ଭୁବନେଶ୍ବର: କିଟ୍ ବିଶ୍ୱବିଦ୍ୟାଳୟର ବିଜୁ ପଟ୍ଟନାୟକ ଇନ୍ଡୋର ଷ୍ଟାଡିୟମ୍ଠାରେ ସଦ୍ୟ ସମାପ୍ତ ୬୯ତମ ବରିଷ୍ଠ ଜାତୀୟ ଭଲିବଲ୍ (ପୁରୁଷ ଓ ମହିଳା) ପ୍ରତିଯୋଗିତା ଭାରତୀୟ ଭଲିବଲ୍ ଇତିହାସରେ ସ୍ମରଣୀୟ ହୋଇରହିବ। ବିଭିନ୍ନ ଦୃଷ୍ଟିରୁ ଏହି ଭଲିବଲ୍ ମହାକୁମ୍ଭ ଥିଲା ନିଆରା। କରୋନା କାଳରେ ଏହି ଥିଲା ଓଡ଼ିଶା ତଥା କିଟ୍ର ପ୍ରଥମ କ୍ରୀଡ଼ା ମହାକୁମ୍ଭ, ଯାହାକି ଶୃଙ୍ଖଳିତ ଭାବେ ସଫଳତାର ସହ ଆୟୋଜନ ହୋଇଥିଲା। ଏଥିରେ ୨୮ଟି ରାଜ୍ୟ ଓ ୮ଟି କେନ୍ଦ୍ର ଶାସିତ ଅଞ୍ଚଳରୁ ୧୨ଶହରୁ ଊର୍ଦ୍ଧ୍ୱ ପୁରୁଷ ଓ ମହିଳା ବର୍ଗର ଖେଳାଳି ଓ ଅଫିସିଆଲ୍ ଯୋଗ ଦେଇଥିଲେ।
ପ୍ରଥମ ଥର ଲାଗି ଗୋଟିଏ ରାଜ୍ୟର ଗୋଟିଏ ଅନୁଷ୍ଠାନରେ ଲଗାତାର ଦୁଇଥର ବରିଷ୍ଠ ଜାତୀୟ ଭଲିବଲ୍ ପ୍ରତିଯୋଗିତା ଅନୁଷ୍ଠିତ ହେବା ଭାରତୀୟ ଭଲିବଲ୍ରେ ପ୍ରଥମ ଘଟଣା ଥିଲା। ପ୍ରଥମ ଥର ପାଇଁ ପୁରୁଷ ବର୍ଗରେ ୩୦ ଓ ମହିଳା ବର୍ଗରେ୨୮ଟି ଦଳ ଭାଗ ନେଇଥିଲେ। କାରଣ ପୂର୍ବରୁ ଯେତେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି କେବେ ବି ଏତେ ସଂଖ୍ୟକ ଦଳ ଭାଗ ନେଇ ନ ଥିଲେ। କିଟ୍ର ବିଜୁ ପଟ୍ଟନାୟକ ଇନ୍ଡୋର ଷ୍ଟାଡିଅମ୍ର ୪ଟି ଫ୍ଲଡ୍ ଲାଇଟ୍ ଭଲିବଲ୍ କୋର୍ଟରେ ଦିବାରାତ୍ର ମ୍ୟାଚ୍ ଅନୁ୍ଷ୍ଠିତ ହୋଇଥିଲା। ଏପରିକି ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ମ୍ୟାଚ୍ ଖେଳାଯାଉଥିଲେ ମଧ୍ୟ ଖେଳାଳି ଓ ଅଫିସିଆଲ୍ ସମସ୍ତଙ୍କ ଉତ୍ସାହ ଭରି ରହିଥିଲା। କରୋନା କଟକଣା ଯୋଗୁଁ ସାଧାରଣ ଦର୍ଶକଙ୍କ ପାଇଁ ମ୍ୟାଚ୍ ଦେଖିବା ସମ୍ଭବ ହୋଇ ନଥିଲା। ଏହା ସତ୍ତ୍ୱେ ଖେଳାଳିଙ୍କ ମଧ୍ୟରେ ଉତ୍ସାହରେ କାଣିଚାଏ ଅଭାବ ପରିଲକ୍ଷିତ ହୋଇ ନ ଥିଲା। ଏହି କ୍ରୀଡ଼ା ମହାକୁମ୍ଭର ଆଉ ଏକ ଉଲ୍ଲେଖନୀୟ ଘଟଣା ହେଉଛି