ରାଜ୍ୟ

ଭାଲୁଭର୍ତ୍ତି ପାହାଡ଼ରେ ୨ ବର୍ଷ ହେଲା ବାବୁ

କେନ୍ଦୁଝର : ଦିନେ କି ମାସେ ନୁହେଁ। ଦୁଇବର୍ଷ ହେବ ଭାଲୁ ଚଳପ୍ରଚଳ କରୁଥିବା ପାହାଡ଼ ଗୁମ୍ଫାରେ ରହୁଛନ୍ତି ବାବୁ ଓରଫ ସାଗର ନାଏକ (୨୫)। ଭାଲୁ ଓ ଜଙ୍ଗଲର ଅନ୍ୟ ସରୀସୃପମାନେ ମଧ୍ୟ ତାଙ୍କର କୌଣସି କ୍ଷତି କରୁନାହାନ୍ତି। କେନ୍ଦୁଝର ସଦର ବ୍ଲକ୍‌ ନେଲୁଙ୍ଗ ପାହାଡ଼ରେ ରହୁଥିବା ବାବୁଙ୍କ କାହାଣୀ ଯେତିକି ରୋଚକ ସେତିକି ରୋମାଞ୍ଚଭରା।

କେନ୍ଦୁଝର ସହର ଉପକଣ୍ଠ ନେଲୁଙ୍ଗ ଗାଁ କଡ଼ରେ ରହିଛି ଏକ ପାହାଡ଼। ଯାହା ନେଲୁଙ୍ଗ ହୁଡ଼ି ନାମରେ ପରିଚିତ। ଏହି ହୁଡ଼ିରେ ଏକାଧିକ ଗୁମ୍ଫା ରହିଛି। ଗୁମ୍ଫା ଗୁଡ଼ିକରେ ବହୁ ସଂଖ୍ୟାରେ ଭାଲୁ ରହିଥାନ୍ତି। ଭାଲୁ ଗୁଡ଼ିକ ନିୟମିତ ଭାବେ ନେଲୁଙ୍ଗ ଗାଁ ଭିତରକୁ ପଶିଆସନ୍ତି। ଗତ ୨୬ ତାରିଖ ସନ୍ଧ୍ୟାରେ ଏକ ଭାଲୁ ଗାଁର ଶ୍ରୀକୃଷ୍ଣ କ୍ଲବ୍‌ ପାଖରେ ବୁଲୁଥିଲା। ଲୋକେ ହୋହଲ୍ଲା କରିବାରୁ ହୁଡ଼ି ଉପରକୁ ପଳାଇଥିଲା। ସେହିପରି ଗତ ରଜ ସମୟରେ ଗାଁ ଠାକୁରାଣୀଙ୍କ ପୂଜା ପରେ ଲୋକେ ପ୍ରସାଦ ଖାଉଥିବା ବେଳେ ଏକ ଭାଲୁ ସେଠାକୁ ଚାଲି ଆସିଥିଲା। ଲୋକେ ଭୟରେ ଖାଇବା ଛାଡ଼ି ଦୌଡ଼ିଥିଲେ। ଭାଲୁ ପାଇଁ ନେଲୁଙ୍ଗ ହୁଡ଼ିକୁ ଲୋକେ ଭୟରେ ଯାଇନଥାନ୍ତି। ତେବେ ଦୁଇବର୍ଷ ହେଲା ନେଲୁଙ୍ଗ ଗାଁର ବାବୁ ଏଠାରେ ଥିବା ଗୁମ୍ଫାରେ ରହିଆସୁଛନ୍ତି। ଏହି ଗୁମ୍ଫା ଚାରିପାଖରେ ମାଳମାଳ ଭାଲୁ ବାସ କରୁଛନ୍ତି। ଭାଲୁ ହିଂସ୍ର ହେଲେ ମଧ୍ୟ ବାବୁଙ୍କ ନିରୀହପଣକୁ ବୋଧେ ବୁଝି ପାରିଛନ୍ତି। ତେଣୁ କୌଣସି କ୍ଷତି କରୁନାହାନ୍ତି।

