ଅପରାଧ ରାଜ୍ୟ

ଭଦ୍ରକରେ ‘ଖୁସି’ ଯୋଜନା ବାଟବଣା

ଭଦ୍ରକ: ସବୁ ଜିଲ୍ଲା ପରି ଭଦ୍ରକ ଜିଲ୍ଲାରେ ମଧ୍ୟ ‘ଖୁସି ’ ଯୋଜନା କାର୍ଯ୍ୟକାରୀ ହୋଇଥିଲା। ହେଲେ ଏବେ ଏଠାରେ ଯୋଜନା ବାଟବଣା ହୋଇଛି। ଛାତ୍ରୀମାନଙ୍କ ପାଖରେ ସାନିଟାରି ନାପ୍‌କିନ୍‌ ପହଞ୍ଚି ପାରୁନି।

ରାଜ୍ୟରେ ଷଷ୍ଠରୁ ଦଶମ ଶ୍ରେଣୀ ଓ ଯୁକ୍ତଦୁଇ ଶ୍ରେଣୀରେ ପାଠ ପଢ଼ୁଥିବା ଛାତ୍ରୀଙ୍କୁ ସରକାର ଖୁସି ଯୋଜନାରେ ନାପ୍‌କିନ୍‌ ଯୋଗାଇ ଦେଉଛନ୍ତି। ୨୦୨୦ ମସିହାରେ ଭଦ୍ରକ ଜିଲ୍ଲାରେ ଏହି ଯୋଜନା କାର୍ଯ୍ୟକାରୀ ହୋଇଥିବା ବେଳେ ସବୁ ଦାୟିତ୍ବ ସ୍ବାସ୍ଥ୍ୟ ବିଭାଗ ଉପରେ ନ୍ୟସ୍ତ ଥିଲା। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଜରିଆରେ ଭଦ୍ରକ ଅଧୀନ ୭ଟି ବ୍ଲକ୍‌ ଏବଂ ୪ ଟି ପୌରାଞ୍ଚଳରେ ଥିବା ପ୍ରାୟ ୨୨୦୦ଟି ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରୀଙ୍କୁ ସାନିଟାରି ନାପ୍‌କିନ୍‌ ଯୋଗାଯାଉଥିଲା। ପ୍ରତି ବ୍ଲକ୍‌ରେ ହୋଇଥିବା ନୋଡାଲ୍‌ ସେଣ୍ଟରକୁ ଏବଂ ସେଠାରୁ ପ୍ରତି ସ୍କୁଲ୍‌ ଓ କଲେଜକୁ ନାପ୍‌କିନ୍‌ ପରିବହନ ପାଇଁ ଠିକାଦାର ମଧ୍ୟ ନିଯୁକ୍ତ ହୋଇଥିଲେ। ଏପରି ସମୟରେ ସଂପୃକ୍ତ ଠିକାଦାର ନାପ୍‌କିନ୍‌ ପରିବହନ ବାବଦକୁ ୨୦୨୦ ମସିହା ପାଇଁ ୮୩ ଲକ୍ଷ ଟଙ୍କା ବିଲ୍‌ କରିଥିଲେ। ତେବେ ଠିକାଦାର ଦେଇଥିବା ଏତେ ଟଙ୍କାର ବିଲ୍‌କୁ ଜିଲ୍ଲା ପ୍ରଶାସନ ପାସ୍‌ କରି ନ ଥିଲା। ତେଣୁ ବାଧ୍ୟ ହୋଇ ଠିକାଦାର ନାପ୍‌କିନ୍‌ ଯୋଗାଣ ବନ୍ଦ କରିବା ସହ ନ୍ୟାୟ ପାଇଁ ଉଚ୍ଚ ନ୍ୟାୟାଳୟର ଆଶ୍ରୟ ନେଇଥିଲେ। ଫଳରେ ଛାତ୍ରୀମାନଙ୍କ ପାଇଁ ସାନିଟାରି ନାପ୍‌କିନ୍‌ ଯୋଗାଣ ବନ୍ଦ ହୋଇଯାଇଥିଲା।

