ରାଜ୍ୟ ସ୍ପେଶାଲ ରିପୋର୍ଟ

ଭଡ଼ା ଘରେ ଚାଲିଛି ଏନ୍‌ଏଚ୍‌ଏଆଇ କାର୍ଯ୍ୟାଳୟ, କୋଟିଏରେ ଗଢ଼ିଥା’ନ୍ତେ, ୫କୋଟି ଗଣିଲେଣି

ଭୁବନେଶ୍ବର: ୨୦୧୨ ମସିହାରେ ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ(ଏନ୍‌ଏଚ୍‌ଏଆଇ)ଙ୍କ ଆଞ୍ଚଳିକ କାର୍ଯ୍ୟାଳୟ ଓଡ଼ିଶାରେ ପ୍ରତିଷ୍ଠା ହେଲା। ଓଡ଼ିଶାରେ ଥିବା ଅନ୍ୟ ସବୁ ପ୍ରକଳ୍ପ କାର୍ଯ୍ୟାନ୍ବୟନ ୟୁନିଟ୍‌ର ମୁଖ୍ୟ କାର୍ଯ୍ୟାଳୟ ଭାବେ ଏହା କାର୍ଯ୍ୟ କଲା। ଏଥିରେ ଜଣେ ମୁଖ୍ୟ ଆଞ୍ଚଳିକ ଅଧିକାରୀ ନିୟୋଜିତ ହେଲେ। କେନ୍ଦ୍ର ସହ ଯୋଗସୂତ୍ର ରକ୍ଷା କରି ସମସ୍ତ ପ୍ରକଳ୍ପକୁ ପରିଚାଳନା କଲେ। ରାଜ୍ୟସ୍ତରୀୟ ସମସ୍ତ ପ୍ରକଳ୍ପର ଟେଣ୍ଡର୍‌ଠୁ ଆରମ୍ଭ କରି ରକ୍ଷଣାବେକ୍ଷଣା ସବୁର ମଞ୍ଜୁରି ଏହି କାର୍ଯ୍ୟାଳୟ ଜରିଆରେ କରାଗଲା। ‌ହେଲେ ଗତ ୧୧ବର୍ଷ ଧରି ଏହି କାର୍ଯ୍ୟାଳୟ ଭଡ଼ା ଘରେ ଚାଲୁଛି। ଭଡ଼ା ବାବଦକୁ ମାସିକ ଲକ୍ଷାଧିକ ଟଙ୍କା ଏନ୍‌ଏଚ୍‌ଆଇକୁ ଗଣିବାକୁ ପଡ଼ୁଛି। ଏହା ଭିତରେ କେତେ ଅଧିକାରୀ ଆସି ଗଲେଣି। କେତେ ପ୍ରକଳ୍ପ ଆରମ୍ଭ ହୋଇ ଶେଷ ହୋଇଗଲାଣି।

ହେଲେ ଆଜି ପର୍ଯ୍ୟନ୍ତ ନିଜସ୍ବ ଅଫିସ୍‌ ପ୍ରତିଷ୍ଠା ହୋଇପାରିଲା ନାହିଁ। ଏନ୍‌ଏଚ୍‌ଆଇର ବଡ଼ବାବୁମାନଙ୍କ ଅବହେଳା‌ ଯୋଗୁଁ ସରକାରୀ ଅର୍ଥ ଏଭଳି ଅପବ୍ୟୟ ହେଉଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ଏମିତିକି ଯେତିକି ଟଙ୍କାରେ ନିଜସ୍ବ କୋଠା ନିର୍ମାଣ ହୋଇଥାଆନ୍ତା, ତା’ର ୫ଗୁଣ ଟଙ୍କା ଭଡ଼ା ବାବ‌ଦରେ ଖର୍ଚ୍ଚ ହୋଇସାରିଲାଣି।

