ୱାସିଂଟନ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ୱାସିଂଟନସ୍ଥିତ ରୋନାଲ୍ଡ ରିଗାନ ଭବନରେ ଭାରତୀୟ ସମୁଦାୟକୁ ଉଦ୍ବୋଧନ ଦେବା ଅବସରରେ କହିଛନ୍ତି ଯେ, ଭାରତ-ଆମେରିକା ସଂପର୍କର ନୂଆ ଯାତ୍ରା ଏବେ ଆମ୍ଭ ହୋଇଛି। ଏହି ନୂଆ ଯାତ୍ରା ‘ମେକ୍ ଇନ୍ ଇଣ୍ଡିଆ , ମେକ୍ ଫର୍ ଦି ୱାର୍ଲ୍ଡ’ ଅଭିଯାନ ଆଧାରରେ ଆଗକୁ ବଢ଼ିବ। ଉଭୟ ରାଷ୍ଟ୍ର ସୁଦୃଢ଼ ଓ ବିଶ୍ବସନୀୟ ସହଯୋଗୀ ଭାବେ କାମ କରିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏହା ସହିତ ବେଙ୍ଗାଲୁରୁ ଓ ଅହମଦାବାଦରେ ଆମେରିକା ନୂତନ ବାଣିଜ୍ୟିକ ଦୂତାବାସ ଖୋଲିବ ଏବଂ ଆମେରିକାରେ ଏଣିକି ଏଚ୍-୧ବି ଭିସା ନବୀକରଣ ସମ୍ଭବ ହେବ। ନୂତନ ଭିସା ଆଇନ ଦ୍ବାରା ଆମେରିକାରେ ବାସ କରିବା ଓ ଚାକିରି କରିବା ଭାରତୀୟମାନଙ୍କ ପାଇଁ ସହଜ ହେବ ବୋଲି ମୋଦୀ ଭାରତୀୟ ସମୁଦାୟକୁ କହିଛନ୍ତି।
ଏଣିକି ଆମେରିକାରେ ଏଚ୍-୧ବି ଭିସା ନବୀକରଣ ସମ୍ଭବ
ଅହମଦାବାଦ ଓ ବେଙ୍ଗାଲୁରୁରେ ଦୂତାବାସ ଖୋଲିବ
ଭାରତୀୟମାନେ ଆମେରିକାର ଏଚ୍-୧ବି ଭିସାର ସବୁଠାରୁ ବେଶି ଉପଯୋଗ କରିଥାନ୍ତି ଏବଂ ୭୩ ପ୍ରତିଶତ ଅର୍ଥାତ୍ ୪,୪୨,୦୦୦ ଭାରତୀୟ ଏହି ଭିସା ବ୍ୟବହାର କରି ୨୦୨୨ରେ ଆମେରିକାରେ ଚାକିରି କରୁଛନ୍ତି। ନୂଆଦିଲ୍ଲୀସ୍ଥିତ ଆମେରିକା ଦୂତାବାସ ହେଉଛି ବିଶ୍ବରେ ଆମେରିକାର ସବୁଠାରୁ ବଡ଼ କୂଟନୈତିକ ମିସନ। ଏହି ଦୂତାବାସ ମୁମ୍ବାଇ, କୋଲକାତା, ଚେନ୍ନାଇ ଓ ହାଇଦ୍ରାବାଦରେ ଥିବା ବାଣିଜ୍ୟିକ ଦୂତାବାସ ସହ ସମନ୍ବୟ ରକ୍ଷା କରିଥାଏ। ଭାରତ-ଆମେରିକା ସମ୍ପର୍କ ବୃଦ୍ଧି ପାଇଁ ଏହି ଦୂତାବାସଗୁଡ଼ିକ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ।
ରାଷ୍ଟ୍ରପତି ଜୋ ବାଇଡେନ ଓ ପ୍ରଥମ ମହିଳା ଜିଲ ବାଇଡେନଙ୍କ ଆମନ୍ତ୍ରଣକ୍ରମେ ପ୍ରଧାନମନ୍ତ୍ରୀ ମୋଦୀ ଆମେରିକା ଗସ୍ତ କରିଥିଲେ। ସେଠାରେ ସେ ରାଷ୍ଟ୍ରପତି ବାଇଡେନଙ୍କ ସହ ଦ୍ବିପାକ୍ଷିକ କଥାବାର୍ତ୍ତା କରିବା ସହ ଆମେରିକା କଂଗ୍ରେସର ଯୁଗ୍ମ ଅଧିବେଶନରେ ଉଦ୍ବୋଧନ ଦେଇଥିଲେ। ପ୍ରଧାନମନ୍ତ୍ରୀଙ୍କ ଐତିହାସିକ ଉଦ୍ବୋଧନରେ ୟୁକ୍ରେନ୍ ଯୁଦ୍ଧ, ଆତଙ୍କବାଦ, ଭାରତ-ଆମେରିକା ସମ୍ପର୍କ ଓ ଭାରତ-ପ୍ରଶାନ୍ତ ଅଞ୍ଚଳରେ ସ୍ଥିରତା ଆଦି ପ୍ରସଙ୍ଗ ସ୍ଥାନ ପାଇଥିଲା।