ସ୍ଥାନୀୟ ଲୋକଙ୍କ କହିବା ହେଲା, ବାବୁ ବାପାମାଙ୍କ ଏକମାତ୍ର ପୁଅ। ବିବାହ କରିନାହାନ୍ତି। ତିନିବର୍ଷ ତଳେ ବାପା ହଳଧର ନାଏକଙ୍କ ମୃତ୍ୟୁ ପରେ ସେ ମାନସିକ ଆଘାତ ପାଇଥିଲେ। ସଂସାରର ମୋହମାୟା ତୁଟାଇ ପାହାଡ଼ ଉପରକୁ ଚାଲି ଯାଇଥିଲେ। ସେବେଠାରୁ ସେ ଏହି ହୁଡ଼ିରେ ରହିଆସୁଛନ୍ତି। ସେ ଆଉ ତଳକୁ ନ ଆସିବାରୁ ବାଧ୍ୟ ହୋଇ ମା କୁନ୍ତଳା ନାଏକ ପ୍ରତି ଦୁଇଦିନରେ ଥରେ ତାଙ୍କ ପାଖକୁ ଖାଇବା ନେଇ ଯାଉଛନ୍ତି। ଘଟଣା ସମ୍ପର୍କରେ ବାବୁଙ୍କୁ ପଚାରିବାରୁ ସେ କହିଛନ୍ତି, ତାଙ୍କୁ ଜଙ୍ଗଲ ଓ ବନ୍ୟଜନ୍ତୁ ଭଲ ଲାଗନ୍ତି। ଭାଲୁ ନିୟମିତ ତାଙ୍କ ପାଖ ଦେଇ ଯାତାୟାତ କରୁଥିଲେ ବି ତାଙ୍କର କିଛି କରୁନଥିବା ସେ କହିଛନ୍ତି। ସେହିପରି ଜଙ୍ଗଲରେ ବହୁ ବିଷଧର ସାପ ବୁଲୁଥିଲେ ‌ବି ସେମାନେ ତାଙ୍କର କିଛି କ୍ଷତି କରନ୍ତି ନାହିଁ ବୋଲି ବାବୁ କହିଛନ୍ତି।

ସ୍ଥାନୀୟ ବନରକ୍ଷୀ ମିତ୍ରଭାନୁ ନାଏକ କହିଛନ୍ତି, ନେଲୁଙ୍ଗ ହୁଡ଼ିରେ ନିୟମିତ ୫ରୁ ଅଧିକ ଭାଲୁ ବୁଲୁଛନ୍ତି। ଏହାବାଦ୍‌ ଅନ୍ୟ ଜଙ୍ଗଲରୁ ଏଠାକୁ ମଧ୍ୟ କିଛି ଭାଲୁ ଆସିଥାନ୍ତି। ଖରାଦିନେ ଜଙ୍ଗଲରେ ଲାଗିଥିବା ନିଆଁ ଲିଭାଇବା ପାଇଁ ଯାଇଥିବା ବେଳେ ବନ ବିଭାଗ କର୍ମଚାରୀ ବାବୁଙ୍କୁ ଦେଖିଥିଲେ। ତାଙ୍କୁ ତଳକୁ ଚାଲିଆସିବା ପାଇଁ କୁହାଯାଇଥିଲେ ମଧ୍ୟ ସେ ଶୁଣି ନଥିଲେ ବୋଲି ଶ୍ରୀ ନାଏକ କହିଛନ୍ତି। ସେହିପରି ନେଲୁଙ୍ଗ ଗ୍ରାମର ପ୍ରଦ୍ୟୁମ୍ନ ପଣ୍ଡା କହିଛନ୍ତି, ଗାଁ ପାଖ ପାହାଡ଼ରେ ଭାଲୁ ଥିବାରୁ ସନ୍ଧ୍ୟା ହେଲେ ଲୋକେ ବାଡ଼ିପଟକୁ ଯିବାକୁ ଭୟ କରିଥାନ୍ତି। କିନ୍ତୁ ସେଠାରେ ବାବୁ ବର୍ଷବର୍ଷ ଧରି ଭାଲୁଙ୍କ ଗହଣରେ ରହିବା ସମସ୍ତଙ୍କୁ ବିସ୍ମିତ କରୁଛି ବୋଲି ଶ୍ରୀ ପଣ୍ଡା କହିଛନ୍ତି। ଏ ସମ୍ପର୍କରେ ପରିବେଶବିତ୍‌ ଡ. ବିମ୍ବାଧର ବେହେରା କହନ୍ତି ଭାଲୁ ବନ୍ୟଜନ୍ତୁ ହେଲେ ମଧ୍ୟ ତାର କେହି କ୍ଷତି ନ କଲେ, ସେ ମଧ୍ୟ କାହାରି କିଛି କରିନଥାଏ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।