ରାଜ୍ୟ ସ୍ପେଶାଲ ରିପୋର୍ଟ

ଭଲ ଖବର: ପରିବା ଚାଷ କରି ଗାଁର ସମସ୍ତେ ସ୍ବାବଲମ୍ବୀ

ହାଟଡିହି: କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍‌ ବଞ୍ଚୋ ପଞ୍ଚାୟତ ଶିବନାରାୟଣପୁର ଗ୍ରାମର ସମସ୍ତ ପରିବାର ପରିବା ଚାଷ କରି ସ୍ବାବଲମ୍ବୀ ହୋଇଛନ୍ତି। ଗାଁରେ ୭ ଶହ ପରିବାରର ୪ ହଜାର ଲୋକ ବାସ କରୁଥିବା ବେଳେ ସମସ୍ତେ ପରିବା ଚାଷ କରି ବର୍ଷକୁ ଲକ୍ଷାଧିକ ଟଙ୍କା ଆୟ କରୁଛନ୍ତି। ଶିବନାରାୟଣପୁର ଗାଁ ଚାରିପଟକୁ ଘେରି ରହିଛି ଚାଷଜମି। ନଭେମ୍ବର ମାସରେ ଧାନ ଅମଳ ପରେ ଗାଁର ସମସ୍ତ ପରିବାର ଲାଗିପଡ଼ନ୍ତି ପରିବା ଚାଷରେ। ଉଭୟ ପୁରୁଷ ଓ ମହିଳା ମାଟି ଖୋଳିବାଠାରୁ ଆରମ୍ଭ କରି ଚାରାରୋପଣ, କୋଡ଼ାଖୋସା ଓ ପାଣି ଦେଇଥାନ୍ତି। ବାଇଗଣ, ଟମାଟୋ, ଭେଣ୍ଡି, ଜହ୍ନି, କଲରା, କାକୁଡ଼ି, ଗାଜର, ପୋଟଳ, ବୋଇତାଳୁ, କଖାରୁ, ଫୁଲକୋବି, ବନ୍ଧାକୋବି ଭଳି ପରିବା ସାଙ୍ଗକୁ ଲେଉଟିଆ, କୋଶଳା ଆଦି ଶାଗ ଲଗାଇଛନ୍ତି। ଏଠାରୁ ଉତ୍ପାଦିତ ହେଉଥିବା ପରିବା ସ୍ଥାନୀୟ ଅଞ୍ଚଳ ସମେତ ଆନନ୍ଦପୁର, ଭଦ୍ରକ, ବାଲେଶ୍ବର, ଯାଜପୁର, ରାଞ୍ଚି, କୋଲକାତା ଆଦି ଅଞ୍ଚଳକୁ ଯାଉଥିବା ଗ୍ରାମବାସୀ କହିଛନ୍ତି।

