ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ସୁନ୍ଦରଗଡ଼,(ଡମ୍ବରୁଧର ନାୟକ): ଓଡ଼ିଶାରେ ଗୌରବପୂର୍ଣ୍ଣ ହକି ବିଶ୍ବକପ୍ ଆୟୋଜନର ଭିତ୍ତିଭୂମି ତିଆରି କରିବାରେ ସୁନ୍ଦରଗଡ଼ର ଆଦିବାସୀ ଓ ଦଳିତ ବର୍ଗର ହକି ଖେଳାଳିଙ୍କ ପ୍ରମୁଖ ଭୂମିକା ରହିଛି। ଗତ ତିନି ଦଶନ୍ଧି ମଧ୍ୟରେ କେବଳ ସୁନ୍ଦରଗଡ଼ ଜିଲ୍ଲାର ୭୫ରୁ ଅଧିକ ଖେଳାଳି ସବଜୁନିୟର ଠାରୁ ଆରମ୍ଭ କରି ଭାରତୀୟ ବରିଷ୍ଠ ଦଳରେ ସ୍ଥାନ ପାଇଛନ୍ତି ଓ ଆନ୍ତର୍ଜାତିକ ହକି ପଡ଼ିଆକୁ ଓହ୍ଲାଇ ଚମକ ସୃଷ୍ଟି କରିଛନ୍ତି। ସେମାନଙ୍କ ମଧ୍ୟରେ ପଦ୍ମଶ୍ରୀ ଦିଲୀପ ତିର୍କି, ଇଗନେଶ୍ ତିର୍କି, ପ୍ରବୋଧ ତିର୍କି, ଲାଜାରୁସ୍ ବାର୍ଲା, ଦୀପସାନ୍ ତିର୍କି, ଇଗ୍ନେଶ ତିର୍କି, ୱିଲିୟମ ଖାଲଖୋ, ବୀରେନ୍ଦ୍ର ଲାକ୍ରା, ଅମିତ ରୋହିଦାସ, ସୁନିତା ଲାକ୍ରା, ଦୀପଗ୍ରେସ ଏକ୍କା, ଲିଲିମା ମିଞ୍ଜ ଓ ନମିତା ଟପ୍ପୋ ପ୍ରମୁଖ ଅଛନ୍ତି। ସେହିପରି ଯେଉଁ ଭାରତୀୟ ମହିଳା ହକି ଦଳ ୩୬ ବର୍ଷ ପରେ ୨୦୧୬ରେ ରିଓ ଅଲମ୍ପିକରେ ଖେଳିଥିଲା ତାର ୧୧ ଖେଳାଳିଙ୍କ ମଧ୍ୟରୁ କେବଳ ସୁନ୍ଦରଗଡ଼ରୁ ଥିଲେ ୪ ଜଣ ଖେଳାଳି। ଭାରତୀୟ ହକିରେ ସୁନ୍ଦରଗଡ଼ର ହକି ଖେଳାଳିମାନଙ୍କର ଏବେ ସ୍ବତନ୍ତ୍ର ପରିଚୟ ରହିଛି। ଉଭୟ ପୁରୁଷ ଓ ମହିଳା ଦଳର ରକ୍ଷଣ ଭାଗରେ ସୁନ୍ଦରଗଡ଼ର ଖେଳାଳିମାନେ ପ୍ରମୁଖ ଭୂମିକା ଗ୍ରହଣ କରି ଆସୁଛନ୍ତି। ସେଥିପାଇଁ ଦିଲୀପଙ୍କ ଠାରୁ ଆରମ୍ଭ କରି ଅମିତ ଓ ଦୀପଗ୍ରେସଙ୍କୁ ଭାରତୀୟ ହକି ଗଡ଼ର ପ୍ରାଚୀର ଭାବେ ଗଣାଯାଏ।
