ନୂଆଦିଲ୍ଲୀ: ବିମାନରେ ଯାତ୍ରା କରିବା ବେଳେ କିମ୍ବା ବିମାନବନ୍ଦର ଭିତରେ ଥିବା ସମୟରେ ଯଦି ଭାରତୀୟ ସଙ୍ଗୀତ ଶୁଣିବେ ତେବେ ଆଶ୍ଚର୍ଯ୍ୟ ହେବେ ନାହିଁ। ଭାରତୀୟ ସଙ୍ଗୀତ ବଜାଇବା ବିଷୟରେ ବିଚାର କରିବା ଲାଗି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ଏୟାରଲାଇନ୍ସ ଓ ବିମାନବନ୍ଦରଗୁଡ଼ିକୁ କୁହାଯାଇଛି। ବିମାନ ଯାତ୍ରୀଙ୍କ ମଧ୍ୟରେ ଭାରତୀୟ ସଙ୍ଗୀତର ପ୍ରସାର କରିବା ଲାଗି ପଦକ୍ଷେପ ଗ୍ରହଣ କରିବାକୁ ଦି ଇଣ୍ଡିଆନ କାଉନ୍ସିଲ୍ ଫର କଲ୍ଚରାଲ୍ ରିଲେସନ୍ସ (ଆଇସିସିଆର୍) ପକ୍ଷରୁ କିଛି ଦିନ ପୂର୍ବରୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ନିବେଦନ କରାଯାଇଥିଲା।ଏହା ପରେ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ବିମାନ କଂପାନି ଓ ବିମାନବନ୍ଦରକୁ ଏକ ଚିଠି ଲେଖି ଏହି ପ୍ରସ୍ତାବ ଉପରେ ବିଚାର କରିବାକୁ କୁହାଯାଇଛି।
ବିଭିନ୍ନ ଦେଶର ବିମାନରେ ସେହି ଦେଶର ସଙ୍ଗୀତ ବାଜୁଥିବା ଶୁଣିବାକୁ ମିଳେ। ଆମେରିକୀୟ କଂପାନିର ବିମାନରେ ଜାଜ୍, ଅଷ୍ଟ୍ରେଲିଆରେ ମୋଜାର୍ଟ ଓ ମଧ୍ୟ ପ୍ରାଚ୍ୟ ଦେଶଗୁଡ଼ିକର ବିମାନରେ ଆରବ ସଙ୍ଗୀତ ବାଜୁଛି। ମାତ୍ର ଭାରତୀୟ ବିମାନ କଂପାନିଗୁଡ଼ିକ ବିମାନରେ କ୍ବଚିତ ଭାରତୀୟ ସଙ୍ଗୀତ ବଜାନ୍ତି। ଭାରତୀୟ ସଙ୍ଗୀତର ଏକ ସମୃଦ୍ଧ ଐତିହ୍ୟ ଓ ପରମ୍ପରା ରହିଛି ଯାହା ଉପରେ ଆମେ ସମସ୍ତେ ଗର୍ବ କରିବା ଉଚିତ ବୋଲି ମନ୍ତ୍ରଣାଳୟ ପକ୍ଷରୁ ଚିଠିରେ ଉଲ୍ଲେଖ କରାଯାଇଛି। ବିମାନ ଓ ବିମାନବନ୍ଦରରେ ଭାରତର ଶାସ୍ତ୍ରୀୟ ସଙ୍ଗୀତ, ଲୋକଗୀତ, ହାଲୁକା ଭୋକାଲ୍, ବାଦ୍ୟଯନ୍ତ୍ର ଭିତ୍ତିକ ସଙ୍ଗୀତ ବଜାଇବା ଉପରେ ବିଚାର କରିବାକୁ କଂପାନିଗୁଡ଼ିକୁ କୁହାଯାଇଛି।
ଚଳିତ ମାସ ୨୩ ତାରିଖରେ ମନ୍ତ୍ରୀ ଶ୍ରୀ ସିନ୍ଧିଆ ଆଇସିସିଆରର ମୁଖ୍ୟ କାର୍ଯ୍ୟାଳୟ ପରିଦର୍ଶନରେ ଯାଇଥିବା ବେଳେ ଅନୁଷ୍ଠାନର ସଭାପତି ବିନୟ ସହସ୍ରବୁଦ୍ଧେ ତାଙ୍କୁ ବିମାନରେ ଭାରତୀୟ ସଙ୍ଗୀତ ବଜାଇବା ଲାଗି ବ୍ୟବସ୍ଥା କରିବାକୁ ଅନୁରୋଧ କରିଥିଲେ। ଏହି ଅବସରରେ ଯେଉଁ ବୈଠକ ହୋଇଥିଲା ସେଥିରେ ଦେଶର ପ୍ରମୁଖ କଳାକାର ଓ ସଙ୍ଗୀତକାର ଯଥା ମାଲିନି ଅୱସ୍ତି, ଅନୁ ମଲ୍ଲିକ, କୌଶାଲ ଇନାମ୍ଦାର, ସୌନକ ଅଭିଶେକ, ମଞ୍ଜୁସା ପାଟିଲ୍ ଓ ରୀତା ଗାଙ୍ଗୁଲି ପ୍ରମୁଖ ଉପସ୍ଥିତ ଥିଲେ।

