ଭୁବନେଶ୍ୱର,୧୬/୦୪: ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ହୋମିଓପାଥି ଫିଜିସିଆନ ତରଫରୁ ୨୦୨୧ ବର୍ଷ ପାଇଁ ବିଭିନ୍ନ ପୁରସ୍କାର ଘୋଷଣା କରାଯାଇଛି । ସୁନାମଧନ୍ୟ ହୋମିଓପାଥି ଚିକିତ୍ସକ ତଥା ଡା. ଅଭିନ୍ନଚନ୍ଦ୍ର ହୋମିଓପାଥିକ ଭେଷଜ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ଡା. ନିରଞ୍ଜନ ମହାନ୍ତିଙ୍କୁ ହୋମିଓରତ୍ନ ପୁରସ୍କାର ନିମନ୍ତେ ଚୟନ କରାଯାଇଛି ।
ପୂର୍ବରୁ ପ୍ରଫେସର ମହାନ୍ତି ଭାରତ ସରକାରଙ୍କ ତରଫରୁ ସର୍ବୋତ୍ତମ ଶିକ୍ଷକ ଭାବରେ ସମ୍ମାନିତ ହୋଇଛନ୍ତି । ଏହି ପୁରସ୍କାର ତାଙ୍କୁ ୨୦୧୮ରେ ମାନ୍ୟବର ଉପରାଷ୍ଟ୍ରପତି ଶ୍ରୀ ଭେଙ୍କେୟା ନାଇଡୁ ପ୍ରଦାନ କରିଥିଲେ । ପୂର୍ବରୁ ମଧ୍ୟ ଶ୍ରୀ ମହାନ୍ତି ଅନେକ ଜାତୀୟ ତଥା ଅନ୍ତର୍ଜାତୀୟ ପୁରସ୍କାର ହାସଲ କରିଛନ୍ତି ।
ହୋମିଓପାଥି ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ପ୍ରଫେସର ମହାନ୍ତିଙ୍କ ଅବଦାନ ଅତୁଳନୀୟ । ବର୍ତ୍ତମାନ ଡାକ୍ତର ମହାନ୍ତି ଖଣ୍ଡଗିରି ସ୍ଥିତ ଅନ୍ତର୍ଜାତୀୟ ଅଧ୍ୟୟନ ଓ ଅନୁସନ୍ଧାନ କ୍ଷେତ୍ରଠାରେ ଚିକିତ୍ସାରତ ଅଛନ୍ତି । ଏହା ବ୍ୟତୀତ ସେ ସାଇଣ୍ଟିଫିକ୍ ଆଡଭାଇଜାରୀ ବୋର୍ଡର ଅଧ୍ୟକ୍ଷ, କ୍ଷେତ୍ରୀୟ ଅନୁସନ୍ଧାନ କେନ୍ଦ୍ରର ଅଧ୍ୟକ୍ଷ ଓ କେନ୍ଦ୍ରୀୟ ହୋମିଓପାଥି ଅନୁସନ୍ଧନ ପରିଷଦ, ଭାରତ ସରକାର ଓ ଆୟୁଷ ମନ୍ତ୍ରାଳୟର ବିଭିନ୍ନ କମିଟିରେ ଉପଦେଷ୍ଟା ଭାବେ କାର୍ଯ୍ୟରତ୍ତ ।
ଏତତ୍ ବ୍ୟତୀତ ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅପ୍ ହୋମିଓପାଥି ଫିଜିସିଆନ ତରଫରୁ ୨୦୨୧ ପାଇଁ ଭାରତର ଡାକ୍ତର ଗିରେନ୍ଦ୍ର ପାଲ ଓ ଇଟାଲିର ହୋମିଓପାଥି ଚିକିତ୍ସକ ଡା. ରେନଜୋ ଗାଲାସିଙ୍କୁ ଲାଇଫ୍ ଟାଇମ୍ ଆଚିଭମେଣ୍ଟ୍ ପୁରସ୍କାର ପାଇଁ ଚୟନ କରାଯାଇଛି ।