ରାଜ୍ୟ ସ୍ପେଶାଲ ରିପୋର୍ଟ

ଭଡ଼ାରେ ଲାଗିବ ହକି ‘ବିଶ୍ବକପ ଗ୍ରାମ’

ରାଉରକେଲା: ପୁରୁଷ ହକି ବିଶ୍ବକପ ପୂର୍ବରୁ ଖେଳାଳି, ପ୍ରଶିକ୍ଷକ, ସପୋର୍ଟ‌୍ ଷ୍ଟାଫ୍‌ଙ୍କ ରହଣି ପାଇଁ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ବବିଦ୍ୟାଳୟ(ବିପିୟୁଟି) ପରିସରରେ ‘ବିଶ୍ବକପ ଗ୍ରାମ’ର ନିର୍ମାଣ କରାଯାଇଥିଲା। ଅତ୍ୟାଧୁନିକ ସୁବିଧାସୁଯୋଗରେ ଭର୍ତ୍ତି ହୋଇଥିବା ଏହି ବିଶ୍ବକପ୍‌ ଗ୍ରାମ କୌଣସି ଗୁଣରେ ବିଳାସପୂର୍ଣ୍ଣ ପଞ୍ଚତାରକା ହୋଟେଲଠାରୁ କମ୍‌ ନଥିଲା। ତେବେ ହକି ବିଶ୍ବକପ୍‌ ଶେଷ ହେବାପରେ ଏହାର ଭବିଷ୍ୟତକୁ ନେଇ ଯେଉଁ ଆଶଙ୍କା କରାଯାଇଥିଲା; ଆଜି ତାହା ସତ୍ୟତାରେ ପରିଣତ ହୋଇଛି। ଏହି ଅତ୍ୟାଧୁନିକ ଭିତ୍ତିଭୂମିକୁ ଭଡ଼ାରେ ଲଗାଇବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ବିଶ୍ବକପ୍‌ ଗ୍ରାମର ପରିଚାଳନା ଓ ପ୍ରବନ୍ଧନ ପାଇଁ ଟେଣ୍ଡର ଆହ୍ବାନ କରାଯାଇଛି। ତେବେ ଏହାକୁ ସ୍ବଳ୍ପକାଳୀନ ନୁହେଁ; ବରଂ ଦୀର୍ଘକାଳୀନ ଭିତ୍ତିରେ ଲିଜ୍‌ରେ ଦିଆଯିବ।

ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବବ୍ୟାପାର ମନ୍ତ୍ରାଳୟର ବିଜ୍ଞପ୍ତି ଅନୁସାରେ, ଟେଣ୍ଡର ପ୍ରକ୍ରିୟ‌ା ଜୁଲାଇ ୧୭ରୁ ଆରମ୍ଭ ହୋଇ ଅଗଷ୍ଟ ୧୦ ତାରିଖ ଯାଏ ଚାଲିବ। ଅଗଷ୍ଟ ୧୧ରେ ଟେଣ୍ଡର୍‌ ଖୋଲାଯିବାପରେ ୧୬ରେ ବୈଷୟିକ ଉପସ୍ଥାପନା ପାଇଁ ତାରିଖ ଧାର୍ଯ୍ୟ କରାଯାଇଛି। ଆଗ୍ରହୀ ସଂସ୍ଥାଗୁଡ଼ିକ ବିଶ୍ବକପ୍‌ ଗ୍ରାମର ସ୍ଥିତି ବୁଲିଦେଖିବାର ମଧ୍ୟ ସୁଯୋଗ ଦିଆଯିବ। ବେସରକାରୀ ସଂସ୍ଥାକୁ ବିଶ୍ବକପ୍‌ ଗ୍ରାମକୁ ଟେକି ଦେବାର ଯୋଜନା ଜିଲ୍ଲାର ଅସଂଖ୍ୟ ହକିପ୍ରେମୀଙ୍କୁ ନିରାଶ କରିଛି। ଏହି ପ୍ରକଳ୍ପ କେବଳ ହକି ବିଶ୍ବକପର ସ୍ମୃତିକୁ ଜାଗ୍ରତ କରୁନି; ବରଂ ରାଉରକେଲା ମାଟିରେ ଗଢ଼ିଉଠିଥିବା ଅନ୍ୟତମ ଶ୍ରେଷ୍ଠ ଭିତ୍ତିଭୂମି ହୋଇଥିବାରୁ ଏହାକୁ ସରକାର ଖୋଦ୍‌ ପରିଚାଳନା କରିବା ସପକ୍ଷରେ କ୍ରୀଡ଼ାପ୍ରେମୀ ଯୁକ୍ତି ବାଢ଼ିଛନ୍ତି। ଉଲ୍ଲେଖଯୋଗ୍ୟ, ଏହି ବିଶ୍ବକପ ଗ୍ରାମର ନିର୍ମାଣ ୨୦୨୨ ମାର୍ଚ୍ଚରେ ଆରମ୍ଭ ହୋଇ ମାତ୍ର ୯ ମାସ ଅବଧି ଭିତରେ ଶେଷ ହୋଇଥିଲା। ୮୪.୦୪ କୋଟି ବ୍ୟୟରେ ଏହି ଆକୋମୋଡେସନ ବିଲ୍‌ଡିଂ ଗଢ଼ି ଉଠିଥିଲା। ଏଠାରେ ୨୧୭ଟି ରୁମ୍‌ ଓ ୮ଟି ସୁଟ୍‌, ମୋଟ୍‌ ୨୨୫ଟି ଅତ୍ୟାଧୁନିକ ରୁମ୍‌ ରହିଛି। ଏଠାରେ ପ୍ରାୟ ୯.୧୯ କୋଟି ବ୍ୟୟ ଅଟକଳରେ ସ୍ବିମିଂ ପୁଲ୍‌ ନିର୍ମାଣ କରାଯାଇଥିବାବେଳେ ଅତ୍ୟାଧୁନିକ ଫିଟ୍‌ନେସ ସେଣ୍ଟର୍‌, ହାଇଡ୍ରୋଥେରାପି ପୁଲ୍‌, ବାଷ୍ପ ସ୍ନାନ ବ୍ୟବସ୍ଥା, ଷ୍ଟିମ୍‌, ଭିଡିଓ ବୋର୍ଡ ରୁମ୍‌, ୪ଟି ମିଟିଂ ରୁମ୍‌, ୩ଟି ଡାଇନିଂ ଅଞ୍ଚଳ, ୨ଟି ରୋଷେଇ ଘର, ଅତ୍ୟାଧୁନିକ ବ୍ୟାୟାମଶାଳ‌‌ା, ରିସେପ୍ସନ ଏରିଆ ଆଦି ଉପଲବ୍ଧ।

ପ୍ରକାଶଥାଉକି, ମାର୍ଚ୍ଚ ୧୦ରୁ ୧୭ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ହକି ପ୍ରୋ-ଲିଗ୍‌ ଆୟୋଜିତ ହୋଇଥିଲା। ଏଥିରେ ଭାରତ, ଜର୍ମାନୀ ଓ ଅଷ୍ଟ୍ରେଲିଆ ମୋଟ୍‌ ୬ଟି ମ୍ୟାଚ୍‌ ଖେଳିଥିଲେ। ସେତେବେଳେ ତିନି ଦଳର ଖେଳାଳିଙ୍କୁ ବିଶ୍ବକପ ଗ୍ରାମରେ ରଖାଯାଇନଥିଲା। ବରଂ ସେମାନେ ସହରର ତିନିଟି ଭିନ୍ନ ଭିନ୍ନ ହୋଟେଲରେ ରହିଥିଲେ। ଏମିତିକି ଷ୍ଟାଡିୟମଠାରୁ ପ୍ରାୟ ୧୦ କିଲୋମିଟର ଦୂର ବେଦବ୍ୟାସଠାରେ ଥିବା ଏକ ହୋଟେଲରେ ଭାରତୀୟ ଦଳ ରହିଥିଲେ। ସେତେବେଳେ ଏନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା; କିନ୍ତୁ ଖାଦ୍ୟପେୟର ଅଭାବ ଆଳ ଦେଖାଇଥିଲେ ଆୟୋଜକ। ସେହିଭଳି ଗତ ମେ’ରୁ ଜୁଲାଇ ଭିତରେ ରାଉରକେଲାରେ ୪ଟି ଜାତୀୟ ପ୍ରତିଯୋଗିତା, ଯଥା-ଜାତୀୟ ଉପକନିଷ୍ଠ ବାଳକ ଓ ବାଳିକା ଏବଂ ଜାତୀୟ କନିଷ୍ଠ ବାଳକ ଓ ବାଳିକା ହକି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ସେତେବେଳେ ମଧ୍ୟ ଖେଳାଳିଙ୍କୁ ବିଶ୍ବକପ ଗ୍ରାମ୍‌ରେ ରହିବାର ସୁଯୋଗ ଦିଆନଯାଇ ବେଦବ୍ୟାସ ହାଉସ୍‌ରେ ରଖାଯାଇଥିଲା।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।