ରାଜ୍ୟ

ଭଙ୍ଗାହେବ ବାରବାଟୀ ଷ୍ଟାଡିୟମ୍‌‌: ବିଶ୍ବସ୍ତରୀୟ ହେବ ଷ୍ଟାଡିୟମ୍‌‌, ୬୦ ହଜାର ଦର୍ଶକଙ୍କ ପାଇଁ ବ୍ୟବସ୍ଥା

କଟକ: ଓଡ଼ିଶା କ୍ରିକେଟ୍‌ର ପରିଚୟ କଟକ ବାରବାଟୀ ଷ୍ଟାଡିୟମ ହେବ ବିଶ୍ବସ୍ତରୀୟ। ବର୍ତ୍ତମାନର ଷ୍ଟାଡିୟମକୁ ସଂପୂର୍ଣ୍ଣ ଭାଂଗି ଦିଆଯାଇ ସେହି ସ୍ଥାନରେ ସମସ୍ତ ଅତ୍ୟାଧୁନିକ ସୁବିଧା ଥିବା ଏକ ବିଶ୍ବସ୍ତରୀୟ ଷ୍ଟାଡିୟମ ନିର୍ମାଣ କରାଯିବ। ପ୍ରାୟ ୬୦୦ କୋଟି ଟଙ୍କା ବ୍ୟୟରେ ଏହି ନୂତନ ଷ୍ଟାଡିୟମକୁ ନୂଆ ରୂପ ଦିଆଯିବ। ନୂତନ ଷ୍ଟାଡିୟମରେ ଏକକାଳୀନ ୬୦ ହଜାର ଦର୍ଶକ ବସି ମ୍ୟାଚ୍‌ ଦେଖିପାରିବେ। କ୍ରିକେଟ୍‌ ସହିତ ଅନ୍ୟ ଖେଳ ପ୍ରତି ମଧ୍ୟ ଧ୍ୟାନ ଦିଆଯିବ। ଷ୍ଟାଡିୟମକୁ ଲାଗି ୫ ତାରକା ହୋଟେଲ, ଅଫିସ କକ୍ଷ, ରାସ୍ତା ପାର୍କିଂ, ଦୋକାନ ଘର, ସପିଂ ମଲ୍‌ ଓ ଏକ ସ୍ପୋର୍ଟସ୍ କମ୍ପଲେକ୍ସର ବିକାଶ କରାଯିବ। ଓଡ଼ିଶା କ୍ରିକେଟ୍‌ ଆସୋସିଏସ୍‌ନ( ଓସିଏ), ବିସିସିଆଇ ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ଏହାର ନିର୍ମାଣ କରାଯିବ। ରାଜ୍ୟ ସରକାରଙ୍କ ୫-ଟି ରୂପାନ୍ତରୀକରଣ ‌ଯୋଜନାରେ ଏହାକୁ ସାମିଲ କରି ନିର୍ମାଣ କରାଯିବ। ଆସନ୍ତା ସପ୍ତାହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏହି ପରିପ୍ରେକ୍ଷୀରେ ଷ୍ଟାଡିୟମର ସ୍ଥିତି ସମୀକ୍ଷା କରିବା ପାଇଁ ବୁଧବାର ସକାଳେ ୫-ଟି ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ ଭି କେ ପାଣ୍ଡିଆନ ଷ୍ଟାଡିୟମରେ ପହଞ୍ଚି ସ୍ଥିତିର ସମୀକ୍ଷା କରିଛନ୍ତି। ନିର୍ମାଣ ହେବାକୁ ଥିବା ଷ୍ଟାଡିୟମର ଏକ ପ୍ରତୀକାତ୍ମକ ନକ୍ସାର ଅନୁଧ୍ୟାନ କରିବା ସହିତ ରାଜ୍ୟରେ କ୍ରିକେଟ୍‌ ବିକାଶ ସମ୍ପର୍କରେ ଓସିଏ ସଭାପତି ପ୍ରଣବ ପ୍ରକାଶ ଦାସ, ସଂପାଦକ ସଂଜୟ ବେହେରାଙ୍କ ସହିତ ଆଲୋଚନା କରିଛନ୍ତି। ଷ୍ଟାଡିୟମ ସ୍ଥିତି ଅନୁଧ୍ୟାନ କରିବା ସହିତ କୋଚ୍‌ ଓ
ଖେଳାଳିଙ୍କ ସହିତ ଆଲୋଚନା ମଧ୍ୟ କରିଥିଲେ।

