ରାଜ୍ୟ ସ୍ପେଶାଲ ରିପୋର୍ଟ

ଭକ୍ତଙ୍କ ବିଶ୍ବାସରେ ବିଷ: ହାୟରେ ବିଧାତା! ନକଲି ଅବଢ଼ା ଧରାପଡ଼ିଲା

ପୁରୀ : ଶ୍ରୀମନ୍ଦିରରେ ଏବେ ଅଣସର ନୀତି ପାଇଁ ମହାପ୍ରସାଦ ବାହାରିବାରେ ବିଳମ୍ବ ହେଉଛି। ଏହାର ପୂର୍ଣ୍ଣ ଫାଇଦା ଉଠାଇବାରେ ଲାଗିଛନ୍ତି କିଛି ଦଲାଲ। ଭକ୍ତଙ୍କ ବିଶ୍ବାସରେ ବିଷ ଭରି ଏମାନେ ଖେଳ ଖେଳୁଛନ୍ତି। ଏହି ଦଲାଲମାନେ ବାଇହାଣ୍ଡି ସହ ଅନ୍ୟାନ୍ୟ କୁଡ଼ୁଆରେ ଅନ୍ନ, ଡାଲି, ବେସର, ମହୁର, ଖଟା ଆଦି ରାନ୍ଧି ମହାପ୍ରସାଦ ନାଁରେ ଏହାକୁ ଚଢ଼ାଦରରେ ବାହାର ଭକ୍ତଙ୍କୁ ବିକ୍ରି କରୁଥିବା ଗୁରୁତର ଅଭିଯୋଗ ହେଉଥିଲା। ଆଜି ପୁରୀ ବଳିଆପଣ୍ଡା ଥାନା ଲୋକନାଥ ରୋଡ୍‌ ପାଇକସାହି ସାପୁଆ ମଠରେ ଏଭଳି ଘଟଣାର ପ୍ରମାଣ ମିଳିଛି। ରଥଯାତ୍ରା ବେଳେ ଏଭଳି ଘଟଣାକୁ ଭକ୍ତ ମହଲରେ ତୀବ୍ର ସମାଲୋଚନା କରାଯାଇଛି। ଏହି ଖବର ପାଇ ବଳିଆପଣ୍ଡା ଥାନା ପକ୍ଷରୁ ଉକ୍ତ ସ୍ଥାନରେ ଚଢ଼ଉ ବେଳେ ରନ୍ଧାଳିମାନେ ଘଟଣାସ୍ଥଳ ଛାଡ଼ି ପଳାଇଛନ୍ତି। ଅନ୍ୟପଟେ ବଳିଆପଣ୍ଡା ଥାନା ପୁଲିସ ଏହାର ଖୋଳତାଡ଼ ଆରମ୍ଭ କରିବା ସହ ଏ ସମ୍ପର୍କରେ ଶ୍ରୀମନ୍ଦିର ପ୍ରଶାସନକୁ ବି ଅବଗତ କରିଛି। ରନ୍ଧନ କାର୍ଯ୍ୟରେ ସମ୍ପୃକ୍ତ କିଛି ବ୍ୟକ୍ତିଙ୍କୁ ବି ପଚରାଉଚରା ଜାରି ରଖିଛି।

ବଳିଆପଣ୍ଡା ଥାନା ପକ୍ଷରୁ ଖୋଳତାଡ଼ ଆରମ୍ଭ

ମିଳିଥିବା ସୂଚନା ମୁତାବକ, ଶୁକ୍ରବାର ଦିନ ପାଇକସାହି ସାପୁଆ ମଠରେ କିଛି ବ୍ୟକ୍ତି ଶ୍ରୀମନ୍ଦିର ରୋଷଶାଳା ଶୈଳୀରେ ବାଇହାଣ୍ଡି ସହ ଅନ୍ୟାନ୍ୟ କୁଡ଼ୁଆରେ ଅନ୍ନ, ଡାଲି, ବେସର, ମହୁର, ଖଟା ଆଦି ପ୍ରସ୍ତୁତ କରୁଥିବା ଦେଖିବାକୁ ମିଳିଥିଲା। ମଠ ପରିସରରେ ଏକ ସ୍ଥାନରେ ପନିପରିବା କଟା ପରେ ପାଖ ପଡ଼ିଆରେ ରୋଷେଇବାସର ଆୟୋଜନ କରାଯାଇଥିଲା। ଟେଣ୍ଟ୍‌ ଭିତରେ କିଛି ଜାଗାରେ କୋଇଲା ଗଦାଇ ଏଥିରେ ଅଗ୍ନି ସଂଯୋଗ କରି ଏଥିରେ ଅନ୍ନ, ଡାଲି ଆଦି ବ୍ୟଞ୍ଜନ ପ୍ରସ୍ତୁତ କରାଯାଉଥିଲା। ଆଲୁମିନିୟମ ଡିସ୍‌ରେ ଅନ୍ନ ପ୍ରସ୍ତୁତ କରିବାପରେ ଏହାକୁ ମାଟିର ବାଇହାଣ୍ଡିରେ ଦେଉଳିଆ କରି ରଖାଯାଇଥିବା ଦେଖିବାକୁ ମିଳିଥିଲା। ସେହିଭଳି ମଠ ପରିସରରେ ଏକାଧିକ ବାଇହାଣ୍ଡି ସହ ଅନ୍ୟାନ୍ୟ ମାଟିପାତ୍ରରେ କଟା ପନିପରିବା ସବୁ ଭର୍ତ୍ତିକରି ରୋଷେଇ ପାଇଁ ପୂର୍ବପ୍ରସ୍ତୁତ କରି ରଖାଯାଇଥିବା ଦେଖିବାକୁ ମିଳିଥିଲା।

