରେ ରିଲିଜ୍ କରିବାର ପ୍ରଶ୍ନ ଉଠୁନାହିଁ ବୋଲି ପ୍ରଯୋଜନା ସଂସ୍ଥା କହିଛି।

