ରାଜ୍ୟ

ଭୋଟରଙ୍କ ପସନ୍ଦ ନୂଆ ଚେହେରା: ଜଗତ୍‌ସିଂହପୁର ଲୋକସଭା ଆସନ ଦେଉଛି ଭିନ୍ନ ସଙ୍କେତ

ଶୁଭକାନ୍ତ ପଢିହାରି

ଜଗତସିଂହପୁର: ୧୯୯୯ରୁ ୨୦୨୪। ୨୫ବର୍ଷ ମଧ୍ୟରେ ୫ଥର ଲୋକସଭା ନିର୍ବାଚନ ହୋଇଛି। ଯେଉଁ କଥାଟି ଲକ୍ଷ୍ୟ କରାଯିବା କଥା, ତାହା ହେଲା- ପ୍ରତି ନିର୍ବାଚନରେ ଜଗତସିଂହପୁର ଲୋକସଭା ଆସନରୁ ଜଣେ ଜଣେ ନୂଆ ଚେହେରା ସାମନାକୁ ଆସିଛନ୍ତି ଓ ଜିତିଛନ୍ତି। ଏଣୁ ୨୦୨୪ ସାଧାରଣ ନିର୍ବାଚନରେ ଜଗତସିଂହପୁର ଲୋକସଭା ଆସନରୁ ପୁଣି ଜଣେ ନୂଆ ନେତା ନିର୍ବାଚିତ ହୋଇ ସଂସଦକୁ ଯିବେ, ନା ପୁରୁଣା ନେତାଙ୍କୁ ସୁଯୋଗ ମିଳିବ, ତାହାକୁ ନେଇ ରାଜନୈତିକ ମହଲରେ କଳ୍ପନାଜଳ୍ପନା ଆରମ୍ଭ ହୋଇଗଲାଣି।
୧୯୯୯ ଲୋକସଭା ନିର୍ବାଚନରେ ବିଜେଡି ପ୍ରାର୍ଥୀ ଭାବେ ଉଭା ହୋଇଥିଲେ ତ୍ରିଲୋଚନ କାନୁନଗୋ, ଜିତିଥିଲେ। ୨୦୦୪ରେ ବିଜେଡି ବ୍ରହ୍ମାନନ୍ଦ ପଣ୍ଡାଙ୍କୁ ପ୍ରାର୍ଥୀ କଲା ଓ ସେ ମଧ୍ୟ ବିଜୟ ଲାଭ କଲେ। ବିଜେଡି-ବିଜେପି ମେଣ୍ଟ ଭାଙ୍ଗିବା ପରେ ୨୦୦୯ରେ ସିପିଆଇ ପ୍ରାର୍ଥୀ ଭାବେ ବିଭୂ ପ୍ରସାଦ ତରାଇ ଏହି ଆସନରେ ଲଢ଼ି ନିର୍ବାଚିତ ହୋଇଥିଲେ। ୨୦୧୪ରେ ବିଜେଡି ଡାକ୍ତର କୁଳମଣି ସାମଲଙ୍କୁ ଓ ୨୦୧୯ରେ ଡାକ୍ତର ରାଜଶ୍ରୀ ମଲ୍ଲିକଙ୍କୁ ଗୁରୁତ୍ବପୂର୍ଣ୍ଣ ଏହି ଲୋକସଭା ଆସନରେ ପ୍ରାର୍ଥୀ କରାଇ ଜିତାଇଛି। ଅର୍ଥାତ୍‌ ଏହି ୨୫ ବର୍ଷ ମଧ୍ୟରେ ଜଗତସିଂହପୁର ଲୋକସଭା ଆସନରୁ କାହାରିକୁ ଦ୍ବିତୀୟ ଥର ନିର୍ବାଚିତ ହେବାର ସୁଯୋଗ ମିଳିନି। ଯଦିଓ ପୂର୍ବତନ ସାଂସଦ ବିଭୂ ପ୍ରସାଦ ତରାଇ ୨୦୧୯ରେ ବିଜେପିରୁ ପ୍ରାର୍ଥୀ ହୋଇଥିଲେ, ତାଙ୍କୁ ପରାଜୟ ସାମ୍ନା କରିବାକୁ ପଡ଼ିଥିଲା।

୨୦୨୪ ପାଇଁ ଏବେ ଟିକେଟ୍ କସରତ ଆରମ୍ଭ ହୋଇଗଲାଣି। ହେଲେ ସାଂସଦ ଶ୍ରୀମତୀ ମଲ୍ଲିକ ଏବେ ଆଉ ଲୋକସଭା ଆସନରୁ ଲଢ଼ିବା ପାଇଁ ଚାହୁଁନାହାନ୍ତି। ବରଂ ତିର୍ତ୍ତୋଲ ଆସନ ଉପରେ ତାଙ୍କର ଆଖି ରହିଛି। ଯେହେତୁ ତିର୍ତ୍ତୋଲ ବିଧାୟକ ବିଜୟଶଙ୍କର ଦାସ ବିବାଦରେ ଫସି ରହିଛନ୍ତି ତେଣୁ ସେଠାରେ ରାଜଶ୍ରୀ ତାଙ୍କ ପାଇଁ ସୁଯୋଗ ଦେଖିପାରୁଛନ୍ତି। ଅନ୍ୟପଟେ କ୍ରୀଡ଼ା ଓ ଯୁବସେବା ବ୍ୟାପାର ମନ୍ତ୍ରୀ ତଥା କାକଟପୁର ବିଧାୟକ ତୁଷାରକାନ୍ତି ବେହେରା ଏବେ ଜଗତସିଂହପୁର ଲୋକସଭା (ସଂରକ୍ଷିତ) ଆସନରୁ ବିଜେଡିର ପ୍ରମୁଖ ଦାବିଦାର ଭାବେ ଆଲୋଚନାକୁ ଆସିଛନ୍ତି। ବିଜେପି ପୂର୍ବତନ ସାଂସଦ ବିଭୂ ପ୍ରସାଦ ତରାଇଙ୍କୁ ଲଢ଼ାଇବ ବୋଲି ଗୋଟିଏ ଗୋଷ୍ଠୀ ଦାବି କରୁଥିବା ବେଳେ କଂଗ୍ରେସରୁ ପ୍ରତିମା ମଲ୍ଲିକଙ୍କ ବିକଳ୍ପ ଭାବେ ଆଉ ସେଭଳି ପ୍ରଭାବଶାଳୀ ନାମ ଏଯାଏ ସାମ୍‌ନାକୁ ଆସିପାରି ନାହିଁ। ରାଜନୈତିକ ତଥା ଭୌଗୋଳିକ ଦୃଷ୍ଟିକୋଣରୁ ଜଗତସିଂହପୁର‌ ଲୋକସଭା ଆସନର ସ୍ବତନ୍ତ୍ର ଗୁରୁତ୍ବ ରହିଛି। ଜଗତସିଂହପୁର ଲୋକସଭା ଆସନ ୩ଟି ଜିଲ୍ଲାକୁ ବ୍ୟାପିଛି। ଜଗତସିଂହପୁର ଲୋକସଭା ଆସନରେ ଜଗତସିଂହପୁର ଜିଲ୍ଲାର ସମସ୍ତ ୪ଟି ଯାକ ନିର୍ବାଚନମଣ୍ଡଳୀ ଜଗତସିଂହପୁର, ବାଲିକୁଦା-ଏରସମା, ତିର୍ତ୍ତୋଲ ଓ ପାରାଦୀପ ରହିଥିବା ବେଳେ କଟକ ଜିଲ୍ଲାର ନିଆଳି ବିଧାନସଭା ଆସନ ଓ ପୁରୀ ଜିଲ୍ଲାର କାକଟପୁର ଏବଂ ନିମାପଡ଼ା ନିର୍ବାଚନମଣ୍ଡଳୀକୁ ନେଇ ଏହି ସଂସଦୀୟ କ୍ଷେତ୍ର ଗଠନ କରାଯାଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।