ରାଜ୍ୟ ସ୍ପେଶାଲ ରିପୋର୍ଟ

ଭୁଶୁଡ଼ିଲାଣି ଲାଲଗଡ଼; ୮ ବର୍ଷରେ ଆତ୍ମସମର୍ପଣ କଲେଣି ୨୧୦ ହାର୍ଡକୋର ମାଓବାଦୀ

ଭୁବନେଶ୍ବର, (ତାପସ ଦାସ): ଭୁଶୁଡ଼ୁଛି ଲାଲଗଡ଼। ଦିନ ଥିଲା ସେମାନେ ମାଓବାଦୀମାନଙ୍କୁ ସହଯୋଗର ହାତ ବଢ଼ାଇ ଦେଉଥିଲେ। କେବଳ ସହଯୋଗର ହାତ ନୁହେଁ, ଶରୀର ଅସୁସ୍ଥ ହେଲେ ଔଷଧ ଆଣି ଦେଉଥିଲେ। ରାସନ କିଣି ଦେଉଥିଲେ। ଆଉ ଆବଶ୍ୟକ ହେଲେ ରାତି ବେଳା ରୋଷେଇ କରି ଖୁଆଇ ଗାଁରେ ଆଶ୍ରୟ ଦେଉଥିଲେ। କିନ୍ତୁ ଏବେ ସେହିମାନଙ୍କ ସ୍ଲୋଗାନ୍ ହେଉଛି ‘ମାଓବାଦୀ ମୁର୍ଦାବାଦ’। ଲାଲଗଡ଼ର ଅଣ୍ଟା ଏବେ ଭାଙ୍ଗିବା ଆରମ୍ଭ କଲାଣି। ଧୀରେ ଧୀରେ ମାଓବାଦୀମାନଙ୍କଠାରୁ ସେମାନେ ଦୂରେଇ ଗଲେଣି। ଗତ ୬ ମାସ ମଧ୍ୟରେ ୨୫୫୪ ଜଣ ମିଲିସିଆ ପୁଲିସ ନିକଟରେ ଆତ୍ମସମର୍ପଣ କରିବା ହେଉଛି ଏହାର ଜ୍ବଳନ୍ତ ଉଦାହରଣ। କେବଳ ମିଲିସିଆ କାହିଁକି, ଗତ ୮ ବର୍ଷରେ ରାଜ୍ୟରେ ୨୧୦ ଜଣ ହାର୍ଡକୋର ମାଓବାଦୀମା‌ନେ ମଧ୍ୟ ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଯେଉଁମାନଙ୍କ ନାଁରେ ଥିଲା ଅପହରଣ, ହତ୍ୟା ଭଳି ସଂଘାତିକ ଅଭିଯୋଗ। ଆଉ ମୁଣ୍ଡରେ ଥିଲା ୫ରୁ ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପୁରସ୍କାର। ରାଜ୍ୟ ସରକାରଙ୍କ ଆତ୍ମ-ସମର୍ପଣ ଓ ପୁର୍ନବାସ ଯୋଜନା ଏବଂ ତା ସାଙ୍ଗକୁ ମାଓ ଅଞ୍ଚଳରେ ସ୍ବାସ୍ଥ୍ୟସେବାଠାରୁ ଆରମ୍ଭ କରି ଶିକ୍ଷା, ଗମନାଗମନରେ ଆଦିରେ ଦ୍ରୁତ ବିକାଶ ହିଁ ମାଓବାଦୀ ଓ ମିଲିସିଆମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ୍ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି।ଯାହା ଫଳରେ ରାଜ୍ୟରେ ୨୧ଟି ମାଓପ୍ରବଣ ଜିଲ୍ଲାରୁ ଏବେ ହ୍ରାସ ପାଇ ମାତ୍ର ୧୦‌ରେ ପହଞ୍ଚିଛି। ଖୁବ୍ ଏହି ଶୀଘ୍ର ଏହି ତାଲିକାରେ ଏକ ବଡ଼ ଧରଣର ପରିବର୍ତ୍ତନ ହେବ ବୋଲି ଗୁଇନ୍ଦା ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ଗୁଇନ୍ଦା ବିଭାଗର ବରିଷ୍ଠ ଅଧିକାରୀ କହିଛନ୍ତି, ମାଓବାଦୀମାନଙ୍କ ବଳ ହେଉଛନ୍ତି ମିଲିସିଆ। ମିଲିସିଆମାନେ ମାଓବାଦୀମାନଙ୍କ ଭଳି ଆର୍ମସ୍ ଟ୍ରେନିଂ ନେଇଥାନ୍ତି। ସେମାନଙ୍କୁ ଭଲ ଭାବେ ଜଣା କେମିତି ଟିଫିନ୍ ବୋମା ଖଞ୍ଜା ଯାଇଥାଏ, ଗ୍ରେନେଡ ଫିଙ୍ଗା ଯାଇଥାଏ। ସେହିପରି ସେମାନେ ପଲିଟିକାଲ୍ ଟ୍ରେନିଂ ମଧ୍ୟ ନେଇଥାନ୍ତି। ଏପରିକି ମାଓବାଦୀମାନେ ଗାଁକୁ ଆସିଲେ ସେମାନେ ଶିବିର ନିକଟରେ ସେଣ୍ଟ୍ରି ଡ୍ୟୁଟି କରିଥାନ୍ତି। ନୟାଗଡ଼ ଓ କୋରାପୁଟ ଆକ୍ରମଣବେଳେ ମିଲିସିଆମାନେ ହିଁ ମୁଖ୍ୟ ଭୂମିକା ନେଇଥିଲେ। ତେଣୁ ସେମାନେ ଆତ୍ମସମର୍ପଣ କରିବା ଶୁଭ ଖବର ବୋଲି ଉକ୍ତ ଅଧିକାରୀ ଜଣକ କହିଛନ୍ତି।

