ଅପରାଧ ରାଜ୍ୟ

ବୃଦ୍ଧଙ୍କୁ ଅଜଗର ଗିଳିଲା ନା ନିଖୋଜ? ଅଜଗର ଶୋଇଥିବା ସ୍ଥାନରୁ ଗାଡି, ଚପଲ, ଲୁଗାପଟା ଉଦ୍ଧାର

କଟକ/ଡ଼ମପଡା : ୬ ଦିନ ହେଲା ନିଖୋଜ ହୋଇଯାଇଛନ୍ତି ସ୍ବାମୀ। ଆଖିରୁ ଲୁହ ଶୁଖୁନି ସ୍ତ୍ରୀ ସରସ୍ବତୀଙ୍କର। ଚର୍ଚ୍ଚା ହେଉଛି ଅଜଗର ଗିଳି ଦେଇଛି ତାଙ୍କ ସ୍ବାମୀଙ୍କୁ। ଜଙ୍ଗଲ ଭିତରେ ଏବେ ଯେଉଁଠି ଅଜଗର ଶୋଇଛି ସେହି ସ୍ଥାନଠାରୁ ମାତ୍ର ୭୦୦/୮୦୦ ମିଟର ଦୂରରୁ ଉଦ୍ଧାର କରାଯାଇଛି ତାଙ୍କ ସ୍ବାମୀ, ଫେରି ବ୍ୟବସାୟୀ ନନ୍ଦ କିଶୋର ବେହେରା(୭୭)ଙ୍କ ଚପଲ, ଲୁଗାପଟା ଓ ଗାଡି। କିନ୍ତୁ, ସେହି ସ୍ଥାନ ହେଉଛି ଅଭୟାରଣ୍ୟର ରେଡ୍ ଜୋନ। ଡମପଡା-ଚନ୍ଦକା ଅଭୟାରଣ୍ୟ ପାଦ ଦେଶରେ ଥିବା ୫ଖଣ୍ଡ ଗାଁକୁ ଫେରି ବେପାର ପାଇଁ ଗତ ୨୮ ତାରିଖରୁ ଘରୁ ବାହାରିଥିଲେ ନନ୍ଦକିଶୋର। ଏପଟେ ବନବିଭାଗର ଯୁକ୍ତି ହେଲା ଅଜଗର କ’ଣ ମଣିଷ ଗିଳିପାରିବ ? ସେ ଅନ୍ୟକିଛି ଜନ୍ତୁକୁ ଗିଳିଛି। ସେପଟେ ପୁଲିସ କହୁଛି ଆମେ ମାମଲା ରୁଜୁ କରି ତଦନ୍ତ କରୁଛୁ। ଗାଡ଼ି ମିଳିଲା, ଚପଲ ମିଳିଲା, ‌ହେଲେ ‌ଫେରି ବ୍ୟବସାୟୀ ଗଲେ କୁଆଡ଼େ ? ରେଡ୍‌ ଜୋନ ପର୍ଯ୍ୟନ୍ତ ତାଙ୍କ ଗାଡି ଗଲା କେମିତି ? ଏହାକୁ ନେଇ ୬ଦିନ ହେଲା ଲାଗି ରହିଥିବା ରହସ୍ୟ ଉନ୍ମୋଚିତ ‌ହୋଇପାରୁନି। ଅନ୍ୟପଟେ ଆଜି ଘଟଣା ଭିନ୍ନ ମୋଡ଼ ନେଇଛି। ନିଖୋଜ ବ୍ୟବସାୟୀଙ୍କ ପରିବାରବର୍ଗ ବନବିଭାଗକୁ ଦାୟୀ କରି ବାଙ୍କୀ ଥାନ‌ାରେ ଅନ୍ୟ ଏକ ଏତଲା ଦେଇଛନ୍ତି। ଘଟଣାକୁ ଚପାଇ ଦେବାକୁ ବନବିଭାଗ ଉଦ୍ୟମ କରୁଛି ବୋଲି ସେମାନେ ଅଭିଯୋଗ କରିଛନ୍ତି। ସ୍ବାମୀଙ୍କୁ ନ ପାଇଲେ ଆତ୍ମହତ୍ୟା କରିବେ ବୋଲି କହିଛନ୍ତି ସରସ୍ବତୀ।

