ଖେଳ ଦେଶ ବିଦେଶ

ଭାଙ୍ଗିଲା ଚେନ୍ନାଇ ପରାଜୟ ଧାରା, ଧୋନିଙ୍କଠାରୁ ହାରିଲେ କୋହଲି

ଦୁବାଇ: ବିଳମ୍ବରେ ହେଲେ ମଧ୍ୟ ଆଇପିଏଲ୍‌ର ଅନ୍ୟତମ ସଫଳ ଦଳ ଚେନ୍ନାଇ ସୁପରକିଙ୍ଗ୍ସ ଚଳିତ ଋତୁରେ ତା’ର ଅସଲ ଚମକ ଦେଖାଇଛି। ୧୧ ମ୍ୟାଚ୍‌ରୁ ମାତ୍ର ୩ ବିଜୟ ହାସଲ କରିବା ପରେ ବୟସ୍କ ଦଳର ଠପା ଲାଗି ସାରିଥିବା ଚେନ୍ନାଇ ରବିବାର ଉଭୟ ବଲ୍ ଓ ବ୍ୟାଟ୍‌ରେ କମାଲ କରି ବିରାଟ କୋହଲିଙ୍କ ଶକ୍ତିଶାଳୀ ରୟାଲ ଚାଲେଞ୍ଜର୍ସ ବାଙ୍ଗା‌ଲୋର (ଆର୍‌ସିବି)କୁ ଏକତରଫା ଭାବେ ୮ ୱିକେଟ୍‌ରେ ହରାଇ ଦେଇଛି। କଷ୍ଟକର ପିଚ୍‌ରେ କୋହଲି ନିଜେ ଅର୍ଧଶତକୀୟ ପାଳି ଖେଳିଥିଲେ ମଧ୍ୟ ଆରସିବିକୁ ଚେନ୍ନାଇ ସୁପରକିଙ୍ଗ୍ସ ସଫଳତାର ସହ ମାତ୍ର ଦେଢ଼ ଶହ ରନ୍ ତଳେ ଅଟକାଇ ଦେଇଥିଲା। ଷ୍ଟମ୍ପରୁ ଷ୍ଟମ୍ପ ବୋଲିଂ ସହ ଆରସିବି ବ୍ୟାଟ୍ସମ୍ୟାନ୍‌ଙ୍କୁ ହାତଖୋଲା ସଟ୍ ଖେଳିବାର କୌଣସି ସୁଯୋଗ ଦେଇ ନଥିଲେ ଚେନ୍ନାଇ ସୁପରକିଙ୍ଗ୍ସ ବୋଲର। ଫଳରେ ଏହି ଦଳ ନିର୍ଧାରିତ ୨୦ ଓଭରରେ ୬ ୱିକେଟ୍ ହରାଇ କେବଳ ୧୪୫ ରନ୍ କରି ପାରିଥିଲା। ଏହା ପରେ ପୁଣି ଥରେ ପାଳି ଆରବାର ସୁବର୍ଣ୍ଣ ସୁଯୋଗ ଲାଭ କରିଥିବା ଋତୁରାଜ ଗାଏକ୍ବାଡ୍‌ଙ୍କ ପ୍ରଥମ ଅର୍ଧଶତକ ବଳରେ ୮ ବଲ୍ ପୂର୍ବରୁ ମାତ୍ର ୨ ୱିକେଟ୍ ହରାଇ ଅତି ସହଜରେ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ଗାଏକ୍ବାଡଙ୍କ ବିଳମ୍ବିତ ଗର୍ଜନ ପରେ ମଧ୍ୟ ପ୍ଲେ ଅଫ୍ ଦୌଡ଼ରୁ ପଛରେ ପଡ଼ି ସାରିଥିବା ଚେନ୍ନାଇ ଶେଷରେ ଆଶ୍ବସ୍ତ ହୋଇଥିଲା। ଦଳ ପାଖରେ ଆଉ ମାତ୍ର ଦୁଇଟି ମ୍ୟାଚ୍ ଥିଲା ବେଳେ ଏହାକୁ ଜିତି ସମ୍ମାନର ସହ ଅଭିଯାନ ଆରମ୍ଭ କରିବାକୁ ଚେଷ୍ଟା କରିବେ ବ‌ୋଲି ମ୍ୟାଚ୍ ପରେ ଅଧିନାୟକ ଧୋନି କହିଥିଲେ। ଦ୍ବାଦଶ ମ୍ୟାଚ୍‌ରୁ ଚେନ୍ନାଇ ରବିବାର ଚତୁର୍ଥ ବିଜୟ ହାସଲ କରିଥିଲା। ଅନ୍ୟପକ୍ଷରେ ଆର୍‌ସିବି ୧୧ ମ୍ୟାଚ୍‌ରୁ ଚତୁର୍ଥ ପରାଜୟ ବରଣ କରିଥିଲା। ଋତୁରାଜ ତାଙ୍କ ସ୍ମରଣୀୟ ଓ ମ୍ୟାଚ୍ ବିଜୟୀ ପାଳି ପାଇଁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରିଥିଲେ।
