ରାଜ୍ୟ

ଭଙ୍ଗା ହେଲା ଶିଆଳି ବେଳାଭୂମି ଭ୍ୟୁ ଟାଵାର୍‌: ସୁରକ୍ଷା ପାଇଁ ଦାବି ହୋଇ ଆସୁଥିଲା, ଆଖି ବୁଜି ଦେଇଥିଲେ ସରକାର

ଜଗତସିଂହପୁର/ଏରସମା: ସମୁଦ୍ର ମାଡ଼ି ମାଡ଼ି ଆସିବା ସହିତ ଜନବସତି ଭିତରେ ପାଣି ପଶିଲାଣି। ଏରସମା ବ୍ଲକର ଶିଆଳିରେ ସମୁଦ୍ରର କରାଳ ରୂପ ଦେଖି ସ୍ଥାନୀୟ ଲୋକ ଏବେ ଛାନିଆ। ସମୁଦ୍ର ଜୁଆର ମାଡ଼ରେ କ୍ଷତିଗ୍ରସ୍ତ ହୋଇ ଅସୁରକ୍ଷିତ ଘୋଷଣା ହୋଇଥିବା ଶିଆଳି ବେଳାଭୂମିର ମୁଖ୍ୟ ଆକର୍ଷଣ ‘ଭ୍ୟୁ ଟାଵାର’କୁ ଭାଙ୍ଗି ମାଟିରେ ମିଶାଇବାକୁ ପ୍ରଶାସନ ପଦକ୍ଷେପ ନେଇଛି। ଏହି ଭ୍ୟୁ ଟାଵାର୍ ଭଙ୍ଗା ହେବା ପୂର୍ବରୁ ସେଥିରେ ଥିବା ଝରକା, କବାଟ, କାଚ, ଲୁହା ଗ୍ରିଲ୍ ଓ ଅନ୍ୟାନ୍ୟ ସାମଗ୍ରୀ ଖୋଲିବା ପ୍ରକ୍ରିୟା ଆରମ୍ଭ ହୋଇଛି। ଏହା ଖୋଲାଯିବା ପରେ ଆସନ୍ତା ୩/୪ ଦିନ ଭିତରେ ଏହି ଭାଙ୍ଗିବା କାମ ଶେଷ ହେବ। ମାତ୍ର ୧୩ ବର୍ଷର ଏହି ଭ୍ୟୁ ଟାଵାର୍ ଏବେ ମାଟିରେ ମିଶିବାକୁ ଯାଉଛି। ଏହାକୁ ନେଇ ଏରସମା ଓ ଜଗତସିଂହପୁର ଜିଲ୍ଲାର ଯୁବପିଢ଼ି ସାମାଜିକ ଗଣମାଧ୍ୟମରେ ନିଜର ଅସନ୍ତୋଷ ପ୍ରକାଶ କରୁଛନ୍ତି। ଏହାର ସୁରକ୍ଷା ପାଇଁ ଦାବି ହୋଇ ଆସୁଥିଲେ ବି ପୂର୍ବ ସରକାର ଏହାକୁ ଗୁରୁତ୍ବ ଦେଇ ନ ଥିବା ଅଭିଯୋଗ ହୋଇଛି।