ତେବେ ସତକଥା ହେଉଛି, ଫୁଟବଲ୍ ଭଳି ହକିରେ ମଧ୍ୟ ଗୋଲ୍ର ସଂଖ୍ୟାରୁ ଜଣେ ଖେଳାଳିର ମୂଲ୍ୟାୟନ ହୋଇଥାଏ। କିନ୍ତୁ ସୁନ୍ଦରଗଡ଼ର ଖେଳାଳିମାନଙ୍କୁ କାହିଁକି କେବଳ ଦଳର ରକ୍ଷଣଭାଗ ସମ୍ଭାଳିବାର ଦାୟିତ୍ବ ମିଳିଥାଏ ବା ସେଥିରେ ସେମାନେ ଆଗ୍ରହ ରଖିଥାନ୍ତି? ଏହି ପ୍ରଶ୍ନ ହକିପ୍ରେମୀଙ୍କୁ ସବୁବେଳେ ଆନ୍ଦୋଳିତ କରିଥାଏ। ତାର ଉତ୍ତରରେ ସେମାନଙ୍କ ସହିତ ଦୀର୍ଘ କାଳଧରି କାମ କରିଥିବା ପ୍ରଶିକ୍ଷକମାନେ ପ୍ରାୟତଃ ଗୋଟିଏ କଥା କହନ୍ତି। ତାହା ହେଉଛି ଆଦିବାସୀ ଖେଳାଳିମାନଙ୍କ ପାଖରେ ଥାଏ ଅକ୍ଲାନ୍ତ ପରିଶ୍ରମ କରିବାର କ୍ଷମତା, ସମର୍ପଣଭାବ, ନିର୍ଭରଶୀଳତା, ଅଦମ୍ୟ ଶକ୍ତି ଓ ଶୃଙ୍ଖଳା ମନୋଭାବ। ଏହି ଗୁଣଗୁଡ଼ିକ ସେମାନଙ୍କୁ ଗୋଲ୍ ପୋଷ୍ଟ ଚାରିପାଖ ଇଲାକାର ସୁରକ୍ଷା ଦାୟିତ୍ବ ନେବାର ବିଶ୍ବାସଯୋଗ୍ୟ ତଥା ଆଦର୍ଶ ସଦସ୍ୟ କରିଥାଏ। ତାଠାରୁ ବଡ଼ କଥା ହେଉଛି, ସେମାନେ ଅନାବଶ୍ୟକ ରିସ୍କ ନେବାକୁ ଚାହାନ୍ତିନାହିଁ ତଥା ଗ୍ୟାଲେରିର ଦର୍ଶକଙ୍କ ପାଇଁ ଖେଳିବା ଅପେକ୍ଷା ଦଳର ସ୍ବାର୍ଥକୁ ଗୁରୁତ୍ବ ଦିଅନ୍ତି। କେହି କେହି ବିଶେଷଜ୍ଞ ଏମାନଙ୍କ ଖେଳର ଶୈଳୀକୁ ‘ରେଜିମେଣ୍ଟାଲ୍ ହକି ବା ସେନାବାହିନୀ ହକି’ କହନ୍ତି। ଜଣେ ସୈନ୍ୟ ଭଳି ଏମାନେ ମଧ୍ୟ ଯେଉଁଥିପାଇଁ ଓ ଯେଉଁଭଳି ତାଲିମ ପାଇ ଥାଆନ୍ତି, ଯେମିତି ଖେଳିବାକୁ କୁହା ଯାଇଥାଏ, ତାକୁ ଅକ୍ଷରେ ଅକ୍ଷରେ ପାଳନ କରିବାର ଲକ୍ଷ୍ୟ ଥାଏ ତାଙ୍କର। ସେମାନଙ୍କ ସରଳ ଆଦିବାସୀ ଚରିତ୍ରରେ ସୈନ୍ୟ ଭଳି ସମର୍ପଣ ଓ ଦୃଢତା ଥାଏ। ତେବେ ପ୍ରତିପକ୍ଷର ସୁରକ୍ଷା ପାଚେରିକୁ ଭେଦକରି କଳେ ବଳେ କୌଶଳେ ଗୋଲ୍ ସ୍କୋର୍ କରିବାଲାଗି ପାଇଁ ଯେଉଁ ଉପସ୍ଥିତ ବୁଦ୍ଧି ବା କୁଟିଳ ରଣ କୌଶଳ ତଥା ଚତୁରପଣ ଆବଶ୍ୟକ, ଏମାନଙ୍କ ପାଖରେ ତାହା କମ୍ ଥାଏ। ଥିଲେ ମଧ୍ୟ ତାହାକୁ ଉପଯୋଗ କରିବାରେ ସେମାନେ ଅଭ୍ୟସ୍ତ ନଥାନ୍ତି। ତେଣୁ ଏମାନେ ଭଲ ଫରୱାର୍ଡ ଖେଳାଳି ଭାବେ ସହଜରେ ସ୍ବୀକୃତି ପାଆନ୍ତି ନାହିଁ।
