ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ବିମାନରେ ଜଣେ ମହିଳା ଯାତ୍ରୀଙ୍କ ଉପରେ ଜଣେ ମଦ୍ୟପ ଯାତ୍ରୀ ପରିସ୍ରା କରିବା ମାମଲାରେ ଆଜି ଟାଟା ସନ୍ସର ଅଧ୍ୟକ୍ଷ ଏନ୍ ଚନ୍ଦ୍ରଶେଖରନ ତାଙ୍କ ପ୍ରତିକ୍ରିୟା ରଖିଛନ୍ତି। ନ୍ୟୁୟର୍କରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆ ବିମାନରେ ଜଣେ ଯାତ୍ରୀ ମହିଳା ସହଯାତ୍ରୀଙ୍କ ଉପରେ ପରିସ୍ରା କରିବା ଘଟଣା ତାଙ୍କୁ ବ୍ୟକ୍ତିଗତ ଭାବେ ପୀଡ଼ା ଦେଇଛି ବୋଲି ସେ କହିଛନ୍ତି। ଆମେ ପରିସ୍ଥିତି ସମ୍ଭାଳିବାରେ ଏବଂ ତତ୍କାଳ ପଦକ୍ଷେପ ନେଇ ଉଚିତ ନ୍ୟାୟ ପ୍ରଦାନ କରିବାରେ ବିଫଳ ହୋଇଛୁ ବୋଲି ଚନ୍ଦ୍ରଶେଖରନ କହିଛନ୍ତି।
ସୂଚନାଯୋଗ୍ୟ, ଏହି ମାମଲାରେ ଉକ୍ତ ବିମାନର ପରିଚାଳକ ଦଳ ସଦସ୍ୟ ଏବଂ ପାଇଲଟଙ୍କୁ କାରଣଦର୍ଶାଅ ନୋଟିସ ଜାରି କରାଯିବା ସହ ଦାୟିତ୍ବରୁ ହଟାଇ ଦିଆଯାଇଛି । ତେବେ ଏ କ୍ଷେତ୍ରରେ ପଦକ୍ଷେପ ବହୁତ ବିଳମ୍ବରେ ଗ୍ରହଣ କରାଯାଇଥିବାରୁ ଚନ୍ଦ୍ରଶେଖରନ ଏ ନେଇ ତାଙ୍କ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଟାଟା ଗ୍ରୁପ୍ ଅଧୀନରେ ଥିବା ଏୟାର ଇଣ୍ଡିଆ ବିମାନରେ ମଦ୍ୟପ ଯାତ୍ରୀଙ୍କ ଦ୍ବାରା ପରିସ୍ରା କାଣ୍ଡ ଦୁଇଥର ଘଟିଥିବାରୁ ଟ୍ରାଟା ଗ୍ରୁପ୍ ଏହାକୁ ଗମ୍ଭୀରତାର ସହ ଗ୍ରହଣ କରିଛି।