ଫୁଲବାଣୀ: କନ୍ଧମାଳ ଜିଲ୍ଲାର ଜଣେ ଶିକ୍ଷକଙ୍କ ଅଭିନବ ଉପାୟରେ ପାଠପଢ଼ା ଏବେ ଚର୍ଚ୍ଚାକୁ ଆସିଛି। ଫିରିଙ୍ଗିଆ ବ୍ଲକ୍ର କରଣ୍ଡାଗଡ଼ ହାଇସ୍କୁଲର ପ୍ରଧାନଶିକ୍ଷକ ସୀମାଞ୍ଚଳ ମୁଖୀ ସ୍କୁଲ୍ରେ ପାଠ ପଢ଼ାଇବାପରେ ବି ଆଦିବାସୀ ଛାତ୍ରଛାତ୍ରୀଙ୍କୁ ଘରକୁ ଘର ବୁଲି ଶିକ୍ଷାଦାନ କରୁଛନ୍ତି। ସେଥିପାଇଁ ସେମାନଙ୍କ ଘର କାନ୍ଥକୁ କଳାପଟା କରାଯାଇଛି। ନିଜେ ମାସ୍କ୍ ପିନ୍ଧିବା ସହ ଉପଯୁକ୍ତ ସାମାଜିକ ଦୂରତା ରକ୍ଷାକରି ଘରକାନ୍ଥରେ କଳାପଟା ମାଧ୍ୟମରେ ସେ ପାଠ ପଢ଼ାଉଥିବା ଦେଖିବାକୁ ମିଳିଛି। ତାଙ୍କର ଏହି ପ୍ରୟାସକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।
କରୋନା ମହାମାରୀର ପ୍ରାଦୁର୍ଭାବ ସମୟରେ ଆଦିବାସୀ ପିଲାମାନେ ଅନ୍ଲାଇନ୍ ଶିକ୍ଷାଦାନରୁ ବଞ୍ଚିତ ହୋଇଛନ୍ତି। ଏହିଭଳି ଏକ ପରିସ୍ଥିତିରେ ପ୍ରଧାନଶିକ୍ଷକ ଶ୍ରୀ ମୁଖୀ ପିଲାମାନଙ୍କୁ ପାଠ ପଢ଼ାଇବା ପାଇଁ ଅଣ୍ଟା ଭିଡ଼ିଥିଲେ। ପ୍ରଧାନଶିକ୍ଷକ ଶ୍ରୀ ମୁଖୀଙ୍କ କହିବା ଅନୁଯାୟୀ, ଶ୍ରେଣୀଗୃହରେ କେବଳ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କଲେ ହେବନି, ବରଂ ଆଦିବାସୀ ଇଲାକାର ଅଭିଭାବକଙ୍କୁ ମଧ୍ୟ ଶିକ୍ଷା ବିଷୟରେ ସଚେତନ କରିବାର ଆବଶ୍ୟକତା ରହିଛି। ଅଭିଭାବକ ନିଜେ ସଚେତନ ଓ ଶିକ୍ଷିତ ହୋଇପାରିଲେ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନରେ ଅଧିକ କଷ୍ଟ କରିବାକୁ ପଡ଼ିବନି। ଏଣୁ ‘ଘର କାନ୍ଥ ବ୍ଲାକ୍ବୋର୍ଡ଼’ କାର୍ଯ୍ୟକ୍ରମ ମାଧ୍ୟମରେ ସେ ଉଭୟ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କୁ ଶିକ୍ଷିତ କରାଇବାକୁ ଉଦ୍ୟମ ଜାରି ରଖିଛନ୍ତି। ଶ୍ରୀ ମୁଖୀଙ୍କ ଏହି ଉଦ୍ୟମ ବେଶ୍ ଫଳପ୍ରଦ ହୋଇଛି। ବର୍ତ୍ତମାନ ସୀମାଞ୍ଚଳ କିଛି ପିଲାମାନଙ୍କ ଘର କାନ୍ଥକୁ ଭଲ ଭାବେ ପରିଷ୍କାର ଓ ଚିକ୍କଣ କରି ସେଥିରେ କଳାରଙ୍ଗ ଲେପନ କରି କଳାପଟା ପ୍ରସ୍ତୁତ କରିଛନ୍ତି।