ଯାହା ସୂଚନା ମିଳିଛି ଓଡ଼ିଶାର ମାଲାକାନାଗିରି ଓ କୋରାପୁଟ ଭଳି ଦୁଇଟି ଜିଲ୍ଲା ହେଉଛି ଦେଶରେ ଚିହ୍ନଟ ହୋଇଥିବା ୨୫ ଟି ମାଓବାଦୀ ପ୍ରବଣ ଅଞ୍ଚଳ ଜିଲ୍ଲାଗୁଡ଼କ ମଧ୍ୟରେ ଅନ୍ୟତମ। ଏହି ଦୁଇଟି ଜିଲ୍ଲାରେ ମାଓବାଦୀମାନଙ୍କ ଗତିବିଧି ସର୍ବାଧିକ। କୋରାପୁଟର ଆଭ୍ୟନ୍ତରୀଣ ଅଞ୍ଚଳଗୁଡ଼ିକର ଅଧିକାଂଶ ବିକାଶ ହୋଇ ସାରିଛି। କିନ୍ତୁ ମାଲାକାନାଗିରି ବିଚ୍ଛିନ୍ନାଞ୍ଚଳର ୯ ଜିଲ୍ଲାରେ ଶାସନ କଳର ପ୍ରବେଶ ନ ଥିଲା। ମାଓବାଦୀମାନଙ୍କ ଗଡ଼ ଥିଲା ଚିତ୍ରକୁଣ୍ଡା ଓ ବାଲିମେଳା ଭଳି ଅଞ୍ଚଳ। ବିଶେଷକରି ମାଛକୁଣ୍ଡ ଅଞ୍ଚଳର ୯ଟି ଗ୍ରାମପଞ୍ଚାୟତ। ଯାହା ଆନ୍ଧ୍ର ସୀମାକୁ ଲାଗିଛି। କିନ୍ତୁ ଏବେ ରାଜ୍ୟ ସରକାର ପର୍ଯ୍ୟାୟକ୍ରମେ ସେସବୁ ଅଞ୍ଚଳରେ କରାଇଥିବା ବିକାଶ ବିଶେଷକରି ଗୁରୁପ୍ରିୟା ସେତୁ ହେବା ପରେ ଏହି ଅଞ୍ଚଳରେ ଦ୍ରୁତ ଉନ୍ନତି ହୋଇଛି। ଏବେ ବସ ଚଳାଚଳଠାରୁ ଆରମ୍ଭ କରି ଆମ୍ବୁଲାନ୍ସ, ସ୍କୁଲ, ଅଙ୍ଗନବାଡ଼ି, ମୋବାଇଲ ଟାୱର ନିର୍ମାଣ, ଘର ଦୁଆର ମୁହଁ ପର୍ଯ୍ୟନ୍ତ ପାଣି, ପ୍ରତ୍ୟେକ ଘରକୁ ବିଜୁଳି, ରାସ୍ତାଘାଟରେ ବିଜୁଳି, ଜଳପ୍ରପାତରେ ମାଛ ଯାଁଳ ଛାଡ଼ିବା , ମାଛ ଧରିବା ପାଇଁ ବୋଟ ପ୍ରଦାନ ଭଳି କାର୍ଯ୍ୟ ପାଇଁ ମାଓବାଦୀ ଓ ମିଲିସିଆମାନେ ହିଂସା ଛାଡ଼ି ସମାଜର ମୁଖ୍ୟ ସ୍ରୋତରେ ସାମିଲ୍ ହେଉଛନ୍ତି। କୋରାପୁଟ, ମାଲାକାନାଗିରି, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗୀର, ବରଗଡ଼, କନ୍ଧମାଳ ଭଳି ମାଓ ପ୍ରଭାବିତ ଜିଲ୍ଲାରେ ଏବେ ମାଓବାଦୀମାନେ ହିଂସା ଛାଡ଼ିବାରେ ଲାଗିଛନ୍ତି।

