ରାଜ୍ୟ

ବିପ୍ଳବଙ୍କ ପାଇଁ ବଦଳିବ ବିଜେଡି ଗଣିତ

ଭୁବନେଶ୍ବର/ ଅନୁଗୁଳ: ଅନୁଗୁଳ ଜିଲ୍ଲା କଂଗ୍ରେସ ସଭାପତି ତଥା ୨୦୧୯ ଅନୁଗୁଳ ନିର୍ବାଚନମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ବିପ୍ଳବ ଜେନା ତାଙ୍କ ସମର୍ଥକମାନଙ୍କ ସହ ଆଜି ବିଜେଡିରେ ଯୋଗ ଦେଇଛନ୍ତି। ଶଙ୍ଖ ଭବନରେ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହଙ୍କ ଉପସ୍ଥିତିରେ ସେ ଯୋଗ ଦେଇଥିଲେ।। ଶ୍ରୀ ଜେନା ତାଙ୍କ ପ୍ରତିକ୍ରିୟାରେ କହିଥିଲେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟକଳାପ, ନୀତି ଆଦର୍ଶ ଓ ରାଜ୍ୟରେ ଚାଲିଥିବା ରୂପାନ୍ତର କାର୍ଯ୍ୟରେ ଅନୁପ୍ରାଣିତ ହୋଇ ବିଜେଡିରେ ଯୋଗ ଦେଲି। କୌଣସି ପଦପଦବି କିମ୍ବା ଉଦ୍ଦେଶ୍ୟ ନେଇ ଦଳକୁ ଆସି ନାହିଁ। ମୁଖ୍ୟମନ୍ତ୍ରୀ ଯାହା ଦାୟିତ୍ବ ଦେବେ, ତାହାକୁ ନିଷ୍ଠାର ସହ ତୁଲାଇବି। ମିଶ୍ରଣ ପର୍ବରେ ଅନୁଗୁଳ ଜିଲ୍ଲା ସଭାପତି ମହେନ୍ଦ୍ର ବସ୍ତିଆ, ଅନୁଗୁଳ ଜିଲ୍ଲା ସହ ପର୍ଯ୍ୟବେକ୍ଷକ କୁନ ବିହାରୀ ଦାସ ଓ ଅନୁଗୁଳ ନିର୍ବାଚନମଣ୍ଡଳୀ ପର୍ଯ୍ୟବେକ୍ଷକ ଚିନ୍ମୟ ସାହୁ ଉପସ୍ଥିତ ଥିଲେ।

ଅନ୍ୟପକ୍ଷରେ ଶ୍ରୀ ଜେନା ବିଜେଡିକୁ ଆସିବା ପରେ ଦଳ ତାଙ୍କୁ ନେଇ କେଉଁଠି ଥଇଥାନ କରିବ ସେ ନେଇ ଚର୍ଚ୍ଚା ଜୋର ଧରିଛି। ହେଲେ ବିପ୍ଳବଙ୍କ ଯୋଗଦାନ ପରେ ସ୍ଥାନୀୟ ରାଜନୀତି ସମୀକରଣ ବଦଳିବ।୨୦୧୯ ବିଧାନସଭା‌ ନିର୍ବାଚନରେ ଅନୁଗୁଳରୁ କଂଗ୍ରେସ ଟିକେଟରେ ଲଢ଼ି ୩୦,୫୭୨ ଖଣ୍ଡ ଭୋଟ୍‌ ପାଇଥିଲେ ବିପ୍ଳବ। ଏହି ଭୋଟ ଅନୁଗୁଳ ବିଧାନସଭା କ୍ଷେତ୍ର ପାଇଁ ନିର୍ଣ୍ଣାୟକ ହୋଇଥିଲା। ନିର୍ବାଚନ ପୂର୍ବରୁ ସେ ବିଜେଡିରେ ଯୋଗ ଦେଇଥିବାରୁ ଟିକେଟ୍ ପ୍ରସଙ୍ଗଟି ଚର୍ଚ୍ଚାକୁ ଆସିଛି। ଏଠାରେ ଗତ ୪ ପାଳି ହେଲା ବିଜେଡିର ରଜନୀକାନ୍ତ ସିଂହ ବିଧାୟକ ଭାବେ ଜିତି ଆସୁଛନ୍ତି। ଏଥର ନିର୍ବାଚନ ପାଇଁ ସେ ପ୍ରମୁଖ ଦାବିଦାର ଅଛନ୍ତି। ତଥାପି ସମ୍ଭାବ୍ୟ ପ୍ରାର୍ଥୀ ତାଲିକାରେ ଆଉ ଅଧା ଡଜନ ନେତାଙ୍କ ନାମ ରହିଛି। ଏବେ ବିପ୍ଳବଙ୍କ ନାଁ ସେଥିରେ ଯୋଡ଼ି ହେବାରୁ ଦଳ ଏହାକୁ କେମିତି ପରିଚାଳନା କରିବ ତା’କୁ ନେଇ ଅପେକ୍ଷା ରହିଛି।

ଖବର ଅନୁସାରେ, ବଅଁରପାଳ ବ୍ଲକ୍‌ ପାଞ୍ଚଗଡ଼ ଓ ଅନୁଗୁଳ ବ୍ଲକ୍‌ ବନ୍ତଳା ଅଞ୍ଚଳରେ ବିପ୍ଳବଙ୍କ ଭଲ ପ୍ରଭାବ ଥିବାରୁ ତାଙ୍କୁ ଦଳକୁ ଅଣାଯାଇଛି। ଏହାସହିତ ଦୀର୍ଘଦିନ ଧରି ସେ ବିଭିନ୍ନ ଶ୍ରମିକ ସଂଗଠନ ସହ ଯୋଡ଼ି ହୋଇ ରହିଛନ୍ତି। ତାଙ୍କ ବାପା ରମେଶ ଜେନା ବିଧାୟକ ଥିଲାବେଳେ ବଅଁରପାଳ ଓ ନାଲ୍‌କୋନଗର ଅଞ୍ଚଳରେ ତାଙ୍କର ଦବ୍‌ଦବା ରହିଥିଲା। ଏହି ସବୁ ଉପାଦାନ ବିଜେଡିକୁ ସୁହାଇବ ବୋଲି ଦଳ ଆଶା ରଖିଛି। ଗୋଟିଏ ଗୋଷ୍ଠୀର କହିବାନୁଯାୟୀ, ଦଳ ତାଙ୍କୁ ଢେଙ୍କାନାଳ ଲୋକସଭା ପାଇଁ ପ୍ରାର୍ଥୀ କରିପାରେ। ଆଜି ମିଶ୍ରଣ ପର୍ବରେ ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାର ବହୁ ପୁରୁଣା କର୍ମୀ ସାମିଲ ହୋଇଥିବାରୁ ଏହି ଆଭାସ ମିଳିଛି। ଅନ୍ୟ ଗୋଟିଏ ବର୍ଗ ମତ ରଖୁଛନ୍ତି ଯେ ବିପ୍ଳବଙ୍କୁ ସଂଗଠନ କାମରେ ବିଜେଡି ଲଗାଇପାରେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।