କଟକ ଜିଲ୍ଲା ମୁଣ୍ଡଳୀ ପଞ୍ଚାୟତସ୍ଥିତ ଥୋରିଆପାଟଣା ସାହିର ବାସିନ୍ଦା ନନ୍ଦକିଶୋର ୨୦ ବର୍ଷରୁ ଉର୍ଦ୍ଧ୍ବ ହେବ ଫେରି ବେପାର କରି ପରିବାର ଚଳାନ୍ତି। ପରିବାର କହିଲେ ନନ୍ଦକିଶୋର ଓ ତାଙ୍କ ପତ୍ନୀ ସରସ୍ୱତୀ (୭୩)। ପୁଅ କି ଝିଅ ନଥିବା ବେଳେ ତାଙ୍କ ପୁତୁରା ରାମଚନ୍ଦ୍ର ଦାଦା-ଖୁଡ଼ିଙ୍କ ଦେଖାଶୁଣା କରିଥାନ୍ତି। ଗତ ରବିବାର ଅର୍ଥାତ୍‌ ୨୮ତାରିଖ ଦିନ ନନ୍ଦକିଶୋର ବ୍ୟବସାୟ ସାରି ଘରକୁ ନ ଫେରିବାରୁ ପୁତୁରା ରାମଚନ୍ଦ୍ର ଓ ପରିବାର ଲୋକେ ଜଙ୍ଗଲ ଭିତରେ ରହୁଥିବା ଲୋକଙ୍କୁ ସାଙ୍ଗରେ ଧରି ବହୁ ଖୋଜାଖୋଜି କରିଥିଲେ। କିନ୍ତୁ, ପାଇନଥିଲେ। ଶେଷରେ ନିଖୋଜ ଥିବା ନେଇ ପରିବାର ଲୋକେ ବାଙ୍କୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୁଲିସ ବନ ବିଭାଗକୁ ସାଙ୍ଗରେ ନେଇ ସନ୍ଧାନୀ କୁକୁର ସହାୟତାରେ ଖୋଜାଖୋଜି କରିଥିଲେ। ଘଟଣାସ୍ଥଳରୁ ନନ୍ଦକିଶୋରଙ୍କ ଗାଡ଼ି ଓ ଲୁଗାପଟା ମିଳିଥିଲା।
ନନ୍ଦକିଶୋରଙ୍କ ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ, ବନବିଭାଗ ଏହି ଘଟଣାରେ କୌଣସି ତତ୍ପରତା ଦେଖାଉ ନାହିଁ। ବନବିଭାଗ ପକ୍ଷରୁ ଡମପଡା ରେଞ୍ଜର ବିରାଜ ଦାସ ଅଜଗର ଗିଳି ଦେଇଥିବା କଥାକୁ ଅସ୍ବୀକାର କରିବା ସହ ଉକ୍ତ ଅଜଗର ସାପଟି ଏକ ଜଙ୍ଗଲୀ ଜନ୍ତୁ ଗିଳିଥିବା କହିଛନ୍ତି। ନନ୍ଦକିଶୋରଙ୍କ ପରିବାର ଲୋକଙ୍କ ଅଭିଯୋଗ ଯେ, ଜଙ୍ଗଲ ପରିସର ଭିତରୁ ଯଦି ନନ୍ଦକିଶୋରଙ୍କ ଗାଡି ଓ ଲୁଗାପଟା ମିଳିଲା ତେବେ ୭୭ ବର୍ଷୀୟ ବୃଦ୍ଧ ନନ୍ଦକିଶୋର ଗଲେ କୁଆଡେ? ଏଭଳି ଘଟଣା ସମ୍ପର୍କରେ ଡମପଡା ବନ ବିଭାଗ ରେଞ୍ଜର୍‌ଙ୍କ ପ୍ରତିକ୍ରିୟା ଶୁଣିବା ପରେ ଆଜି ନନ୍ଦକିଶୋରଙ୍କ ପୁତୁରା ଓ ତାଙ୍କ ପରିବାର ଲୋକେ ସନ୍ଦେହ ପ୍ରକାଶ କରିଛନ୍ତି। ବନ କର୍ମଚାରୀମାନେ ନନ୍ଦକିଶୋରଙ୍କୁ ମାରି ଜଙ୍ଗଲ ଭିତରେ କେଉଁଠି ପୋତି ଦେଇଥାଇ ପାରନ୍ତି ବା ସାପ ମୁହଁରେ ଫିଙ୍ଗି ଦେଇଥାଇ ପାରନ୍ତି ବା ଅନ୍ୟକିଛି ଘଟାଇ ଘଟଣାକୁ ଚପାଇ ଦେଇଥିବା ସନ୍ଦେହ କରିଛନ୍ତି। ଆଜି ଅପରାହ୍ନରେ ସମାଜସେବୀ ନଳିନୀ ରାୟ ନନ୍ଦକିଶୋରଙ୍କ ପରିବାରକୁ ଭେଟି ସାନ୍ତ୍ୱନା ଦେବା ସହିତ ଏଭଳି ଘଟଣାର ଏକ ଉଚ୍ଚସ୍ତରୀୟ ନିରପେକ୍ଷ ତଦନ୍ତ କରିବାକୁ ଦାବି କରିଛନ୍ତି। ଅନ୍ୟପଟେ ନନ୍ଦକିଶୋରଙ୍କ ସନ୍ଧାନ ନମିଳିଲେ ପରିବାର ଲୋକେ ଓ ଗ୍ରାମବାସୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି। ଏଭଳି ଘଟଣା ସମ୍ପର୍କରେ ଡମପଡା ବନବିଭାଗ ରେଞ୍ଜର ବିରାଜ ଦାସ କହିଛନ୍ତି ଯେ ଉକ୍ତ ବ୍ୟକ୍ତି ଜଣକ କାହାରିକୁ କିଛି ନଜଣାଇ ବିନା ଟିକେଟରେ ଜଙ୍ଗଲ ଭିତରେ ପ୍ରବେଶ କରିଥିଲେ। ଜଙ୍ଗଲ ବିଭାଗ ପକ୍ଷରୁ ବହୁ ଖୋଜାଖୋଜି କରାଯାଇଛି। କିନ୍ତୁ ଉକ୍ତ ବୃଦ୍ଧଙ୍କୁ ପାଇ ନଥିବା ଓ ସେ ସେଠାରେ ଗାଡି ଛାଡି କେଉଁଆଡ଼େ ଚାଲିଯାଇ ଥାଇପାରନ୍ତି ବୋଲି ସେମାନେ ସନ୍ଦେହ କରୁଛନ୍ତି। ଅନ୍ୟପଟେ ବାଙ୍କୀ ପୁଲିସ ବିଭାଗ ପକ୍ଷରୁ ନିଖୋଜ ବୃଦ୍ଧଙ୍କ ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ ସୌମେନ୍ଦୁ ଶେଖର ତ୍ରିପାଠୀ ସୂଚନା ଦେଇଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।