ପ୍ରାୟ ୧୦ କିଲୋମିଟର୍ ବ୍ୟାପୀ ରହିଥିବା ଶିଆଳି ବେଳାଭୂମି ୨୦୧୧ରେ ପର୍ଯ୍ୟଟନସ୍ଥଳୀ ମାନ୍ୟତା ପାଇଥିଲା। ସମୁଦ୍ରର ମନୋରମ ଦୃଶ୍ୟକୁ ଉପଭୋଗ କରିବା ପାଇଁ ପ୍ରାୟ ୩୦ ଫୁଟ୍ ଉଚ୍ଚର ଭ୍ୟୁ ଟାଵାର୍ ନିର୍ମାଣ କରାଯାଇଥିଲା। ଭ୍ୟୁ ଟାଵାର୍ ସହ ବିଶ୍ରାମ ଗୃହ ସୁବିଧା ମଧ୍ୟ ରହିଥିଲା। ସେତେବେଳେ ସମୁଦ୍ର ଏହି ଭ୍ୟୁ ଟାଵାର ନିକଟରୁ ପ୍ରାୟ ୮୦୦ ମିଟରରୁ ୧ କିଲୋମିଟର ଦୂରରେ ଥିଲା। କିନ୍ତୁ କ୍ରମାଗତ ଭାବେ ସମୁଦ୍ର କୂଳ ଲଙ୍ଘିବା ସହ କୂଳର ନିକଟତର ହୋଇଥିଲା। ୨୦୧୮ରେ ସମୁଦ୍ର କୂଳକୁ ମାଡ଼ି ମାଡ଼ି ଆସୁଥିବା ଅଭିଯୋଗ ହେବା ସହ ସୁରକ୍ଷା ପାଇଁ ଦାବି ହୋଇଥିଲା। ସମୁଦ୍ର ପ୍ରାୟ ୫ ଶହ ମିଟର ଜନବସତି ଆଡକୁ ମାଡ଼ି ଆସିଥିଲା। ଭ୍ୟୁ ଟାଵାର୍ ଠାରୁ ପ୍ରାୟ ୩୦୦ରୁ ୫୦୦ ମିଟର ଦୂରରେ ରହିଥିଲା। ସେତେବେଳେ ସୁରକ୍ଷା ପାଚେରି ନିର୍ମାଣ ସହ କୋଲକାତାରୁ ବାଲିବସ୍ତା ଅଣାଯାଇ ଏଠାରେ ପକାଯାଇଥିଲା। କିନ୍ତୁ କୌଣସି ସୁଫଳ ମିଳି ନ ଥିଲା। ଗତ ୧୫ ଦିନ ଭିତରେ ସମୁଦ୍ର ଅଶାନ୍ତ ହେବାରୁ ଭ୍ୟୁ ଟାଵାର୍ ମୂଳରେ ଜୁଆର ମାଡ଼ ହୋଇ ମୂଳଦୁଆ ଖସି ଯାଇଥିଲା। ମାତ୍ର ଦୁଇଟି ପିଲାରକୁ ଛାଡ଼ି ଦେଲେ ଅନ୍ୟ କୌଣସି କଂକ୍ରିଟ୍ ପିଲାର ମୂଳରେ ବାଲି ନ ଥିଲା। ସେହିପରି କଂକ୍ରିଟ୍ ଖଣ୍ଡ ଖଣ୍ଡ ହୋଇ ବେଳାଭୂମି ଶଯ୍ୟାରେ ପଡ଼ିଥିଲା। କେତେକ ପିଲାର ରଡ୍ ମଧ୍ୟ ବାହାରି ଯାଇଥିଲା। ପ୍ରଶାସନ ଏହାକୁ ବିପଦସଙ୍କୁଳ ଘୋଷଣା କରିବା ସହ ବାଉଁଶ ଘେରାଇଥିଲା। କିନ୍ତୁ ଅମାନିଆ ପର୍ଯ୍ୟଟକ କଟକଣା ନ ମାନି ଭ୍ୟୁ ଟାଵାର୍ ନିକଟକୁ ଯିବା ଅଭିଯୋଗ ହେବାରୁ ଏହାକୁ ଭାଙ୍ଗିଦେବାକୁ ଏରସମା ବିଡିଓଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ତିର୍ତ୍ତୋଲ ରାସ୍ତା ଓ କୋଠାବାଡ଼ି ବିଭାଜନ(ଆର୍‌ଆଣ୍ଡ୍‌ବି) ପକ୍ଷରୁ ଏହାକୁ ଭାଙ୍ଗିବା କାର୍ଯ୍ୟ ଆରମ୍ଭ ହୋଇଛି। ଅନ୍ୟପଟେ ସମୁଦ୍ର ଜନବସତିର ନିକଟତର ହେଉଥିବା ବେଳେ ଏ ଦିଗରେ ସତର୍କତା ଆଉ ସୁରକ୍ଷା ବ୍ୟବସ୍ଥା ନ କଲେ ଜନବସତି ଅଞ୍ଚଳ‌ ବି ସମୁଦ୍ରରେ ଲୀନ ହେବ ବୋଲି ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।