ଆରସିବିକୁ ରୁନ୍ଧିଲେ କରନ, ଚହର
ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ଅଧିନାୟକ ବିରାଟ କୋହଲି ଟସ୍ ଜିତିବା ସଙ୍ଗେ ସଙ୍ଗେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ଦଳକୁ ଏକ ଦୃଢ଼ ମୂଳଦୁଆ ଦେବାକୁ କିନ୍ତୁ ପ୍ରାରମ୍ଭିକ ଯୋଡ଼ି ଦେବଦତ୍ତ ପଡ଼ିକଲ ଓ ଆରୋନ ଫିଞ୍ଚ୍ ପୁଣି ଥରେ ବିଫଳ ହୋଇଥିଲେ। ଦ୍ରୁତ ବୋଲରଙ୍କୁ ସୁହାଉଥିବା ଦୁବାଇ ପିଚ୍‌ରେ ଫିଞ୍ଚ୍ ଦଳୀୟ ସ୍କୋର ୩୧ ରନ୍ ଥିଲା ବେଳେ ଆଉଟ୍ ହୋଇ ଯାଇଥିଲେ। ପଡ଼ିକଲ ଭଲ ଆରମ୍ଭ କରିବା ସତ୍ତ୍ବେ ଏହାକୁ ବଡ଼ ସ୍କୋରରେ ରୂପାନ୍ତର କରି ପାରି ନଥିଲେ। ଅଧିନାୟକ କୋହଲି ବଡ଼ ସଟ୍ ଖେଳିବା ଅପେକ୍ଷା ସିଙ୍ଗଲ ଓ ଡବଲ ରନ୍ ଉପରେ ଅଧିକ ଜୋର ଦେଇଥିଲେ। ତାଙ୍କ ସହ ଯୋଗ ଦେଇଥିବା ଆରସିବିର ଅନ୍ୟତମ ମହତ୍ବପୂର୍ଣ୍ଣ ଖେଳାଳି ଏବି ଡି’ଭିଲିୟର୍ସ ଦ୍ରୁତ ରନ୍ କରିବା ଆରମ୍ଭ କରିଥିଲେ। ହେଲେ ଧୋନି ତାଙ୍କ ବୋଲିଂ ବାହିନୀର ଗୋଟି ଚାଳନା ଅତି ଚତୁରତାର ସହ କରି ଉଭୟ କୋହଲି ଓ ଡି’ଭିଲିୟର୍ସଙ୍କୁ ବାନ୍ଧି ରଖିବାକୁ ସକ୍ଷମ ହୋଇଥିଲେ। ସତ ଚେଷ୍ଟା ପରେ ମଧ୍ୟ ଏହି ଦୁଇ ତାରକା ରନ୍ ହାର ଆଶାଜନକ ଭାବେ ବଢ଼ାଇ ପାରି ନଥିଲେ। ତେବେ ଡି’ଭିଲିୟର୍ସଙ୍କୁ ଠିକଣା ସମୟରେ ପ୍ୟାଭିଲିୟନ୍ ପଠାଇ ଦୀପକ ଚହର ହିଁ ଆର୍‌ସିବି ରନ୍ ସଂଗ୍ରହ ହାର୍‌ରେ ଏକପ୍ରକାର ବ୍ରେକ୍ ଲଗାଇ ଦେଇଥିଲେ। ଦୁଇ ଅଲରାଉଣ୍ଡର ମୋଇନ ଅଲ୍ଲୀ ଓ କ୍ରିସ୍ ମୋରିସ୍ ବିଫଳ ହେବା ପରେ ଆରସିବି ଆଉ ଦେଢ଼ ଶହ ରନ୍ ଛୁଇଁ ପାରି ନଥିଲା। ସାମ୍‌ କରନ ୩ ୱିକେଟ୍ ନେଇ ଆରସିବିକୁ ଅଧିକ ଘାଇଲା କରିଥିଲେ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