ରାଜ୍ୟ ସରକାରଙ୍କ ଆତ୍ମସମର୍ପଣ ଓ ପୁର୍ନବାସ ଯୋଜନାରେ ଆତ୍ମସମର୍ପଣ କରୁଥିବା ସମସ୍ତ ମାଓବାଦୀଙ୍କ ଆତ୍ମସମର୍ପଣ ବାବଦକୁ ୩୫ ହଜାର ଟଙ୍କା, ୪ ଡିସିମିଲ୍ ଜାଗା କିଣିବାକୁ ୨୫ ହଜାର, ଜାଗା ଉପରେ ଘର ତିଆରି କରିବାକୁ ୪୫ ହଜାର ଟଙ୍କା, ପାଠ ପଢ଼ା ବାବଦକୁ ୩ ହଜାର ଟଙ୍କା ପ୍ରଦାନ କରୁଛନ୍ତି। ବିଗତ ବର୍ଷରେ ଯୋଗ୍ୟ ବିବେଚିତ ହୋଇଥିବା ୨୨୪ ଜଣ ମାଓବାଦୀଙ୍କୁ ଥଇଥାନ କରିବାରେ ରାଜ୍ୟ ସରକାର ୬ କୋଟି ୭୩ ଲକ୍ଷ ୬ ହଜାର ଟଙ୍କା ଖର୍ଚ କରି ସାରିଲେଣି ବୋଲି ଗୁଇନ୍ଦା ବିଭାଗ ସୂତ୍ରରୁ ସୂଚନା ମିଳିଛି।

ଆତ୍ମସମର୍ପଣ କରିଥିବା ହାର୍ଡକୋର ମାଓବାଦୀମାନଙ୍କ ମଧ୍ୟରେ ଅଛନ୍ତି: ଡିଭିଜନାଲ କମିଟି ସଦସ୍ୟ କୁନୁ ଦେହୁରୀ, ସୁଧୀର ବଙ୍ଗାଳୀ, ଜୟା, ସୂର୍ଯ୍ୟ ପ୍ରମୁଖ। ଏମାନଙ୍କ ମୁଣ୍ଡରେ ଥିଲା ୨୦ ଲକ୍ଷ ଟଙ୍କାର ପୁରସ୍କାର ରାଶି। ସେହିପରି ଲକ୍ଷ୍ମୀ ମାଡଭୀ, ଗଙ୍ଗା ମାଡ଼କାମ, ସୁକା ସୋହି। ଛତିଶଗଡ଼ର କୁଖ୍ୟାତ ମାଓବାଦୀ। କିନ୍ତୁ ଓଡ଼ିଶାରେ ସେମାନଙ୍କ କାର୍ଯ୍ୟକଳାପ ଥିଲା। ମୁଣ୍ଡ‌ ଉପରେ ଥିଲା ସେମାନଙ୍କର ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି। ସେହିପରି ଚଳିତ ବର୍ଷ କନ୍ଧମାଳ ପୁଲିସ ନିକଟରେ ଅଶୋକ ପୁନେ, କଳାହାଣ୍ଡି ପୁଲିସ ନିକଟରେ ଲକ୍ଷ୍ମଣ ଆପକା ଓରଫ୍ ଲାସୁ ଓରଫ୍ ସେଣ୍ଡୁ, ଓ କୋରାପୁଟ ପୁଲିସ ନିକଟରେ ଲକ୍ଷ୍ମଣ ସମେତ ୩ ଜଣ ଆତ୍ମସମର୍ପଣ କରିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।