ଗାଁର ହାତ ଗଣତି ୧୦/୧୨ଜଣ ଲୋକ ଚାକିରି କରିଥିବାବେଳେ ଅନ୍ୟମାନେ ଚାଷ କରି ପରିବାର ପ୍ରତିପୋଷଣ କରୁଛନ୍ତି। ବହୁ ଶିକ୍ଷିତ ଯୁବକ ଉଚ୍ଚଶିକ୍ଷା ପରେ ଚାକିରି ପଛରେ ନ ପଡ଼ି ଉନ୍ନତ ପ୍ରଣାଳୀରେ ପରିବା ଚାଷ କରି ଭଲ ଦୁଇପଇସା ରୋଜଗାର କରିବା ସହ ସ୍ବାବଲମ୍ବୀ ହୋଇପାରିଛନ୍ତି। ଗ୍ରାମର ନିହାର ରଞ୍ଜନ ଜେନା ଯୁକ୍ତ ତିନି ପରେ ଚାକିରି ପଛରେ ଗୋଡ଼େଇ ନିରାଶ ହୋଇଥିଲେ। ଶେଷରେ ଚାଷକୁ ଆବୋରି ନେଇଥିଲେ। ଦୁଇ ଏକର ଚାଷଜମିରେ ପରିବା ଚାଷ କରି ବର୍ଷକୁ ଦୁଇରୁ ତିନି ଲକ୍ଷ ଟଙ୍କା ଆୟ କରୁଛନ୍ତି। କନକଲତା ପରିଡ଼ା କହିଛନ୍ତି, ତାଙ୍କ ଘରେ ଛଅପ୍ରାଣୀ କୁଟୁମ୍ବ ଅଛନ୍ତି। କେହି ଚାକିରି କରିନାହାନ୍ତି। ସମସ୍ତେ ପରିବା ଚାଷ କରି ଭଲ ଦୁଇପାଇସା ରୋଜଗାର କରୁଛନ୍ତି। ନନ୍ଦକିଶୋର ବେହେରା ଦୁଇ ଏକର ଜମିରେ କୋବି, ବିଲାତି, ଜହ୍ନି, କାକୁଡ଼ି ଚାଷ କରି ୩ରୁ ୪ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ଚାଷୀମାନେ ପରିବା ବିକ୍ରି ପାଇଁ ଛେନାପଦି ଛକ ଉପରେ ନିର୍ଭର କରୁଥିଲେ। ଏବେ ରାଞ୍ଚି, କୋଲକାତା, ବାଲେଶ୍ୱର, ବଡ଼ବିଲରୁ ବ୍ୟବସାୟୀମାନେ ଟ୍ରକ୍‌ ଧରି ଆସି ପରିବା ନେଇ ଯାଉଥିବାରୁ ସେମାନଙ୍କୁ ଆଉ ବଜାରକୁ ଆସିବାକୁ ପଡ଼ୁନି ବୋଲି ଚାଷୀମାନେ କହିଛନ୍ତି।

ଏଠାରେ କୌଣସି ଶୀତଳଭଣ୍ଡାର ନଥିବାରୁ ପରିବା ସାଇତି ରଖିବାରେ ସମସ୍ୟା ହେଉଛି। ବାରମ୍ବାର ଦାବି ସତ୍ତ୍ବେ ସରକାର ଏ ଦିଗରେ ଦୃଷ୍ଟି ଦେଉନାହାନ୍ତି ବୋଲି ଚାଷୀ ଚକ୍ରଧର ଘଡ଼େଇ, ଗଣେଶ ଚନ୍ଦ୍ର ଗିରି, ପ୍ରଭାକର ଖଣ୍ଡା ପ୍ରମୁଖ କହିଛନ୍ତି। ବଞ୍ଚୋ ପଞ୍ଚାୟତର ସରପଞ୍ଚ ପ୍ରଶାନ୍ତ କୁମାର ରାଉତ କହିଛନ୍ତି, ଗାଁର ୯୦ ପ୍ରତିଶତ ଲୋକ ନିଜ ଜମିରେ, ଆଉ ୧୦ ପ୍ରତିଶତ ଲୋକ ଭାଗରେ ପରିବା ଚାଷ କରୁଛନ୍ତି। ଚାଷଜମି ମୁକୁଳା ପଡ଼ିଥିବାରୁ ବୁଲା ଗୋରୁଗାଈ ପଶି ବ୍ୟାପକ କ୍ଷୟକ୍ଷତି କରୁଛନ୍ତି। ଜିଲ୍ଲା ପ୍ରଶାସନ ଚାଷଜମିରେ ତାରବାଡ଼ ବ୍ୟବସ୍ଥା କଲେ ଚାଷୀମାନେ ଉପକୃତ ହୋଇପାରିବେ। ସେହିପରି ସରକାରଙ୍କ ପକ୍ଷରୁ ଏଠାରେ ଏକ ପରିବା ମଣ୍ଡି ଏବଂ ଶୀତଳଭଣ୍ଡାର ନିର୍ମା‌ଣ କରିବାକୁ ସେ ଦାବି କରିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।