କଳା ଓ ସଂସ୍କୃତି ରାଜ୍ୟ

ବିବାଦ ଭିତରେ ଶ୍ରୀମନ୍ଦିର ଚତୁଃପାର୍ଶ୍ବ ଉଚ୍ଛେଦ, ଲାରାକୋର୍ଟ ନିର୍ଦ୍ଦେଶ ପରେ ଭଙ୍ଗା ହେଲା ତିନିମହଲା କୋଠା

ପୁରୀ : ବହୁ ବାଦବିବାଦ ଭିତରେ ଶେଷରେ ପୁଣିଥରେ ଶ୍ରୀମନ୍ଦିର ଚତୁଃପାର୍ଶ୍ବ ଉଚ୍ଛେଦ କାମ ଆରମ୍ଭ ହୋଇଛି। ଶ୍ରୀମନ୍ଦିର ଜିଲ୍ଲା ପ୍ରଶାସନ ପଶ୍ଚିମଦ୍ବାରରେ ଥିବା ତିନିମହଲା ବିଶିଷ୍ଟ ଏକ ବ୍ୟକ୍ତିଗତ କୋଠାକୁ ସୋମବାର ଭାଙ୍ଗିଛି। ଲାରା କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଏହି ଉଚ୍ଛେଦ ଓ ଅଧିଗ୍ରହଣ କାମ ଆରମ୍ଭ ହୋଇଥିବା ଜିଲ୍ଲା ପ୍ରଶାସନ ସ୍ପଷ୍ଟ କରିଛି। ଅନ୍ୟପଟେ ବିବାଦୀୟ ପରିସ୍ଥିତି ପୂର୍ବରୁ ଘର ମାଲିକ ଓ ସେମାନଙ୍କ ପରିବାର ସଦସ୍ୟଙ୍କୁ ପୁଲିସ ସୋମବାର ସକାଳୁ ଉଠାଇ ନେଇ ‌କୌଣସି ଅଜ୍ଞାତ ସ୍ଥାନରେ ରଖିଥିବା ଏହି ପରିବାର ତରଫରୁ ମାମଲା ଲଢ଼ୁଥିବା ଆଇନଜୀବୀ ଅମିତ ଦାଶ କହିଛନ୍ତି।

ପୁରୀ ବାସେଳିସାହି ମୌଜାରେ ରହିଛି ରଘୁନାଥ ଗୋଚ୍ଛିକାର, ମଞ୍ଜୁ ପ୍ରତିହାରୀ, ସଂଧ୍ୟରାଣୀ ରଥ, ଶ୍ୟାମସୁନ୍ଦର ଗୋଚ୍ଛିକାର, ଦାମୋଦର ଗୋଚ୍ଛିକାର, ଅନିଲ ଗୋଚ୍ଛିକାର, ସ୍ବର୍ଣ୍ଣଲତା ଗୋଚ୍ଛିକାରଙ୍କ ଘର। ଏହି ଗୋଚ୍ଛିକାର ପରିବାରର ଖାତା ସଂଖ୍ୟା-୫୮୭ରେ ଘରବାରି-୨ କିସମର ୬ଟି ପ୍ଲଟ୍‌ର ୩୬.୪ ଡେସିମାଲ୍‌ ଜାଗା ରହିଛି। ଏଥିରୁ ଜିଲ୍ଲା ପ୍ରଶାସନ ଐତିହ୍ୟ କରିଡର ବାବଦକୁ ୩୧.୭ ଡିସିମାଲ୍‌ ଜାଗା ଅଧିଗ୍ରହଣ କରିବ। ସେହିଭଳି ଖାତା ସଂଖ୍ୟା ୫୮୮, ପ୍ଲଟ୍‌ ସଂଖ୍ୟା-୮୭୧ରେ ଘରବାରି-୨ କିସମର ୩.୩ ଡିସିମାଲ୍‌ ଜାଗା ରହିଥିବାବେଳେ ଏହା ସଂପୂର୍ଣ୍ଣ ଅଧିଗ୍ରହଣ ହେବ। କିନ୍ତୁ ଏହି ଗୋଚ୍ଛିକାର ପରିବାର ଜିଲ୍ଲା ପ୍ରଶାସନର ଅଧିଗ୍ରହଣ ଓ ସହାୟତା ରାଶିରେ ଅସନ୍ତୁଷ୍ଟ ପ୍ରକାଶ କରି ଜମି ଦେବାକୁ ଅରାଜି ହୋଇଥିଲେ। ଆଇନର ଆଶ୍ରୟ ନେଇଥିଲେ। ଐତିହ୍ୟ କରିଡର ପାଇଁ ଆବଶ୍ୟକ ଜମିରୁ ୯୮ ପ୍ରତିଶତ ଅଧିଗ୍ରହଣ ସରିଥିଲେ ବି ଗୋଚ୍ଛିକାର ପରିବାରଙ୍କ ଅରାଜି ଯୋଗୁ ଶତ ପ୍ରତିଶତ ଜାଗା ଅଧିଗ୍ରହଣ ହୋଇପାରିନି। ଏହି ବିବାଦ ବି ବହୁଦିନରୁ ଲାଗି ରହିଥିଲା। ଏଥିପାଇଁ ଜିଲ୍ଲା ପ୍ରଶାସନ ଗତ ନଭେମ୍ବର ୧୨ ତାରିଖରେଏହି ପରିବାରର ସମସ୍ତ ସଦସ୍ୟଙ୍କୁ ନୋଟିସ୍‌ ଜାରି କରିଥିଲା। ‌


