ଆସନ୍ତା ସୋମବାର , ସେପ୍ଟେମ୍ବର ୨ତାରିଖରେ ବିଘ୍ନ ବିନାଶକ ଶ୍ରୀ ଗଣେଶ ଚତୁର୍ଥୀ । ଏହି ଅବସରରେ ଶ୍ରୀ ଗଣେଶଙ୍କ ବିଭିନ୍ନ ସ୍ବରୂପଙ୍କୁ ପୂଜା କରାଯାଏ । ଜ୍ୟୋତିଷାଚାର୍ଯ୍ୟ ପଣ୍ଡିତ ମନୀଷ ଶର୍ମାଙ୍କ ଅନୁସାରେ ଯେଉଁଭଳି ଭାବରେ ରାକ୍ଷସଙ୍କ ସଂହାର ପାଇଁ ଭଗବାନ ବିଷ୍ଣୁ ବିଭିନ୍ନ ଅବତାର ଗ୍ରହଣ କରି ମର୍ତ୍ତ୍ୟକୁ ଆସୁଥିଲେ ସେହିଭଳି ଶ୍ରୀଗଣେଶ ମଧ୍ୟ ବହୁବାର ଅବତାର ଗ୍ରହଣ କରିଛନ୍ତି । ଆସନ୍ତୁ ଜାଣିବା ଶ୍ରୀ ଗଣେଶ କେଉଁ ଅବତାରରେ କେଉଁ ରାକ୍ଷସର କରିଛନ୍ତି ସଂହାର ।
ମହୋଦର– ପ୍ରଚଳିତପୌରାଣିକ କଥା ଅନୁସାରେ ତାରକାସୁରର ବଧ ଶ୍ରୀ ଗଣେଷଙ୍କ ଭାଇ କାର୍ତ୍ତିକେୟ ମହାପ୍ରଭୁ କରିଥିଲେ । ଏହାପରେ ଦୈତ୍ୟଗୁରୁ ଶୁକ୍ରାଚାର୍ଯ୍ୟଙ୍କ ସହାୟତାରେ ମହୋସୁର ଦେବତାଙ୍କ ଉପରେ ଆକ୍ରମଣ କରିଦେଇଥିଲା । ଫଳରେ ସ୍ବର୍ଗର ଦେବତାମାନେ ତ୍ରାହି ତ୍ରାହି ଡାକିଲେ । ଶେଷରେ ଏହି ରାକ୍ଷସ କବଳରୁ ରକ୍ଷା କରିବା ପାଇଁ ଶ୍ରୀ ଗଣେଶଙ୍କ ନିକଟରେ ପ୍ରାର୍ଥନା କଲେ । ଫଳରେ ଶ୍ରୀ ଗଣେଶ ମହୋଦର ବା ପୃଥୁଳକାୟ ବପୁ ସହ ଅବତାର ଗ୍ରହଣ କରିଥିଲେ । ଏହି ସ୍ବରୂପ ଦେଖିବା ପରେ ମୋହାସୁର ନିଜେ ନିଜେ ପରାଜୟ ସ୍ବୀକାର କରିବା ସହ ମହୋଦର ଅର୍ଥାତ ଶ୍ରୀଗଣେଶଙ୍କ ଭକ୍ତ ହୋଇଯାଇଥିଲା ।
ବକ୍ରତୁଣ୍ଡ –ମତ୍ସ୍ୟରାସୁର ଜଣେ ଦୈତ୍ୟ । ସେ ପ୍ରଚଣ୍ଡ ଶିବ ଭକ୍ତ ଥିଲେ । ମହାଦେବଙ୍କୁ ନିଜ ତପସ୍ୟାବଳରେ ପ୍ରସନ୍ନ କରି ସେ ବିଶେଷ ବରପ୍ରାପ୍ତି କରିଥିଲେ । ଶୁକ୍ରଚାର୍ଯ୍ୟଙ୍କ ପରାମର୍ଶକ୍ରମେ ନିଜର ଦୁଇପୁତ୍ର ମହାପରାକ୍ରମି ସୁନ୍ଦରପ୍ରିୟ ଏବଂ ବିଷୟପ୍ରିୟ ସହ ମତ୍ସ୍ୟରାସୁର ସ୍ବର୍ଗଲୋକ ଉପରେ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ଭୟଭୀତ ଦେବତାମାନେ ଶ୍ରୀଗଣେଶଙ୍କ ଶରଣ ପଶିବା ସହ ରକ୍ଷା କରିବା ପାଇଁ ପ୍ରାର୍ଥନା କରିବା ପରେ ଶ୍ରୀ ଗଣେଶ ବକ୍ରତୁଣ୍ଡ ରୂପ ଧାରଣ କରିଥିଲେ । ଏହି ସ୍ବରୂପରେ ପ୍ରଭୁ ଶ୍ରୀଗଣେଶ ମତ୍ସ୍ୟରାସୁରଙ୍କ ଦୁଇ ପୁତ୍ରଙ୍କୁ ବଧ କରିବା ସହ ମତ୍ସ୍ୟରାସୁରଙ୍କୁ ପରାସ୍ତ କରିଥିଲେ ।