କେବେ ହେବ କାହା ପାଖରେ ଉତ୍ତର ନାହିଁ
ଚିହ୍ନଟ ସରକାରୀ ଜମି ଖାଲି ପଡ଼ିଛି

ସୂଚନାନୁସାରେ, ୨୦୧୨ ମସିହାରୁ ୩ହଜାର ବର୍ଗଫୁଟ୍‌ ବିଶିଷ୍ଟ ଏନ୍‌ଏଚ୍‌ଆଇର ରାଜ୍ୟସ୍ତରୀୟ ମୁଖ୍ୟ ଆଞ୍ଚଳିକ କାର୍ଯ୍ୟାଳୟ ଭୁବନେଶ୍ବରରେ ଭଡ଼ା ଘରେ ଚାଲିଛି। ଯାହାର ମାସିକ ଭଡ଼ା ବର୍ତ୍ତମାନ ସମୟରେ ୪ଲକ୍ଷ ୩୫ ହଜାର। ଏହି କାର୍ଯ୍ୟାଳୟ ପାଇଁ ଗତ ୧୧ବର୍ଷ ଭିତରେ ଏନ୍‌ଏଚ୍‌ଏଆଇ କର୍ତ୍ତୃପକ୍ଷ ୫କୋଟି ୫ଲକ୍ଷ ୨୮ହଜାର ୨୦୩ଟଙ୍କା ଭଡ଼ା ସୂତ୍ରରେ ଖର୍ଚ୍ଚ କରିସାରିଲେଣି। ଯଦି ରାଜ୍ୟ ସରକାରଙ୍କୁ ଜାଗା ପାଇଁ ଆବେଦନ କରିଥାନ୍ତେ, ତେବେ ଏତିକି ବର୍ଷ ଭିତରେ ଜାଗା ପାଇବା ସହ ନିଜସ୍ବ କୋଠା ମଧ୍ୟ ଛିଡ଼ା ହୋଇସାରିଥାନ୍ତା। ଯାହା ସର୍ବମୋଟ ଭଡ଼ା ଅର୍ଥଠାରୁ ଢେର ଗୁଣ କମ୍ ଟଙ୍କାରେ ହୋଇପାରିଥାନ୍ତା। ହେଲେ କର୍ତ୍ତୃପକ୍ଷ ଏଦିଗରେ ସାମାନ୍ୟତମ ଦୃଷ୍ଟି ଦେଇନାହାନ୍ତି।

ଏନେଇ ଏନ୍‌ଏଚ୍‌ଆଇ ଅଧିକାରୀଙ୍କୁ ସୂଚନା ଅଧିକାର ଆଇନ ବଳ‌ରେ ପଚାରିଲେ ଉତ୍ତର ମିଳିଛି ଯେ ରାଜ୍ୟ ସରକାର ପାହାଳ ନିକଟବର୍ତ୍ତୀ ରୁଦ୍ରପୁର ମୌଜାରେ ଅଫିସ୍‌, କ୍ବାର୍ଟର୍ସ, ଭୁବନେଶ୍ବର କାର୍ଯ୍ୟାନ୍ବୟନ ଅଫିସ୍‌ ଓ ଟ୍ରାନିଜଟ୍‌ ହାଉସ‌୍ ଆଦି ନିର୍ମାଣ କରିବା ପାଇଁ ଜାଗା ଦେଇଛନ୍ତି। ହେଲେ କେବେ ଦେଲେ? ‌କେତେ ଜାଗା ଦେଲେ? କେବେ ଆବେଦନ କରାଯାଇଥିଲା? ସେ ନେଇ କାହା ପାଖରେ ସଠିକ ଉତ୍ତର ନାହିଁ। ତେଣୁ ରାଜ୍ୟ ସରକାର ଜାଗା ଦେଇଛନ୍ତି ନା, ଏମାନେ କେବଳ ଭଣ୍ଡେଇବା ପାଇଁ କହୁଛନ୍ତି, ତାକୁ ନେଇ ଏବେ ସମସ୍ତେ ସନ୍ଦୀହାନ। ସେହିଭଳି ରାଜ୍ୟ ସରକାର ଦେଇଥିବା ଜାଗାରେ କେବେ ଅଫିସ୍‌ ଓ ଅନ୍ୟାନ୍ୟ ଘର ନିର୍ମାଣ ଆରମ୍ଭ ହେବ ତା’ର ଉତ୍ତର ବି କାହା ପାଖରେ ନାହିଁ।

ଏନେଇ ଜଣେ ବରିଷ୍ଠ ଯନ୍ତ୍ରୀଙ୍କ କହିବାନୁସାରେ, ୩ହଜାର ବର୍ଗଫୁଟ୍‌ରେ ଏକ ବିଲ୍ଡିଂ ନିର୍ମାଣ ସହ ଇଣ୍ଟେରିୟର୍‌ ଡିଜାଇନ୍‌ ଓ ଆନୁସଙ୍ଗିକ ବ୍ୟବସ୍ଥା ପାଇଁ ପାଖାପାଖି କୋଟିଏ ଟଙ୍କା ଖର୍ଚ୍ଚ ହେବ। ସରକାରଙ୍କ ଜିଏ ଡିପାର୍ଟମେଣ୍ଟ୍‌କୁ ଜାଗା ମାଗିଲେ ସରକାର ମଧ୍ୟ ନିୟମାବଳୀ ଅନୁସାରେ ଜାଗା ଯୋଗାଇ ଦେବେ। ଏ ଦିଗରେ ଏନ୍‌ଏଚ୍‌ଏଆଇର ରାଜ୍ୟସ୍ତରୀୟ ଅଧିକାରୀ କାର୍ଯ୍ୟ କରିବା କଥା। ଯଦି ଜାଗା ନେଇ ଘର କରିଥା’ନ୍ତେ, ତେବେ କୋଟିଏ ଟଙ୍କାରେ ଘର ହୋଇଯାଇଥା’ନ୍ତା। ହେଲେ ଏନ୍‌ଏଚ୍‌ଆଇ କର୍ତ୍ତୃପକ୍ଷ ୫କୋଟି ଟଙ୍କା ଭଡ଼ା ଦେଲେଣି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।