ସମ୍ବଲପୁର : ସମ୍ବଲପୁର ବିଶ୍ବବିଦ୍ୟାଳୟର ନୂଆ କୁଳପତି ଚୟନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ତେବେ, ଶିକ୍ଷାନଗରୀ ବୁର୍ଲାରେ ଥିବା ଦୁଇ ବିଶ୍ବବିଦ୍ୟାଳୟ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳୟ (ଭିସୁଟ୍) ଓ ସମ୍ବଲପୁର ବିଶ୍ବବିଦ୍ୟାଳୟର କୁଳପତି ଦାୟିତ୍ବରେ ଥିବା ବାହାର ରାଜ୍ୟର ୩ ପ୍ରଫେସରଙ୍କ କାର୍ଯ୍ୟକାଳକୁ ନେଇ ଏବେ ବି ଚର୍ଚ୍ଚା ଥମିନାହିଁ। ଏହି ୩ କୁଳପତିଙ୍କ ସମୟରେ ଉଭୟ ବିଶ୍ବବିଦ୍ୟାଳୟରେ ଅନେକ ବିବାଦ ଉଠିଛି। ଏଥିପାଇଁ ବି ସେମାନଙ୍କୁ ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିଛି। କେତେବେଳେ ଛାତ୍ର ଆନ୍ଦୋଳନ ତ କେତେବେଳେ ପୁଣି ଶିକ୍ଷକ ଆନ୍ଦୋଳନ ସାଙ୍ଗକୁ ଦୁର୍ନୀତି ଅଭିଯୋଗ ବି ସାମ୍ନାକୁ ଆସିଛି।
ସମ୍ବଲପୁର ବିଶ୍ବବିଦ୍ୟାଳୟର ଦ୍ବିତୀୟ କୁଳପତି ଥିଲେ ପ୍ରଫେସର ରଘୁବଂଶ କିଶୋର କପୁର। ତତ୍କାଳୀନ ବିଶ୍ବବିଦ୍ୟାଳୟ କର୍ମଚାରୀଙ୍କ କହିବା ଅନୁସାରେ, ଓଡ଼ିଶାର ମୂଳବାସିନ୍ଦା ହୋଇ ନ ଥିଲେ ହେଁ ସେ ଓଡ଼ିଶା ପ୍ରତି ତାଙ୍କ ବହୁତ ଭଲ ପାଇବା ଥିଲା। ଜଣେ ଜ୍ଞାନୀ ଓ ଭଲ ପ୍ରଶାସକ ଥିଲେ। ଏକ ଅନ୍ତର୍ଜାତୀୟ ସମ୍ମିଳନୀରେ ଯୋଗଦେବା ପାଇଁ ସ୍ପେନର ମାଦ୍ରିଦ୍ ସହରକୁ ଯାଇଥିବା ବେଳେ ସେଠାରେ ହୃଦ୍ଘାତରେ ତାଙ୍କର ପ୍ରାଣବାୟୁ ଚାଲିଗଲା। ଏହାର ବହୁବର୍ଷ ପରେ ସମ୍ବଲପୁର ବିଶ୍ବବିଦ୍ୟାଳୟର କୁଳପତି ଦାୟିତ୍ବ ଗ୍ରହଣ କରିଥିଲେ ପ୍ରଫେସର ସଂଜୀବ ମିତ୍ତଲ। ତେବେ, ସେ ପ୍ରଫେସର ରଘୁବଂଶ କିଶୋର କପୁର ଓ ଉଦୟ ଚାନ୍ଦ ଅଗ୍ରୱାଲଙ୍କଠାରୁ ଯେ ଠିକ୍ ଓଲଟା ଥିଲା, ଦାୟିତ୍ବରେ ଥିବା ସମୟରେ ତାଙ୍କର କାର୍ଯ୍ୟଧାାରୁ ସ୍ପଷ୍ଟ ହୋଇଛି। ଅଭିଯୋଗ ଅନୁସାରେ, ପ୍ରଫେସର ମିତ୍ତଲଙ୍କ ଦାୟିତ୍ବ ସମୟରେ ଆର୍ଥିକ ଅନିୟମିତତା, ବେଆଇନ୍ ଗଛକଟା, ଅସ୍ଥାୟୀ କର୍ମଚାରୀ ଦୀନବନ୍ଧୁ ମିଶ୍ରଙ୍କ ଆତ୍ମଦାହ, ସମାବର୍ତ୍ତନ ଉତ୍ସବରେ ଶିଳ୍ପୋଦ୍ୟୋଗୀଙ୍କୁ ସମ୍ମାନସୂଚକ ଡକ୍ଟରେଟ୍ ଉପାଧି ପ୍ରଦାନ, ମେଧାବୀ ଛାତ୍ରଙ୍କୁ ପ୍ରଦତ୍ତ ସ୍ବର୍ଣ୍ଣପଦକରେ ଶୁଦ୍ଧତା ଓ ସୁନା ପରିମାଣ କମ୍ ଭଳି ସଙ୍ଗୀନ ଅଭିଯୋଗ ଆସିଥିଲା। କେବଳ ସେତିକି ନୁହେଁ, ସ୍ବଚ୍ଛ ବିଦ୍ୟାଳୟ ଅଭିଯାନ ପାଣ୍ଠିରୁ ୨୯ ଲକ୍ଷ ଟଙ୍କା ନିଜ ପତ୍ନୀ ଓ ପୁତ୍ରଙ୍କ ଆକାଉଣ୍ଟକୁ ପଠାଇବା ଏବଂ ତଦନ୍ତ କାଳରେ ଧରାପଡ଼ିବା ପରେ ପୁଣି ବିଶ୍ବବିଦ୍ୟାଳୟକୁ ଏହି ଟଙ୍କା ଫେରାଇବା ଭଳି ଅପମାନଜନକ ସ୍ଥିତିର ବି ତାଙ୍କୁ ସମ୍ମୁଖୀନ ହେବାକୁ ପଡ଼ିଥିଲା। ଆଉ ଚାପରେ ଆସି ପ୍ରଥମେ ଛୁଟି ନେଇଥିଲେ ଏବଂ କୁଳପତି ପଦରୁ ଇସ୍ତଫା ଦେବାକୁ ଏକ ପ୍ରକାର ବାଧ୍ୟ ହୋଇଥିଲେ।
ରାଜ୍ୟର ସର୍ବପୁରାତନ ଇଂଜିନିୟରିଂ କଲେଜ ବୁର୍ଲାର ୟୁସିଇ ୨୦୦୯ ମସିହାରେ ବିଶ୍ବବିଦ୍ୟାଳୟ ମାନ୍ୟତା ପାଇବା ସହ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳୟ (ଭିସୁଟ୍)ରେ ପରିଣତ ହୋଇଥିଲା। ଇତିମଧ୍ୟରେ ୫ଜଣ ପୂର୍ଣ୍ଣକାଳୀନ କୁଳପତି ଦାୟିତ୍ବ ଗ୍ରହଣ କରିସାରିଛନ୍ତି। ସେମାନଙ୍କ ମଧ୍ୟରେ ରାଜ୍ୟ ବାହାରର ୨ଜଣ ହେଲେ, ପ୍ରଫେସର ଇ. ସାଇବାବା ରେଡ୍ଡୀ ଓ ପ୍ରଫେସର ଅଟଳ ଚୌଧୁରୀ। ଅନ୍ୟମାନଙ୍କ ମଧ୍ୟରେ, ଦାୟିତ୍ବରେ ଥିଲେ ପ୍ରଫେସର ଦେବକୁମାର ତ୍ରିପାଠୀ, ପ୍ରଫେସର ବି.କେ. ନନ୍ଦ। ପ୍ରଫେସର ବି.