ରାଜ୍ୟ

ଭୋଟରଙ୍କ ଘର ମୁହାଁ ନେତା: ରାଜଧାନୀରେ ରାଜନୀତି ଉଷ୍ମ

ଭୁବନେଶ୍ବର: ମୁଣ୍ଡ ଉପରେ ୨୦୨୪ ସାଧାରଣ ନିର୍ବାଚନ। ହାତରେ ଆଉ ୪ରୁ ୫ ମାସ ସମୟ। ତେଣୁ ଏବେଠାରୁ ରାଜଧାନୀରେ ପତିଆରା ଜାହିର କରିବାକୁ ରାଜ୍ୟର ତିନି ପ୍ରମୁଖ ରାଜ‌ନୈତିକ ଦଳ ଅଣ୍ଟା ଭିଡ଼ିଛନ୍ତି। ଘରେ ଘରେ ପହଞ୍ଚି ଭୋଟରଙ୍କୁ ନିଜ ଆଡ଼କୁ ଟାଣିବାକୁ ତିନି ଦଳର ନେତା ଏବେ ଦିନରାତି ଏକ କରି ଦେଇଛନ୍ତି। ଶାସକ ବିଜେଡି ଦଳ ‘ଘରେ ଘରେ ଶଙ୍ଖ ଜନସମ୍ପର୍କ ଅଭିଯାନ’ ଆରମ୍ଭ କରି ଲୋକଙ୍କ ଆହୁରି ନିକଟତର ହେବାକୁ ପ୍ରୟାସ କରୁଥିବା ବେଳେ ବିରୋଧୀ ବିଜେପି ଓ କଂଗ୍ରେସ ମଧ୍ୟ ଭୋଟରଙ୍କ ଘରେ ପହଞ୍ଚିବାକୁ ଯୋଜନା ପସ୍ତୁତ କରିଛନ୍ତି। କଂଗ୍ରେସ ପକ୍ଷରୁ ‘ଘରେ ଘରେ କଂଗ୍ରେସ ଘରେ ଘରେ ହାତ’ କାର୍ଯ୍ୟକ୍ରମ ଆଜିଠୁ ଆରମ୍ଭ ହୋଇଥିବା ବେଳେ ସହରରେ ଆବର୍ଜନା ଗନ୍ଧ ପ୍ରସଙ୍ଗକୁ ନେଇ ଭୁବନେଶ୍ବର ଜିଲ୍ଲା ବିଜେପି ଏବେ ଲୋକଙ୍କ ଘର ମୁହାଁ ହୋଇଛି। ତିନି ପ୍ରମୁଖ ଦଳ ନେତାଙ୍କ ଘର ମୁହାଁ ରଣକୌଶଳ ରାଜଧାନୀ ରାଜନୀତିକୁ ଉଷ୍ମ କରିଛି।

ବିଜେଡିର ଯୋଜନା ଅନୁଯାୟୀ ସପ୍ତାହ ସାରା ଭୁବନେଶ୍ବର ସଂସଦୀୟ କ୍ଷେତ୍ରରେ ‘ଘରେ ଘରେ ଶଙ୍ଖ ଜନସମ୍ପର୍କ ଅଭିଯାନ’ କରାଯିବ। ସଂସଦୀୟ କ୍ଷେତ୍ରର ୭ଟି ଯାକ ବିଧାନସଭା ମଣ୍ଡଳୀରେ ଏହି ଅଭିଯାନ କରିବାକୁ ନିଷ୍ପତ୍ତି ହୋଇଛି। କେଉଁ ଦିନ କେଉଁ ବିଧାନସଭା କ୍ଷେତ୍ରରେ ଅଭିଯାନ ହେବ ସେନେଇ ରୂପରେଖ ପ୍ରସ୍ତୁତ ହୋଇଛି। ସପ୍ତାହର ଗୋଟିଏ ଦିନ ଗୋଟିଏ ବିଧାନସଭା ନିର୍ବାଚନ ମଣ୍ଡଳୀରେ ସ୍ଥାନୀୟ ବିଜେଡି ନେତାଙ୍କ ସହ ସଂସଦୀୟ କ୍ଷେତ୍ରର ବିଜେଡି ପର୍ଯ୍ୟବେକ୍ଷକ ଘରକୁ ଘର ବୁଲି ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଲୋକଙ୍କୁ ବୁଝାଇବେ। ଭୋଟରଙ୍କ ଭଲ ମନ୍ଦ ବୁଝିବେ। ଯେଉଁମାନଙ୍କର କୌଣସି ଅସୁବିଧା କିମ୍ବା ସମସ୍ୟା ରହିଥିବ ତାହା କିଭଳି ସମାଧାନ ହୋଇପାରିବ ସେଥିପ୍ରତି ଗୁରୁତ୍ବ ଦେବେ। ପ୍ରଥମ ପର୍ଯ୍ୟାୟ ଅଭିଯାନ ଶେଷ ହେବାକୁ ବସିଛି।
କଂଗ୍ରେସ ପକ୍ଷରୁ ‘ଘରେ ଘରେ କଂଗ୍ରେସ ଘରେ ଘରେ ହାତ’ କାର୍ଯ୍ୟକ୍ରମ ଅବସରରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ‘ବସ୍ତି ବିକାଶ ଅଭିଯାନ’ର ଆଜି ଆରମ୍ଭ ହୋଇଛି। ବିଏମ୍‌ସି ୫୩ ନମ୍ବର ୱାର୍ଡର କୁକୁଡ଼େଶ୍ୱର ମନ୍ଦିରରେ ପୂଜା ଅର୍ଚ୍ଚନା କରି କଂଗ୍ରେସ ନେତୃବୃନ୍ଦ ବସ୍ତି ଅଭିମୁଖେ ବାହାରିଥିଲେ। ପରେ ପଳାଶପଲ୍ଲୀରୁ କାରଗିଲ୍ ବସ୍ତି ପର୍ଯ୍ୟନ୍ତ ଏବଂ ଅପରାହ୍ନରେ ୫୬ ନମ୍ବର ୱାର୍ଡର ଗଧିଆଖାଲ ବସ୍ତିରୁ ମହିଷାଖାଲ ବସ୍ତି ପର୍ଯ୍ୟନ୍ତ ବିକାଶ ଅଭିଯାନ ହୋଇଥିଲା। ଘରକୁ ଘର ବୁଲି ଲୋକଙ୍କ ପାଖରେ ପହଞ୍ଚି ବସ୍ତିବାସିନ୍ଦାଙ୍କ ସୁବିଧା ଅସୁବିଧା ବୁଝିବା ସହିତ କିଭଳି ବସ୍ତି ଲୋକଙ୍କୁ ରାଜ୍ୟ ସରକାର ପ୍ରତାରଣା ଦେଇ ଚାଲିଛନ୍ତି ସେସମ୍ପର୍କରେ ବୁଝାଇଥିଲେ। ପ୍ରକୃତରେ ବସ୍ତିବାସିନ୍ଦାଙ୍କର କ’ଣ ଅଧିକାର ରହିଛି ସେନେଇ ସୂଚାଇଥିଲେ। ପ୍ରଦେଶ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ କାର୍ଯ୍ୟକ୍ରମର ଆରମ୍ଭ କରିଥିବାବେଳେ ଭୁବନେଶ୍ୱର ଜିଲ୍ଲା ସଭାପତି ବିଶ୍ୱଜିତ ଦାଶ, ରାଜ୍ୟ ମହିଳା କଂଗ୍ରେସ ଉପସଭାନେତ୍ରୀ ରଶ୍ମି ମହାପାତ୍ରଙ୍କ ସମେତ ବହୁ କଂଗ୍ରେସ ନେତୃବୃନ୍ଦ ଓ କର୍ମୀ ଯୋଗ ଦେଇଥିଲେ।