ଭାରତୀୟ ଭଲିବଲ୍ ସଂଘ ଇତିହାସରେ ପ୍ରଥମ ଥର ଲାଗି ବିଜେତା ଓ ଉପବିଜେତା ଦଳ ପାଇଁ ଆର୍ଥିକ ପୁରସ୍କାର ବ୍ୟବସ୍ଥା। ଚଳିତ ବର୍ଷଠାରୁ ଆଗାମୀ ୨୫ ବର୍ଷ ପର୍ଯ୍ୟନ୍ତ ବିଜେତା ଓ ଉପବିଜେତା ଦଳକୁ ଆର୍ଥିକ ପୁରସ୍କାର ପ୍ରଦାନ କରାଯିବ ବୋଲି ଭାରତୀୟ ଭଲିବଲ୍ ସଂଘ (ଭିଏଫ୍ଆଇ)ର ସଭାପତି ତଥା କିଟ୍ ଓ କିସ୍ର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ଘୋଷଣା କରିଥିଲେ। ଉଭୟ ପୁରୁଷ ଓ ମହିଳା ବର୍ଗରେ ବିଜେତା ଓ ଉପବିଜେତା ଦଳକୁ ଯଥାକ୍ରମେ ୫୧ ହଜାର ଓ ୩୧ ହଜାର ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ। ମହିଳା ବର୍ଗ ପାଇଁ କିସ୍ ଓ ପୁରୁଷ ବର୍ଗ ପାଇଁ କିଟ୍ ବିଶ୍ୱବିଦ୍ୟାଳୟ ପୁରସ୍କାର ରାଶି ଯୋଗାଇ ଦେବେ ବୋଲି ଶ୍ରୀ ସାମନ୍ତ କହିଥିଲେ।
୬୯ତମ ଜାତୀୟ ଭଲିବଲ୍ ପ୍ରତିଯୋଗିତା ଆଉ ଏକ କାରଣ ପାଇଁ ମଧ୍ୟ ଅବିସ୍ମରଣୀୟ ହୋଇ ରହିବ। ତାହା ହେଉଛି ଦୀର୍ଘ ୨୬ ବର୍ଷ ପରେ ଓଡ଼ିଶା ଦଳ ନକ୍ ଆଉଟ୍ରେ ପ୍ରବେଶ କରିବା। କ୍ରୀଡ଼ା ପ୍ରତି କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କର ଏକ ବିଶେଷ ଆଗ୍ରହ ରହିଛି। ସେ ସବୁବେଳେ କ୍ରୀଡ଼ା ଓ କ୍ରୀଡାବିତ୍ଙ୍କୁ ପ୍ରୋତ୍ସାହିତ କରିଆସୁଛନ୍ତି । କିଟ୍ ଓ କିସ୍ରେ ଉନ୍ନତମାନର କ୍ରୀଡ଼ା ଭିତ୍ତିଭୂମି ପାଇଁ ସେ ୧୬ବର୍ଷରୁ ଊର୍ଦ୍ଧ୍ୱ ବର୍ଷ ଧରି ପ୍ରୟାସ କରିଆସୁଛନ୍ତି। ତାଙ୍କରି ପ୍ରୟାସ ଯୋଗୁଁ ଆଜି କିଟ୍ ଓ କିସ୍ରେ ବ୍ୟାପକ ଅତ୍ୟାଧୁନିକ କ୍ରୀଡ଼ା ଭିତ୍ତିଭୂମି ସୃଷ୍ଟି ହୋଇଛି। ଶ୍ରୀ ସାମନ୍ତଙ୍କ ନେତୃତ୍ୱ ଓ ଦିଗ୍ଦର୍ଶନରେ ଭାରତୀୟ ଭଲିବଲ୍ ଭବିଷ୍ୟତରେ ଅନ୍ତର୍ଜାତୀୟସ୍ତରରେ କୀର୍ତ୍ତିମାନ ସ୍ଥାପନ କରିପାରିବ ବୋଲି ଭଲିବଲ୍ ଖେଳାଳି ଓ ଭଲିପ୍ରେମୀ ଆଶା ପୋଷଣ କରିଛନ୍ତି।