କେ. ନନ୍ଦଙ୍କ ପରେ ପ୍ରଫେସର ଇ. ସାଇବାବା ରେଡ୍ଡୀ ଭିସୁଟ୍ କୁଳପତି ଦାୟିତ୍ବ ତୁଲାଇଥିଲେ। ପ୍ରଫେସର ରେଡ୍ଡୀ ନିଜ ପତ୍ନୀଙ୍କ ନାମରେ ଗାଡ଼ି କିଣି ଏକ ଏଜେନ୍ସି ଜରିଆରେ ଭଡ଼ାସୂତ୍ରରେ ଭିସୁଟ୍ରେ ଲଗାଇଥିଲେ ଏବଂ କୁଳପତି ଭାବେ ନିଜେ ଏହାକୁ ବ୍ୟବହାର କରିଥିଲେ। ଏହାକୁ ନେଇ ଅଭିଯୋଗ ହୋଇଥିଲା। ଏଥିସହିତ, ତାଙ୍କ ଏମ୍ଟେକ୍ ପଢ଼ୁଆ ପୁଅଙ୍କୁ ସ୍ବର୍ଣ୍ଣପଦକ ଦେବାକୁ ନେଇ ବି ସେତେବେଳେ ବିବାଦ ଉଠିଥିଲା। ତାଙ୍କପରେ ପ୍ରଫେସର ଅଟଳ ଚୌଧୁରୀ ଭିସୁଟ୍ର କୁଳପତି ହୋଇଥିଲେ। ପ୍ରଫେସର ଚୌଧୁରୀଙ୍କ କାର୍ଯ୍ୟକାଳ ସମୟରେ ଶିକ୍ଷକ, ଛାତ୍ରମାନଙ୍କ ଆନ୍ଦୋଳନ ଚରମସୀମାରେ ପହଁଚିଥିଲା। ଏଥିପାଇଁ ତାଙ୍କୁ ଅନେକ ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିଥିଲା। କେତେକ ଶିକ୍ଷକ ତାଙ୍କ ଆଦେଶ ବିରୋଧରେ ହାଇକୋର୍ଟଙ୍କ ଦ୍ବାରସ୍ଥ ବି ହୋଇଥିଲେ। ସ୍ଥିତି ଏମିତି ହୋଇଥିଲା ଯେ ତାଙ୍କ କାର୍ଯ୍ୟକାଳ ସରିବାର କିଛିମାସ ପୂର୍ବରୁ ତାଙ୍କ କ୍ଷମତା ଏକ ପ୍ରକାର ସଂକୁଚିତ କରିଦିଆଯାଇଥିଲା। ଆର୍ଥିକ କ୍ଷମତା ସଂକୁଚିତ କରିବା ସହିତ କୌଣସି ବଡ଼ ନିଷ୍ପତ୍ତି ନନେବା ପାଇଁ ତାଙ୍କୁ କୁଳାଧିପତିଙ୍କ ଦପ୍ତରରୁ ପରାମର୍ଶ ଦିଆଯାଇଥିଲା। ତାଙ୍କ କାର୍ଯ୍ୟକାଳ ସରିବା ପରେ ଏପରିକି ସୌଜନ୍ୟମୂଳକ ବିଦାୟ ସମ୍ବର୍ଦ୍ଧନା ମଧ୍ୟ ଆୟୋଜନ କରାଯାଇନଥିଲା। ପ୍ରଫେସର ଅଟଳ ଚୌଧୁରୀଙ୍କ ପରେ ଅସ୍ଥାୟୀ ଭାବେ ପ୍ରଫେସର ବି.ବି ପତି କିଛିମାସ କୁଳପତି ଦାୟିତ୍ବ ସମ୍ଭାଳିବା ପରେ ଏବେ ପ୍ରଫେସର ବଂଶୀଧର ମାଝୀ କୁଳପତି ନିଯୁକ୍ତ ହୋଇଛନ୍ତି।
ତେବେ, ପୂର୍ବ ଦୁଇ କୁଳପତି ପ୍ରଫେସର ରେଡ୍ଡୀ ଓ ପ୍ରଫେସର ଚୌଧୁରୀଙ୍କ ସମୟରେ ଭିସୁଟ୍ରେ ସେଭଳି ସ୍ଥିତି ଥିଲା, ସେଥିରେ ଅନେକ ସୁଧାର ପରିଲକ୍ଷିତ ହୋଇଛି। ଶୈକ୍ଷିକ ବାତାବରଣ ଫେରାଇବା ଆଣିବା ପାଇଁ ଅନେକ ପଦକ୍ଷେପ ନିଆଯାଇଥିବା ଦେଖିବାକୁ ମିଳିଛି।