ରାଜଧାନୀକୁ ଅଳିଆ, ଆବର୍ଜନାର ପାହାଡ଼ ଓ ଦୁର୍ଗନ୍ଧରୁ ମୁକ୍ତି ପାଇଁ ଜିଲ୍ଲା ବିଜେପି ପକ୍ଷରୁ ଚାଲିଥିବା ‘ସତ୍ୟାଗ୍ରହ’ ୨୦ ଦିନରେ ପହଞ୍ଚିଛି। ରାଜ୍ୟ ସରକାରଙ୍କ ଉଦାସୀନତା ଅଭିଯୋଗ କରି ବିଜେପି ପ୍ରଚାରପତ୍ର ନେଇ ଦୁଇ ଦିନ ହେଲା ଲୋକଙ୍କ ପାଖକୁ ଯାଉଛି। ବିଜେପି ଜିଲ୍ଲା ସଭାପତି ବାବୁ ସିଂ, ରାଜ୍ୟ ମୁଖପାତ୍ର ଦିଲ୍ଲୀପ ମହାନ୍ତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ ଗତ ଶୁକ୍ରବାର ପ୍ରଚାର ରଥର ଶୁଭାରମ୍ଭ କରିବା ପରେ ଏବେ ତାହା ସହରର ବିଭିନ୍ନ ଗଳିକନ୍ଦୀ ଓ ଛକରେ ବୁଲି ଲୋକଙ୍କୁ ସଚେତନ କରାଉଛି। ଦଳର ନେତାମା‌ନେ ଏବେ ବିଏମ୍‌ସିର ବିଭିନ୍ନ ୱାର୍ଡ ଅନ୍ତର୍ଗତ ଗାଁ, ବସ୍ତି ଓ କଲୋନିକୁ ଯାଇ ଦୁର୍ଗନ୍ଧ ସମ୍ପର୍କରେ ଲୋକଙ୍କୁ ଅବଗତ କରାଉଛନ୍ତି। ରାଜ୍ୟ ମୁଖପାତ୍ର ଶ୍ରୀ ମହାନ୍ତି କହିଛନ୍ତି ଯେ ଦୁର୍ନୀତି, ଭ୍ରଷ୍ଟାଚାର, ବ୍ୟଭୀଚାରର ପାହାଡ଼ ରାଜ୍ୟ ଶାସନ ବ୍ୟବସ୍ଥା ପାଇଁ ବିପଦ ସୃଷ୍ଟି କରିଛି। ଏହାଦ୍ବାରା ସାଧାରଣ ଜନତା ଅସ୍ତବ୍ୟସ୍ତ ହେଲେଣି। ଗୋଟିଏ ପଟେ ରାଜଧାନୀରେ ବିଏମସି ପ୍ରଶାସନ ସ୍ଥାଣୁ ପାଲଟି ସାରିଥିବା ବେଳେ ଅନ୍ୟପଟେ ରାଜ୍ୟ ସରକାର ହାତ ଟେକି ଦେଇଛନ୍ତି। ସାଧାରଣ ଜନତାଙ୍କ ସ୍ୱାର୍ଥ ପାଇଁ ଜିଲ୍ଲା ବିଜେପି ପକ୍ଷରୁ ଆରମ୍ଭ ହୋଇଥିବା ଏହି ସତ୍ୟାଗ୍ରହ ଡମ୍ପିଂୟାର୍ଡର ସ୍ଥାୟୀ ସମାଧାନ କରା ନ ଯିବା ପର୍ଯ୍ୟନ୍ତ ଜାରି ରହିବ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।