ଏପରି ସମୟରେ ନୋଡାଲ୍‌ ସେଣ୍ଟରରୁ ସଂପୃକ୍ତ ବିଦ୍ୟାଳୟ ତଥା କଲେଜ କର୍ତ୍ତୃପକ୍ଷ ନାପ୍‌କିନ୍ ନେଇ ଛାତ୍ରୀଙ୍କୁ ଦେବା ପାଇଁ ଶିକ୍ଷା ବିଭାଗକୁ ନିର୍ଦେଶ ରହିଥିଲା। ହେଲେ ବିଭାଗ ଏହି କାମକୁ ଠିକ୍‌ ଢଙ୍ଗରେ କରୁନି। ଫଳରେ ଛାତ୍ରଛାତ୍ରୀମାନେ ସାନିଟାରି ନାପ୍‌କିନ୍‌ ପାଇବାରୁ ବଂଚିତ ହେଉଛନ୍ତି। ଏହା ସହିତ ସମସ୍ୟାର ମଧ୍ୟ ସମ୍ମୁଖୀନ ହେଉଥିବା ଜଣାପଡ଼ିଛି।

ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ସନ୍ତୋଷ କୁମାର ପାତ୍ରଙ୍କ ସହ ଯୋଗାଯୋଗ କରାଯାଇଥିଲା। ସେ ସ୍କୁଲ୍‌ ତଥା କଲେଜ କର୍ତ୍ତୃପକ୍ଷ ନୋଡାଲ୍‌ ସେଣ୍ଟରରୁ ନାପ୍‌କିନ୍‌ ନେଇ ଛାତ୍ରୀମାନଙ୍କୁ ପ୍ରଦାନ କରିବାକୁ କୁହାଯାଇଛି ବୋଲି ପ୍ରକାଶ କରିଛନ୍ତି। ହେଲେ ନୋଡାଲ୍‌ ସେଣ୍ଟରକୁ ନାପ୍‌କିନ୍‌ ପହଞ୍ଚାଇବା କାମ କାହର, ସେନେଇ ଚିକିତ୍ସାଧିକାରୀ ଶ୍ରୀ ପାତ୍ର ସ୍ପଷ୍ଟ କରି ନାହାନ୍ତି। ଅନ୍ୟପଟେ ନୋଡାଲ୍‌ ସେଣ୍ଟରକୁ ଠିକଣା ଢଙ୍ଗରେ ଓ ଠିକଣା ସମୟରେ ନାପ୍‌କିନ୍‌ ଆସୁ ନଥିବା ଅନେକ ସ୍କୁଲ୍‌ ତଥା କଲେଜ କର୍ତ୍ତୃପକ୍ଷ ଅଭିଯୋଗ କରିଛନ୍ତି। ନୋଡାଲ୍‌ ସେଣ୍ଟରରେ ନାପ୍‌କିନ୍‌ ଉପଲବ୍‌ଧ ହେଲେ ସେଠାରୁ ଆଣି ସେମାନେ ଛାତ୍ରୀଙ୍କୁ ବାଣ୍ଟିବାରେ କିଛି ଅସୁବିଧା ନାହିଁ ବୋଲି ‘ସମ୍ବାଦ’କୁ କହିଛନ୍ତି।

ତେବେ ଏହି ସମସ୍ୟାକୁ ପ୍ରଶାସନ ଗୁରୁତ୍ବର ସହ ନେବା ପାଇଁ ବୁଦ୍ଧିଜୀବୀ ଦାବି କରିଛନ୍ତି। ପ୍ରଶାସନିକ ଅବହେଳା ପାଇଁ ଛାତ୍ରୀମାନେ ଯେପରି ହଇରାଣ ଓ ଖର୍ଚ୍ଚାନ୍ତ ନ ହୁଅନ୍ତି, ସେ‌ଥିପ୍ରତି ଧ୍ୟାନ ଦେବା ଉଚିତ ବୋଲି କୁହାଯାଇଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।