ସେହିଭଳି ୨୪ରୁ ଅଧିକ ବାଇହାଣ୍ଡିରେ ଡାଲି ପ୍ରସ୍ତୁତ କରି ରଖାଯାଇଥିଲା। କିଛି ଡାଲିର ହାଣ୍ଡିକୁ ନିଆଁ ଆଞ୍ଚରେ ବି ବସାଯାଇଥିଲା। ଅବିକଳ ଅବଢ଼ା ଭଳି ଦିଶୁଥିବା ଏହି ବାଇହାଣ୍ଡି ଭର୍ତ୍ତି ଅନ୍ନ, ଡାଲି ଆଦିକୁ ଭକ୍ତଙ୍କୁ ମହାପ୍ରସାଦ ନାଁରେ ବିକ୍ରି କରିବାକୁ ପ୍ରସ୍ତୁତ ହେଉଥିଲା ବୋଲି ଅଭିଯୋଗ ହୋଇଛି। କିଛି ସୁଆର ସେବକ ବି ଏଥିରେ ହାତ ମିଳାଇଥିବା ଅଭିଯୋଗ ହୋଇଛି। ଯେଉଁମାନେ ଏଥିରେ ସମ୍ପୃକ୍ତ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟଙ୍କ ସହ ଭକ୍ତ ମହଲରୁ ଦାବି ହୋଇଛି। କିନ୍ତୁ ସମ୍ପୃକ୍ତ ରୋଷେୟାମାନେ ଏହାକୁ ସ୍ଥାନୀୟ ଅଞ୍ଚଳର ଏକ ଭୋଜି ପାଇଁ ପ୍ରସ୍ତୁତ କରୁଥିବା କହିଛନ୍ତି। ଅନ୍ୟପଟେ ବଳିଆପଣ୍ଡା ଥାନା ପୁଲିସ ଖବର ପାଇ ଘଟଣାଞ୍ଚଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଂଜନ କୁମାର ଦାସ ଗଣମାଧ୍ୟମକୁ କହିଛନ୍ତି, ଏ ସମ୍ପର୍କରେ ଆମ ପାଖରେ କୌଣସି ଅଭିଯୋଗ ପହଞ୍ଚିନାହିଁ। ତଥାପି ଆମେ ଏହାର ଯାଞ୍ଚ କରିବୁ। ଯଦି କେହି ମହାପ୍ରସାଦ ନାଁରେ ଏଭଳି ବିକ୍ରିବଟା କରୁଥାନ୍ତି, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଶ୍ରୀ ଦାସ କହିଛନ୍ତି। ଶ୍ରୀମନ୍ଦିରର ଅନ୍ୟ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ମହାପ୍ରସାଦ କେବଳ ଶ୍ରୀମନ୍ଦିରରେ ମିଳେ। ଏହା କେବଳ ଆନନ୍ଦବଜାରରେ ବିକ୍ରି ହୋଇପାରିବ। ଯଦି କେହି ମହପ୍ରସାଦ ନାଁରେ ମିଛ ଅନ୍ନ, ଡାଲି ଆଦି ବିକ୍ରି କରୁଛି, ସେ ଦିଗରେ ଭକ୍ତମାନେ ଅଭିଯୋଗ କଲେ, ଆମେ କାର୍ଯ୍ୟାନୁଷ୍ଠାନ ନେବୁ। କିନ୍ତୁ, ଭକ୍ତମାନେ ଏ ଦିଗରେ ସଚେତନ ହେବା ଦରକାର। ବା ଯଦି ଶ୍ରୀମନ୍ଦିର ବାହାରେ କେହି ମହାପ୍ରସାଦ ନାଁରେ ଏଭଳି ଦଲାଲି କରୁଛି, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଦାୟିତ୍ବ ଜିଲ୍ଲା ପ୍ରଶାସନ ଓ ପୁଲିସର ବୋଲି ସମ୍ପୃକ୍ତ ବରିଷ୍ଠ ଅଧିକାରୀଜଣକ କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।