ଏକଦନ୍ତ- ମଦ ନାମକ ଏକ ରାକ୍ଷସ ଦୈତ୍ୟଗୁରୁ ଶୁକ୍ରାଚାର୍ଯ୍ୟଙ୍କ ଦୀକ୍ଷା ଗ୍ରହଣ କରିଥିଲା । ଏହାପରେ ସେ ଦେବତାଙ୍କ ଉପରେ ଆକ୍ରମଣ କରିବା ଆରମ୍ଭ କରିଥିଲା । ଦେବତାଙ୍କ ପ୍ରାର୍ଥନା ଅନୁସାରେ ଶ୍ରୀଗଣେଶ ଏକଦନ୍ତ ରୂପ ଧାରଣ କରି ରାକ୍ଷସ ମଦର ବଧ କରିଥିଲେ ।
ବିକଟ- କାମାସୁର ନାମକ ଏକ ଦୈତ୍ୟ ମହାଦେବଙ୍କୁ ପ୍ରସନ୍ନ କରି ତ୍ରିଲୋକ ବିଜୟୀ ହେବାର ବର ହାସଲ କରିଥିଲା । ଏହାପରେ ସେ ଦେବତାଙ୍କ ଉପରେ ଅତ୍ୟାଚାର ଆରମ୍ଭ କରିଥିଲା । ଦେବତାଙ୍କୁ କାମାସୁରର ଅତ୍ୟାଚାରରୁ ରକ୍ଷା କରିବା ପାଇଁ ପ୍ରଭୁ ଶ୍ରୀଗଣେଶ ବିକଟ ରୂପ ଧାରଣ କରିଥିଲେ । ଏହି ଅବତାରରେ ଶ୍ରୀଗଣେଶ ମୟୂର ପିଠିରେ ବସି କାମାସୁର ସହ ଯୁଦ୍ଧ କରି ତାର ବଧ କରିଥିଲେ ।
ଗଜାନନ- ଲୋଭାସୁର ନାମକ ଦୈତ୍ୟ ଶିବଙ୍କ ବରରେ ବଳିଆନ ହୋଇ ତ୍ରିଲୋକୁ ନିଜ ଅକ୍ତିଆରକୁ ନେଇଯାଇଥିଲା । ଲୋଭାସୁରକୁ ନିପାତ କରିବା ପାଇଁ ଶ୍ରୀଗଣେଶଙ୍କୁ ଗଜାନନ ବେଶ ଧାରଣ କରିବାକୁ ପଡିଥିଲା । ଏହି ସ୍ବରୂପରେ ସେ ଲୋଭାସୁରର ଅନ୍ତ କରିଥିଲେ ।
ଲମ୍ବୋଦର- ସୂର୍ଯ୍ୟଦେବଙ୍କୁ ପ୍ରସନ୍ନ କରି କ୍ରୋଧାସୁର ନାମକ ଏକ ଦୈତ୍ୟ ସ୍ବର୍ଗଲୋକ ଅଧିକାର କରିବା ସହ ଦେବତାଙ୍କୁ ନନାଦି କଷ୍ଟ ଓ ଯାତନା ଦେଉଥିଲା । ଏହି କ୍ରୋଧାସୁରର ଆତଙ୍କ କୁ ସମାପ୍ତ କରିବାପାଇଁ ଶ୍ରୀ ଗଣେଶ ଲମ୍ବୋଦର ସ୍ବରୂପ ଧାରଣ କରିଥିଲେ । ଶ୍ରୀଗଣେଶଙ୍କ ଲମ୍ବୋଦର ସ୍ବରୂପ ଆଗରେ କ୍ରୋଧସୁର ଅଧିକ ସମୟ ତିଷ୍ଠିପାରିନଥିଲା ।
ବିଘ୍ନରାଜ- ମମାସୁର ନାମକ ଏକ ଦୈତ୍ୟ ସବୁ ଦେବତାଙ୍କୁ ବନ୍ଦୀ କରିଦେଇଥିଲା ।ଶ୍ରୀଗଣେଶ ଦେବତାଙ୍କ ଦୁଃଖ ଦେଖିନପାରି ବିଘ୍ନରାଜ ଅବତାର ଗ୍ରହଣ କରିବା ସହ ମମାସୁର କବଳରୁ ସମସ୍ତ ଦେବତାଙ୍କୁ ମୁକ୍ତ କରିଥିଲେ ।
ଧୁମ୍ରବର୍ଣ୍ଣ– ଅହନ୍ତାସୁର ଆତଙ୍କର ଅନ୍ତ ଘଟାଇବା ଲାଗି ଶ୍ରୀଗଣେଶ ଧୁମ୍ରବର୍ଣ୍ଣ ରୂପ ଧାରଣ କରିଥିଲେ । ଏହି ଅବତାରରେ ପ୍ରଭୁଙ୍କ ବର୍ଣ୍ଣ ଧୂଆଁଭଳି ହୋଇଥିଲା । ତେଣୁ ତାଙ୍କୁ ଧୁମ୍ରବର୍ଣ୍ଣ ବୋଲି ପୂଜା କରାଗଲା । ଏହି ଅବତାରରେ ସେ ଅହନ୍ତାସୁରର ବଧ କରିଥିଲେ ।