ନଭେମ୍ବର ୧୮ ତାରିଖ ପୂର୍ବାହ୍ଣ ୧୧ଟାରେ ଭୂ-ଅର୍ଜନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଉପସ୍ଥିତ ରହି ଅଧିଗ୍ରହଣ ବାବଦ ସହାୟତା ରାଶି ଗ୍ରହଣ କରିବାକୁ କୁହାଯାଇଥିଲା। କିନ୍ତୁ ପରିବାର ଲୋକେ ନ ଆସିବାରୁ ଜିଲ୍ଲା ପ୍ରଶାସନ ଲାରା କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା। ଲାରା କୋର୍ଟଙ୍କ ଆଦେଶକ୍ରମେ ଜିଲ୍ଲା ପ୍ରଶାସନ ଆଜିଠାରୁ ଏହି ଜମି ଅଧିଗ୍ରହଣ ଆରମ୍ଭ କରିଛି। ଏ ବାବଦକୁ ପ୍ରାୟ ସାଢ଼େ ୪ କୋଟି ଟଙ୍କା ଲାରା କୋର୍ଟରେ ଜିଲ୍ଲା ପ୍ରଶାସନ ଜମା କରିଥିବା କହିଛି। ପ୍ରାଥମିକ ପର୍ଯ୍ୟାୟରେ ପଶ୍ଚିମପାର୍ଶ୍ବ ସମ୍ମୁଖ କୋଠା ଉଚ୍ଛେଦ କରାଯାଇଛି। ପରବର୍ତ୍ତୀ ସମୟରେ ଉତ୍ତର-ପଶ୍ଚିମଦ୍ବାର କୋଣରେ କୋଠାକୁ ଉଚ୍ଛେଦ କରାଯିବ ବୋଲି ଜଣାପଡ଼ିଛି। ଅନ୍ୟପଟେ ଏହି ପରିବାର ‌ତରଫରୁ ମାମଲା ଲଢ଼ୁଥିବା ଆଇନଜୀବୀ ଶ୍ରୀ ଦାଶ କହିଛନ୍ତି ଯେ ନିୟମ କହୁଛି ଲାରା କୋର୍ଟଙ୍କ ଏହି ଆଦେଶ ଜମି ମାଲିକଙ୍କୁ ଦେବା କଥା। କିନ୍ତୁ ଜିଲ୍ଲା ପ୍ରଶାସନ ଏହି ଆଦେଶ ଦେଇନି। ଯାହା ନିୟମ ବର୍ହିଭୂତ। ସେପଟେ ଆଜି ସକାଳୁ ପରିବାର ଲୋକଙ୍କୁ ପୁଲିସ କେଉଁଆଡ଼େ ଉଠାଇ ନେଇଥିବା ଶ୍ରୀ ଦାଶ କହିଛନ୍ତି। ଅପରପକ୍ଷେ, ବିଳମ୍ବିତ ରାତିରେ ଶ୍ରୀ ଗୋଚ୍ଛିକାରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟେ, ଶ୍ରୀମନ୍ଦିର ଐତିହ୍ୟ ସୁରକ୍ଷା ବଳୟ ପାଇଁ ୧୫.