ତେବେ ଖେଳ ଆରମ୍ଭରୁ ଶେଷ ଯାଏ ସୁନ୍ଦରଗଡ଼ିଆ ଖେଳାଳିଙ୍କ ପ୍ରତିପକ୍ଷର ଆକ୍ରମଣକୁ ଦୁର୍ଗଭଳି ପ୍ରତିହତ କରିବାର ବିସ୍ମୟକର କ୍ଲାନ୍ତହୀନ ଦକ୍ଷତାକୁ ଦେଖିଲେ ମନରେ ସ୍ବତଃ ପ୍ରଶ୍ନ ଉଠେ, ଆଦିବାସୀ ଖେଳାଳି ଏତେ ଶକ୍ତି ପାଆନ୍ତି କେଉଁଠୁ? ଏ ସମ୍ପର୍କରେ ବିଶେଷଜ୍ଞମାନେ କହନ୍ତି, ଅଧିକାଂଶ ଆଦିବାସୀ ହକି ଖେଳାଳି ଦାରିଦ୍ର୍ୟ ଓ ଅଭାବ ମଧ୍ୟରୁ ଆସିଥିବାବେଳେ ବାପାମା’ ବିଲରେ ଚାଷବାସ କରି ନହେଲେ ମୂଲ ଲାଗି ବା ଦାଦନ ଯାଇ ଆହାର ଯୋଗାଇଥାନ୍ତି। ପିଲାଦିନେ ସମ୍ଭ୍ରାନ୍ତ ପରିବାର ଆଖିରେ ଗରିବଙ୍କ ଖାଦ୍ୟ ରୂପେ ପରିଚିତ ମାଣ୍ଡିଆ ଓ ଜଙ୍ଗଲି ଶାଗ ହିଁ ସେମାନଙ୍କ ଭୋକ ମାରିଥାଏ। କିନ୍ତୁ ଏହି ମାଣ୍ଡିଆ ହିଁ ସେମାନଙ୍କ ଦେହରେ ପ୍ରଚୁର ଶକ୍ତି ଭରି ଦେଇଥାଏ। କାରଣ ମାଣ୍ଡିଆରେ ପ୍ରଚୁର ପୋଷକତତ୍ତ୍ବ କ୍ୟାଲସିୟମ, ଭିଟାମନ, କାର୍ବୋ- ହାଇଡ୍ରେଟ୍ ଭରପୂର ଥିବାବେଳେ ଏହା ଓଜନ ହ୍ରାସ ସହ ହାଡ଼କୁ ମଜଭୁତ କରିଥାଏ। ସୁନ୍ଦରଗଡ଼ର ଆଦିବାସୀ ଖେଳାଳି ଓ ଖେଳକୁ ବହୁଦିନରୁ ଅତି ପାଖରୁ ନିରୀକ୍ଷଣ କରି ଆସୁଥିବା କ୍ରୀଡ଼ା ସାମ୍ବାଦିକ ସତୀଶ ଶର୍ମା ସେମାନଙ୍କ ସମ୍ପର୍କରେ ଆଲୋଚନା କଲାବେଳେ କହନ୍ତି, ‘‘ପ୍ରାୟତଃ ଜଙ୍ଗଲ ଓ ପାହାଡି ଇଲାକାରେ ଥିବା ଆଦିବାସୀ କର୍ମପ୍ରବଣ, ଅକ୍ଲାନ୍ତ ପରିଶ୍ରମରେ ବିଶ୍ବାସ ରଖନ୍ତି। ମାଣ୍ଡିଆର ପୋଷକତତ୍ତ୍ବ ସହ କଠିନ ପରିଶ୍ରମ ସେମାନଙ୍କୁ ଶରୀରକୁ ଲୁହା ଭଳି ଶକ୍ତ କରିଥାଏ। ତେଣୁ ସେମାନେ ଦକ୍ଷ ଡିଫେଣ୍ଡର୍ ଭାବେ ଉଭା ହୁଅନ୍ତି। କହିବା ଅନାବଶ୍ୟକ ଯେ ଚଳିତ ପୁରୁଷ ହକି ବିଶ୍ବକପ୍ରେ ଭାରତୀୟ ଦଳରେ ଖେଳୁଥିବା ସୁନ୍ଦରଗଡ଼ର ଅଣଆଦିବାସୀ ଅମିତ ରୋହିଦାସ ଓ ଆଦିବାସୀ ପୁଅ ନୀଲମ ସଞ୍ଜୀପ ଖେସ ଏ ସୁନ୍ଦରଗଡ଼ର ମାଟି ଓ ମାଣ୍ଡିଆର ସେହି ଚମତ୍କାରିତା ଦେଖାଇ ଚାଲିଛନ୍ତି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l