ଭୁବନେଶ୍ବର : ରାଜଧାନୀର ପ୍ରମୁଖ ଅଞ୍ଚଳରେ ୭ଟି ପ୍ଲଟ୍, ଦେଢ଼ କୋଟି ମୂଲ୍ୟର ୪ ମହଲା କୋଠା ସାଙ୍ଗକୁ ପୁଳାପୁଳା ସୁନାଗହଣା, ୭୮ଲକ୍ଷ ଟଙ୍କାର ବ୍ୟାଙ୍କ ଡିପୋଜିଟ୍, ୩ ଦାମୀ ବାଇକ୍ ସହ ଆହୁରି କେତେ କ’ଣ। ତେବେ ଏହା କୌଣସି ବ୍ୟବସାୟୀ କିମ୍ବା ଉପରିସ୍ଥ ସରକାରୀ ବାବୁଙ୍କର ନୁହେଁ, କନେଷ୍ଟବଳରୁ ଚାକିରି ଆରମ୍ଭ କରି ଏସ୍ଆଇ ପର୍ଯ୍ୟନ୍ତ ଯାଇଥିବା ଅଭିମନ୍ୟୁ ଚୌଧୁରୀଙ୍କ ଆଖି ଖୋସି ହୋଇଗଲା ଭଳି ସଂପତ୍ତି ତାଲିକା। ସଂପତ୍ତି ଏତେ ଯେ ହିସାବ କରିବାକୁ ଭିଜିଲାନ୍ସ ଅଧିକାରୀମାନେ ଝାଳନାଳ ହୋଇଗଲେଣି। ସକାଳ ୯ଟାରୁ ଆରମ୍ଭ ହୋଇଥିବା ଏହି ଚଢ଼ଉ ରାତି ପର୍ଯ୍ୟନ୍ତ ଚାଲିଥିଲେ ହେଁ ଭିଜିଲାନ୍ସର ୩ଟି ଟିମ୍ ସବୁ ସ୍ଥାବର, ଅସ୍ଥାବର ସଂପତ୍ତିର ହିସାବ କରିପାରିନାହାନ୍ତି।
ରାଜଧାନୀରେ ୭ ପ୍ଲଟ୍, ଦେଢ଼କୋଟିର ୪ମହଲା କୋଠା
ନଗଦ ୧.୭୫ଲକ୍ଷ ଟଙ୍କା ଜବତ, ବ୍ୟାଙ୍କ୍ରେ ସାଢ଼େ ୭୮ ଲକ୍ଷରୁ ଅଧିକ ରହିଛି
ମିଳିଥିବା ସୂଚନାନୁଯାୟୀ, ୧୯୮୯ ମସିହାରେ ଅଭିମନ୍ୟୁ ରିଜର୍ଭ ପୁଲିସରେ କନେଷ୍ଟବଳ ଭାବେ ଯୋଗ ଦେଇଥିଲେ। ସେବେଠାରୁ ୨୦୦୯ ମଧ୍ୟରେ ଟ୍ରାଫିକ୍, ନୂଆପଲ୍ଲୀ ଏବଂ ଏୟାରଫିଲ୍ଡ ଥାନାରେ କନେଷ୍ଟବଳ ଭାବେ କାର୍ଯ୍ୟ କରିଥିଲେ। ୨୦୦୯ରେ ଏଏସ୍ଆଇ ଭାବେ ପଦୋନ୍ନତି ପାଇ ୨୦୧୧ ପର୍ଯ୍ୟନ୍ତ ରାଜଧାନୀର ବିଭିନ୍ନ ଥାନାରେ କାର୍ଯ୍ୟରତ ଥିଲେ। ୨୦୨୧ରେ ସେ ଏସ୍ଆଇକୁ ପଦୋନ୍ନତି ପାଇଥିଲେ। ସେବେଠାରୁ ସେ ତମାଣ୍ଡୋ ଥାନାରେ ଏସ୍ଆଇ ପଦରେ ଅବସ୍ଥାପିତ ଥିଲେ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ନେଇ ତାଙ୍କ ବିରୋଧରେ ବାରମ୍ବାର ଅଭିଯୋଗ ହୋଇଥିଲା। ତେଣୁ ଭିଜିଲାନ୍ସ ସ୍ବତନ୍ତ୍ର ଜଜ୍ଙ୍କ ନିର୍ଦ୍ଦେଶକ୍ରମେ ତାଙ୍କୁ ଧରିବା ପାଇଁ ଭିଜିଲାନ୍ସ ଚକ୍ରବ୍ୟୂହ ରଚିଥିଲା। ଗୁରୁବାର ଦିନ ଭୁବନେଶ୍ବର ଭିଜିଲାନ୍ସର ୩ଟି ଟିମ୍ ଅଭିମନ୍ୟୁଙ୍କ ଭୁବନେଶ୍ବରସ୍ଥିତ ପାଇକନଗର ଘର, ଥାନା କାର୍ଯ୍ୟାଳୟ ଓ ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ୍ ନଛିପୁରସ୍ଥିତ ପୈତୃକ ଘରେ ଏକସଙ୍ଗେ ଚଢ଼ଉ କରିଥିଲା।
ଚଢ଼ଉ ବେଳେ ଅଭିମନ୍ୟୁଙ୍କ ବିପୁଳ ସମ୍ପତ୍ତି ଠାବ କରାଯାଇଛି। ତାଙ୍କର ଭୁବନେଶ୍ୱରର ପାଇକନଗରରେ ୧୦ ହଜାର ବର୍ଗଫୁଟ୍ରେ ନିର୍ମିତ ୪ମହଲା କୋଠା ରହିଛି। ଏହାର ମୂଲ୍ୟ ଦେଢ଼ କୋଟିରୁ ଅଧିକ ହେବ ବୋଲି ଭିଜିଲାନ୍ସ ଆକଳନ କରିଛି। ସେହି ଘରୁ ନଗଦ ଏକ ଲକ୍ଷ ୭୫ ହଜାର ଟଙ୍କା ଓ ସୁନା ଗହଣା ଜବତ କରାଯାଇଛି। ସଂଧ୍ୟା ସୁଦ୍ଧା ଜବତ ସୁନା ଅଳଙ୍କାରର ଆନୁମାନିକ ମୂଲ୍ୟ ସଂପର୍କରେ ଭିଜିଲାନ୍ସ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ। ସେହିପରି ରାଜଧାନୀରେ ୭ଟି ଏବଂ ନୟାଗଡ଼ରେ ଗୋଟିଏ ଏହିପରି ମୋଟ ୮ଟି ପ୍ଲଟ୍ ଠାବ କରାଯାଇଥିଲା। ସେଥିମଧ୍ୟରୁ ସେ ୭୮ ଲକ୍ଷ ଟଙ୍କା ମୂଲ୍ୟର ଗୋଟିଏ ପ୍ଲଟ୍ ଏବର୍ଷ କିଣିଛନ୍ତି। ସବୁ ପ୍ଲଟ୍ର ମୂଲ୍ୟ ସାଢ଼େ ୩ କୋଟିରୁ ଊର୍ଧ୍ବ ଟଙ୍କା ହେବ। ଏହାଛଡ଼ା ତାଙ୍କର ବିଭିନ୍ନ ବ୍ୟାଙ୍କରେ ସାଢ଼େ ୭୮ଲକ୍ଷରୁ ଅଧିକ ଟଙ୍କା ଜମା ରହିଛି। ୩ଟି ଦାମୀ ବାଇକ୍ ମଧ୍ୟ ଜବତ କରାଯାଇଛି। ଭିଜିଲାନ୍ସ ଏସ୍ପି ଅନୁପମା ଜେମ୍ସଙ୍କ ନେତୃତ୍ବରେ ୩ ଡିଏସ୍ପି, ୧୧ ଇନ୍ସପେକ୍ଟର୍ ଓ ୬ ଏଏସ୍ଆଇଙ୍କୁ ନେଇ ଗଠିତ ୩ଟି ଟିମ୍ ଏହି ଚଢ଼ଉ କରିଥିଲେ।