ଓସିଏର ଗତ ସାଧାରଣ ପରିଷଦ ବୈଠକରେ ପ୍ରଥମେ ଷ୍ଟାଡିୟମ ନବକଳେବର ପାଇଁ ନିଷ୍ପତ୍ତି ହୋଇଥିଲା। ଓସିଏ ପକ୍ଷରୁ ଏନେଇ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଥିଲା। ଏବେ ସରକାର ବ‌ାରବ‌ାଟୀ ଷ୍ଟାଡିୟମର ବିକାଶ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଆଜି ଶ୍ରୀ ପାଣ୍ଡିଆନ ଷ୍ଟାଡିୟମରେ ପହଞ୍ଚି ଏହାର ସମୀକ୍ଷା କରିଥି‌ଲେ। କ୍ରିକେଟ୍‌ ଓ ଅନ୍ୟ ଖେଳକୁ ଦୃଷ୍ଟିରେ ରଖି ଷ୍ଟାଡିୟମର ବିକାଶ କରାଯିବ। ରାଜ୍ୟରେ ଗୁଣାତ୍ମକ କ୍ରିକେଟ୍‌ ‌କୋଚିଂର ମଧ୍ୟ ବ୍ୟବସ୍ଥା କରାଯିବ। ପ୍ରତିଯୋଗିତା ମନୋଭାବ ରଖିବା ଓ ପ୍ରତିଭାର ବିକାଶ ପାଇଁ ରାଜ୍ୟସ୍ତରୀୟ କ୍ରିକେଟ୍‌ ଏକାଡେମି ବିକାଶ କରିବା ସହିତ ରାଜ୍ୟସ୍ତରୀୟ କ୍ରିକେଟ୍‌ ଲିଗ୍‌ର ଆୟୋଜନ କରିବାକୁ କହିଥିଲେ। ମହିଳା କ୍ରିକେଟ୍‌ର ବିକାଶ ପାଇଁ ପୁରୀରେ ଏକ ମହିଳା କ୍ରିକେଟ ଏକାଡେମି ଖୁବ୍‌ଶୀଘ୍ର ଆରମ୍ଭ ହେବ। କଟକରେ ଥିବା କ୍ରିକେଟ ଏକାଡେମିର ମଧ୍ୟ ବିକାଶ କରାଯିବ। ଏହି ଅବସର‌ରେ ଓସିଏ ସଂପାଦକ ଶ୍ରୀ ‌ବେହେରା କହିଛନ୍ତି ଯେ ଏବେ ବାରବାଟୀ ଷ୍ଟାଡିୟମରେ ୪୨ ହଜାର ସିଟ୍ ସାମର୍ଥ୍ୟ ରହିଛି। ନୂତନ ଷ୍ଟାଡିୟମ ନିର୍ମାଣ ହେଲେ ୬୦ ହଜାର ଦର୍ଶକ ବସିଲା ଭଳି ସାମର୍ଥ୍ୟ ରହିବ। ଆଗାମୀ ୫୦ ବର୍ଷକୁ ଦୃଷ୍ଟିରେ ରଖି ଏହା ନିର୍ମାଣ କରାଯିବ। ଶ୍ରୀ ବେହେରା କହିଛନ୍ତି କି ୧୯୫୨ ମସିହାରେ ଷ୍ଟାଡିୟମର ମୂଳଦୁଆ ପଡିଥିଲା।

କାଳକ୍ରମେ ଏହାର ବିକାଶ ହୋଇଛି। ଏବେ ଷ୍ଟାଡିୟମର ଯେଉଁ ମୂଳ ଢାଞ୍ଚା ରହିଛି ସେଥିରେ ନବକଳେବର ବା ପୁନଃ ନିର୍ମାଣ କରିବା ଏକ ପ୍ରକାର ଅସମ୍ଭବ ଥିବାରୁ ଷ୍ଟାଡିୟମକୁ ସଂପୂର୍ଣ୍ଣ ଭାଙ୍ଗି ଏକ ନୂତନ ଷ୍ଟାଡିୟମ ନିର୍ମାଣ କରାଯିବାର ଯୋଜନା ହୋଇଛି। ଏହାର ପ୍ରୋଜେକ୍ଟ୍‌ ରିପୋର୍ଟ ପ୍ରସ୍ତୁତ କରିବା ପାଇଁ ଏକ କଂପାନିକୁ ଦିଆଯାଇଛି। ଏଥିପାଇଁ ଦୁଇ ମାସ ‌ସମୟ ଲାଗିବ। ‌ତେବେ ଆସନ୍ତା ସପ୍ତାହରେ ମୁଖ୍ୟମନ୍ତ୍ରୀ ନୂତନ ଷ୍ଟାଡିୟମର ଶିଳାନ୍ୟାସ କରିବେ। ଏଥିସହିତ ସେହି ଦିନ ୩୦ ଜିଲ୍ଲାରେ ୪୨ କ୍ରିକେଟ୍‌ ଏକାଡେମିର ଲୋକାର୍ପଣ ହେବ। ଆଜିର ଆଲୋଚନାରେ ରାଜ୍ୟ ସରକାରଙ୍କ କ୍ରୀଡା ସଚିବ ଭିନିଲ୍‌ କ୍ରିଷ୍ଣା, ଓସିଏ ସଂପାଦକ ସଂଜୟ ବେହେରା, ସିଡିଏ ଅଧ୍ୟକ୍ଷ ଅନିଲ ସାମଲ, କଟକ ଜିଲ୍ଲାପାଳ ଭିନିଥ୍ ଭରଦ୍ବାଜ, ଡିସିପି କେ.ଭି ସିଂହ, ଓଡ଼ିଶା ଅଲମ୍ପିକ୍‌ ସଂଘ ସଂପାଦକ ଅଭିଜିତ ପାଲ, ଫାଓ ସମ୍ପାଦକ ଆଶୀର୍ବାଦ ବେହେରା ଓ କ୍ରୀଡା ବିଭାଗର ଯୁଗ୍ମ ସଚିବ ରଂଜିତ ପରିଡା ପ୍ରମୁଖ ଉପସ୍ଥିତ ଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।