ନୂଆଦିଲ୍ଲୀ: ରବିବାର ଦିନ ବ୍ରାଜିଲ୍ର ପୂର୍ବତନ ରାଷ୍ଟ୍ରପତି ଜାଇର୍ ବୋଲ୍ସୋନାରୋଙ୍କ ସମର୍ଥକମାନେ ଦଙ୍ଗାଗୋଳ କରି କଂଗ୍ରେସ ଭବନ, ସୁପ୍ରିମ୍ କୋର୍ଟ ଏବଂ ରାଷ୍ଟ୍ରପତି ପ୍ରାସାଦରେ ପ୍ରବେଶ କରି ଭଙ୍ଗାରୁଜା କରିଥିବା ଘଟଣା ଯୋଗୁଁ ଖୁବ୍ ଚିନ୍ତିତ ବୋଲି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି।
ଅଳ୍ପ ଦିନ ତଳେ ଶପଥ ଗ୍ରହଣ କରିଥିବା ରାଷ୍ଟ୍ରପତି ଲୁଇଜ୍ ଇନାସିଓ ଲୁଲା ଦା ସିଲ୍ଭାଙ୍କ ନେତୃତ୍ବାଧୀନ ବ୍ରାଜିଲୀୟ ସରକାରଙ୍କୁ ‘ଟୁଇଟ୍’ କରି ପ୍ରଧାନମନ୍ତ୍ରୀ ମୋଦୀ ସମର୍ଥନ ଜଣାଇଛନ୍ତି।
ବ୍ରାଜିଲ୍ ରାଷ୍ଟ୍ରପତି ସିଲ୍ଭାଙ୍କୁ ଟ୍ୟାଗ୍ କରିଥିବା ଟୁଇଟ୍ରେ ପ୍ରଧାନମନ୍ତ୍ରୀ ଲେଖିଛନ୍ତି: ଦଙ୍ଗା ଓ ବ୍ରାଜିଲିଆରେ ରାଷ୍ଟ୍ରୀୟ ପ୍ରତିଷ୍ଠାନଗୁଡ଼ିକରେ ଭଙ୍ଗାରୁଜା ଖବର ପାଇ ଖୁବ୍ ଚିନ୍ତିତ। ଗଣତାନ୍ତ୍ରିକ ପ୍ରଥା ପ୍ରତି ସମସ୍ତଙ୍କର ସମ୍ମାନ ରହିବା ଆବଶ୍ୟକ। ବ୍ରାଜିଲୀୟ କର୍ତ୍ତୃପକ୍ଷମାନଙ୍କୁ ଆମେ ସମର୍ଥନ ଜଣାଉଛୁ।

ସୂଚନାଯୋଗ୍ୟ, ଉଗ୍ର ଦକ୍ଷିଣପନ୍ଥୀ ନେତା ବୋଲ୍ସୋନାରୋଙ୍କ ସମର୍ଥକମାନେ ରବିବାର ଦିନ ବଳପୂର୍ବକ ପ୍ରବେଶ କରି ବ୍ରାଜିଲ୍ ରାଷ୍ଟ୍ରପତି ପ୍ରାସାଦ ନଷ୍ଟଭ୍ରଷ୍ଟ କରିବା ସହିତ ଗୋଟାଏ ‘ସ୍ପ୍ରିଙ୍କ୍ଲର୍ ସିଷ୍ଟମ୍’ଦ୍ବାରା କଂଗ୍ରେସ୍ର ଅନେକ ସ୍ଥାନରେ ପାଣି ପକାଇ ଓଦା କରି ଦେଇଛନ୍ତି ଏବଂ ସୁପ୍ରିମ୍ କୋର୍ଟର ଆଭିଜାତ୍ୟପୂର୍ଣ୍ଣ ପ୍ରକୋଷ୍ଠଗୁଡ଼ିକରେ ଭଙ୍ଗାରୁଜା କରିଛନ୍ତି।
ଏହି ଦଙ୍ଗାରେ କେହି ମୃତାହତ ହୋଇଥିବା ସମ୍ବାଦ ହସ୍ତଗତ ହୋଇନାହିଁ। ଉପରୋକ୍ତ ସରକାରୀ ଅଟ୍ଟାଳିକାଗୁଡ଼ିକରୁ ପୁଲିସ ବିପୁଳ ସଂଖ୍ୟକ ଜନତାଙ୍କୁ ହଟାଇବା ସହିତ ଅନ୍ୟୂନ ୪୦୦ଜଣଙ୍କୁ ଗିରଫ କରିଛି।
ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ ମଧ୍ୟ ଏହି କାଣ୍ଡକୁ ଗଣତନ୍ତ୍ର ଓ ଶାନ୍ତିପୂର୍ଣ୍ଣ ଦାୟିତ୍ବ ହସ୍ତାନ୍ତର ଉପରେ ଆକ୍ରମଣ ବୋଲି ଅଭିହିତ କରି ନିନ୍ଦା କରିଛନ୍ତି। ବ୍ରାଜିଲ୍ର ଗଣତାନ୍ତ୍ରିକ ପ୍ରତିଷ୍ଠାନ ପ୍ରତି ଆମେରିକାର ପୂର୍ଣ୍ଣ ସମର୍ଥନ ଥିବା କଥା ମଧ୍ୟ ସେ କହିଛନ୍ତି।