ଭୁବନେଶ୍ବର: ବ୍ରହ୍ମକୁମାରୀ କେନ୍ଦ୍ରରେ ରାଷ୍ଟ୍ରପତି ମଧ୍ୟାହ୍ନ ଭୋଜନ କରିବେ। ବ୍ରହ୍ମକୁମାରୀ ସଦସ୍ୟଙ୍କ ହାତରନ୍ଧା ଖାଦ୍ୟ ଖାଇବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ତାଙ୍କ ପାଇଁ ପ୍ରସ୍ତୁତ ହୋଇଛି ସ୍ୱତନ୍ତ୍ର ଖାଦ୍ୟ । ଭାତ, ଡାଲି, ପାମ୍ପଡ଼, ସଜନା ଶାଗରେ ବଡ଼ି ଜହ୍ନି, କଲାରା ଚିପ୍ସ, ପୋଦିନା ଚଟଣୀ, ସାଲାଡ, ଛତୁ, ପନୀର, ଛୋଲେ, ପୋଟଳ କୁର୍ମା, ଦହିବରା ଭଳି ସ୍ୱତନ୍ତ୍ର ସଂପୂର୍ଣ୍ଣ ନିରାମିଷ ଖାଦ୍ୟ ପ୍ରସ୍ତୁତ କରାଯାଇଛି । ସେହିପରି ଛେନାପୋଡ଼ ଏବଂ କ୍ଷୀରି ମଧ୍ୟ ତାଙ୍କ ଖାଇବା ପାଇଁ ପ୍ରସ୍ତୁତ କରାଯାଇଛି।
ଉଲ୍ଲେଖଯୋଗ୍ୟ, ଆଜି ହେଉଛି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତର ଶେଷ ଦିନ। ତମାଣ୍ଡୋରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବ୍ରହ୍ମକୁମାରୀ କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ବାଟିଆରେ ଡିଭାଇନ୍ ଲାଇଟ୍ ହାଉସର ଶିଳାନ୍ୟାସ କରିଛନ୍ତି। ସେଠାରେ ଆୟୋଜନ କରାଯାଇଥିବା ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଯୋଗ ଦେଇ ଗଛ ଲଗାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହାପୂର୍ବରୁ ରାଜଭବନରେ ଆଦିମ ଜନଜାତି ସମୁଦାୟ ସଦସ୍ୟଙ୍କ ସହ ମତ ବିନିମୟ କରିଛନ୍ତି ସେ।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତିନିଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ସେ ବାୟୁସେନାର ସ୍ବତନ୍ତ୍ର ବିମାନରେ ମଙ୍ଗଳବାର ସଂଧ୍ୟା ୬ଟା ୮ରେ ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଥିଲେ। ବିମାନବନ୍ଦରରେ ପହଞ୍ଚିଲା ପରେ ତାଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ, ମୁଖ୍ୟ ଶାସନସଚିବ ପ୍ରଦୀପ କୁମାର ଜେନା ଓ ପୁଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ ପ୍ରମୁଖ ସ୍ବାଗତ ଜଣାଇଥିଲେ।
୨୬ତାରିଖରେ ରାଷ୍ଟ୍ରପତି କଟକରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ୭୫ତମ ପ୍ରତିଷ୍ଠା ଦିବସର ପୂର୍ତ୍ତି ଉତ୍ସବ, ଜାତୀୟ ଆଇନ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ, ଶ୍ରୀରାମ ଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିଟାଲର ବାର୍ଷିକ ଉତ୍ସବରେ ଯୋଗଦେଇ ସଂଧ୍ୟାରେ ରାଜଭବନକୁ ଫେରିଥିଲେ। ଏହାପରେ ୨୭ତାରିଖରେ ଓଡ଼ିଶାର ଆପଦଗ୍ରସ୍ତ ଜନଜାତି ଗୋଷ୍ଠୀ (ପିଭିଟିଜି) ପ୍ରତିନିଧିଙ୍କ ସହ ସାକ୍ଷାତ ଆଲୋଚନା କରିବା ପରେ। ଭୁବନେଶ୍ବରର ତମାଣ୍ଡୋର ଦଶବାଟିଆଠାରେ ବ୍ରହ୍ମାକୁମାରୀ କେନ୍ଦ୍ର ଲାଇଟ୍ ହାଉସ୍ କମ୍ପ୍ଲେକ୍ସର ଶିଳାନ୍ୟାସ କରିଛନ୍ତି। ୨୭ତାରିଖ ସଂଧ୍ୟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ।