ୱାସିଂଟନ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଭାଷଣ ଦେବା ସମୟରେ ଅନେକ ତ୍ରୁଟି କରିଥାନ୍ତି। ସେ ଏଭଳି ତ୍ରୁଟି କରିଥାନ୍ତି ଯାହାକୁ ନେଇ ସାମାଜିକ ଗଣମାଧ୍ୟମରେ ତାଙ୍କୁ ବହୁମାତ୍ରାରେ ସମାଲୋଚିତ ହେବାକୁ ପଡ଼ିଥାଏ। ଚଳିତ ସପ୍ତାହରେ ଭାଷଣ ଦେବାବେଳେ ବାଇଡେନ ପୁଣି ଏକ ଗୁରୁତର ତ୍ରୁଟି କରିଛନ୍ତି। ସେ କହିଛନ୍ତି ପ୍ରଶାନ୍ତ ମହାସାଗରରୁ ଭାରତ ମହାସାଗରକୁ ଏକ ରେଳପଥ ନିର୍ମାଣ ଲାଗି ବାଇଡେନ ପ୍ରଶାସନର ଯୋଜନା ରହିଛି। ତାଙ୍କର ଏହି ମନ୍ତବ୍ୟ ସାମାଜିକ ଗଣମାଧ୍ୟମରେ ବହୁଳ ମାତ୍ରାରେ ପ୍ରସାରିତ ହୋଇଛି। ଏଥିପାଇଁ ତାଙ୍କୁ ପ୍ରବଳ ଉପହସିତ ହେବାକୁ ପଡ଼ିଛି। ଏହା ବଡ଼ ପଦକ୍ଷେପ ହେବ ବୋଲି କହି ସାମାଜିକ ଗଣମାଧ୍ୟମରେ ତାଙ୍କୁ ସମାଲୋଚନା କରାଯାଇଛି। ତାଙ୍କର ସମାଲୋଚକମାନେ ଉକ୍ତ ଭିଡିଓକୁ ପୋଷ୍ଟ କରିଛନ୍ତି। ଗତ ବୁଧବାର ବାଇଡେନ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଏଭଳି ମନ୍ତବ୍ୟ ଦେଇଛନ୍ତି।ହ୍ବାଇଟ୍ ହାଉସ ୱେବସାଇଟରେ ବାଇଡେନଙ୍କ ଭାଷଣ ପ୍ରକାଶ କରାଯାଇଛି। ସେଥିରେ ଉଲ୍ଲେଖ କରାଯାଇଛି ଯେ ରାଷ୍ଟ୍ରପତି ବାଇଡେନ କହିଛନ୍ତି, ପ୍ରଶାନ୍ତ ମହାସାଗରରୁ ଭାରତ ମହାସାଗରକୁ ଆମର ରେଳପଥ ନିର୍ମାଣ ଯୋଜନା ରହିଛି। ଆଙ୍ଗୋଲାରେ ବିଶ୍ବର ସର୍ବବୃହତ୍ ସୌର ପ୍ରକଳ୍ପ ନିର୍ମାଣ ଯୋଜନା ରହିଛି। ଏଭଳି ଅନେକ କଥା ମୁଁ କହିପାରେ। କିନ୍ତୁ ମୁଁ କହିବି ନାହିଁ। କାରଣ ମୁଁ ବିନା ଲେଖାରେ ଭାଷଣ ଦେଉଛି। ମୁଁ ଅସୁବିଧାରେ ପଡ଼ିପାରେ। ବାଇଡେନଙ୍କ ଭାଷଣରେ ଏଭଳି ମନ୍ତବ୍ୟ ଶୁଣିବା ପରେ ଉପସ୍ଥିତ ବ୍ୟକ୍ତିମାନେ କିଛି ସମୟ ପାଇଁ ହସିଥିଲେ। କିଛି ମାସ ପୂର୍ବରୁ କାନାଡ଼ା ସଂସଦରେ ଭାଷଣ ଦେବାବେଳେ ବାଇଡେନ ଭୁଲରେ ଚୀନ୍ର ପ୍ରଶଂସା କରିଥିଲେ। କାନାଡ଼ାର ପ୍ରଶଂସା କରିବା ପରିବର୍ତ୍ତେ ସେ ଚୀନର ପ୍ରଶଂସା କରିଦେଇଥିଲେ। ଏହାପରେ ସେ ନିଜର ତ୍ରୁଟି ଜାଣିପାରି ତୁରନ୍ତ କ୍ଷମା ମାଗିବା ସହିତ କାନାଡ଼ାର ପ୍ରଶଂସା କରିଥିଲେ। କାନାଡ଼ାର ଦେଶାନ୍ତର ଗମନ ନୀତ ସଂପର୍କରେ କହିବା ବେଳେ ବାଇଡେନ ଏଭଳି ଭୁଲ କରିଥିଲେ।
ଭୁଲ୍ ଭାଷଣ ଦେଇ ବାଇଡେନ ପୁଣି ଉପହସିତ