୬୫ ଏକର ଜମି ଆବଶ୍ୟକ ରହିଛି। ଇତିମଧ୍ୟରେ ୧୧୩ଜଣଙ୍କ ବ୍ୟକ୍ତିଗତ ଜମି, ୧୮ଟି ମଠର ଜମି ଅଧିଗ୍ରହଣ ସରିଛି। ବାକି ଅଧିଗ୍ରହଣ କାମ ଜାରି ରହିଛି। ଆବଶ୍ୟକ ଜମି ମଧ୍ୟରେ ୪.୪୬ ଏକର ବେସରକାରୀ ଜମି, ୮.୪୭୨୫ ଏକର ଶ୍ରୀଜଗନ୍ନାଥ ଜମି, ‌୦.୧୫୧ ଏକର ମଠ ଜମି ଓ ୨.୫୬୬ ଏକର ସରକାରୀ ଜମି ରହିଛି। ୨୦୧୯ ଅକ୍ଟୋବର ୧୯ରେ ରାଜ୍ୟ କ୍ୟାବିନେଟ୍‌ରେ ଅବଢ଼ା ଯୋଜନାରେ ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପ ଅନୁମୋଦନ ଲାଭ କରିଥିଲା। ସେହି ବର୍ଷ ନଭେମ୍ବରରେ ସରକାର ଜମି ଅଧିଗ୍ରହଣ ପାଇଁ ପ୍ୟାକେଜ୍‌ ଘୋଷଣା କରିଥିଲେ। ଡିସେମ୍ବର ୩୦ରେ ଚିଠା ପ୍ରସ୍ତାବ ଆଗତ ସହ ମତାମତ ଆହ୍ବାନ କରାଯାଇଥିଲା। ୨୦୨୦ ଜାନୁଆରିରୁ ଡିସେମ୍ବର ମଧ୍ୟରେ ମତାମତ ଗ୍ରହଣ କରାଯାଇଥିଲା। ୨୦୨୧ ଜାନୁଆରି ୨୧ରେ ସାଂସ୍କୃତିକ ପରାମର୍ଶ କମିଟି ଶ୍ରୀମନ୍ଦିର ଐତିହ୍ୟ କରିଡରର ଚୂଡ଼ାନ୍ତ ମାଷ୍ଟର ପ୍ଲାନ୍‌ ପ୍ରସ୍ତୁତ କରିଥିଲା। ପରେ ଏହା ପରିଚାଳନା କମିଟି ଅନୁମୋଦନ ଲାଭ କରିଥିଲା।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
କଳା ଓ ସଂସ୍କୃତି

ରୁଦ୍ରାକ୍ଷ ଧାରଣ କରିବା ପୂର୍ବରୁ ଜାଣନ୍ତୁ ଏହାର ଧାର୍ମିକ ମହତ୍ୱ

ରୁଦ୍ରାକ୍ଷ ଏକମାତ୍ର ଏମିତି ଫଳ ଯାହାର ଧର୍ମ, କର୍ମ, ଅର୍ଥ ଏବଂ ମୋକ୍ଷ ପ୍ରଦାନ କରିବାରେ ମହତ୍ଵପୁର୍ଣ ଭୂମିକା ରହିଛି | ଶିବ ପୁରାଣ, ପଦ୍ମା ପୁରାଣ,